ଭୁବନେଶ୍ବର: ଢାକାରେ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍ ବାଳିକା ସାଫ୍ ଚାମ୍ପିଅନସିପ୍ରେ ଭାରତ ସୋମବାର ୪-୧ ଗୋଲ୍ରେ ନେପାଳକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଢାକାର ବିଏସ୍ଏସ୍ଏସ୍ କମଲ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ପାଇଁ ଶଲଜୀ ଶାଜୀ ହ୍ୟାଟ୍ରିକ୍ ଗୋଲ୍ ସ୍କୋର୍ (୧୦, ୪୦, ୮୧ ମିନିଟ୍) କରିଥିବା ବେଳେ ପୂଜା (୪୧ତମ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ। ନେପାଳ ପାଇଁ ଏକମାତ୍ର ଗୋଲ୍ ବର୍ଷା ଓଲୀ ୫୪ତମ ମିନିଟ୍ରେ ସ୍କୋର୍ କରିଥିଲେ।
ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ୨୦ ବର୍ଷର କମ୍ ଦଳକୁ ନେପାଳ ହରାଇଥିବା ବେଳେ ସେଭଳି ଆଶଙ୍କାକୁ ପଛରେ ପକାଇ ଭାରତୀୟ ଯୁବାମାନେ ସୋମବାର ୪୦ ସେକେଣ୍ଡ ଭିତରେ ଗୋଲ୍ ପ୍ରୟାସ କରିଥିଲେ। ପରବର୍ତୀ ୨୦ ମିନିଟ୍ ଭିତରେ ଭାରତ ୩ ଥର ବଲ୍କୁ ନେଟ୍ ଭିତରକୁ ପଠାଇ ଦେଇଥିଲେ ମଧ୍ୟ ଦୁଇଟି ଅଫ୍ ସାଇଡ୍ ଘୋଷିତ ହୋଇଥିଲା। ଭାରତୀୟ ଯୁବା ଦଳ ସହିତ ସହକାରୀ ପ୍ରଶିକ୍ଷକ ଭାବେ ଓଡ଼ିଶାର କିଂବଦନ୍ତି ମହିଳା ଫୁଟ୍ବଲର୍ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ରହିଛନ୍ତି। ଗତବର୍ଷ ଭାରତ ଏହି ପ୍ରତିଯୋଗିତାରେ ବିଜେତା ହୋଇଥିଲା।
Follow Us