ସାଫ୍‌ ୧୭ ବର୍ଷରୁ କମ୍‌ ଫୁଟ୍‌ବଲ: ଟ୍ରଫି ବଜାୟ ରଖିଲା ଭାରତ

ସାଫ୍‌ ୧୭ ବର୍ଷରୁ କମ୍‌ ଫୁଟ୍‌ବଲ: ଟ୍ରଫି ବଜାୟ ରଖିଲା ଭାରତ

Times of India

ନୂଆଦିଲ୍ଲୀ: ଗତଥରର ବିଜେତା ଭାରତ ସାଫ୍‌ ୧୭ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା‌ରେ ବିଜେତା ଆଖ୍ୟା ବଜାୟ ରଖିଛି। ଶ୍ରୀଲଙ୍କାର କଲମ୍ବୋରେ ଗୁରୁବାର ଖେଳାଯାଇଥିବା ଚଳିତ ସଂସ୍କରଣର ଫାଇନାଲ୍‌ରେ ନେପାଳକୁ ୪-୦ ଗୋଲ୍‌ରେ ପରାସ୍ତ କରି ଭାରତ ନିଜ ପାଖରେ ଟ୍ରଫି ରଖିଛି। ଏଥି ସହିତ ନେପାଳଠୁ ଲିଗ୍‌ ପର୍ଯ୍ୟାୟର ମଧୁର ପ୍ରତିଶୋଧ ମଧ୍ୟ ନେଇଯାଇଛି। ଗ୍ରୁପ୍‌ ଲିଗ୍‌ ମୁକାବିଲାରେ ନେପାଳ ୩-୧ ଗୋଲ୍‌ରେ ଭାରତକୁ ପରାସ୍ତ କରିଥିଲା। ହେଲେ ଫାଇନାଲ୍‌ରେ ପଟ ଓଲଟି ଯାଇଥିଲା। ବବି ସିଂହ, କୋରୁ ସିଂହ, ଅଧିନାୟକ ଭାନ୍‌ଲାଲପେକା ଗୁଇତେ ଏବଂ ଅମନଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ବଳରେ ଭାରତ ୪-୦ର ଏକପାଖିଆ ବିଜୟ ହାସଲ କରିନେଇଥିଲା। ଫାଇନାଲ୍‌ରେ ଆରମ୍ଭରୁ ନେପାଳ ବିପକ୍ଷରେ ଭାରତ ଆଧିପତ୍ୟ ବିସ୍ତାର କରିଥିଲା। ନେପାଳ ରକ୍ଷଣଭାଗକୁ ‌ଭେଦ କରି ୧୮ ମିନିଟ୍‌ରେ ବବି ଭାରତ ପାଇଁ ପ୍ରଥମ ଗୋଲ୍‌ କରିଥିଲେ।

ସେ ହେଡର୍‌ ଜରିଆରେ ଏହି ଗୋଲ୍‌ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ଏହାର ୧୨ ମିନିଟ୍‌ ପରେ ଗୁଇତେଙ୍କ ସହଯୋଗ‌ରେ କୋରୁ ସିଂହ ଦ୍ବିତୀୟ ଗୋଲ୍‌ ଦେଇଥିଲେ। ୦-୨ରେ ପଛରେ ପଡ଼ିଯିବା ପରେ ନେପାଳ ଆକ୍ରମଣକୁ ଜୋର୍‌ଦାର କରିଥିଲା। କିନ୍ତୁ ଭାରତ ବାଟ ଛାଡ଼ିନଥିଲା। ବରଂ ୩୯ତମ ମିନିଟ୍‌ରେ ବିଶୃଙ୍ଖଳିତ ଅରଚରଣ ପାଇଁ ଅଧିନାୟକ ପ୍ରଶାନ୍ତ ଲକ୍‌ସମଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିବାରୁ ନେପାଳ ଅଧିକ ହତୋତ୍ସାହିତ ହୋଇପଡ଼ିଥିଲା। ଫଳରେ ୧୦ ଜଣଙ୍କୁ ନେଇ ଅବଶିଷ୍ଟ ସମୟ ଖେଳିବାକୁ ବାଧ୍ୟ ହୋଇଥିଲା। ଏହାର ଫାଇଦା ଉଠାଇଥିବା ଭାରତ ପାଇଁ ୬୩ ମିନିଟ୍‌ରେ ଗୁଇତେ ତୃତୀୟ ଗୋଲ୍‌ କରିଥିଲା ବେଳେ ଦ୍ବିତୀୟାର୍ଧରେ ବଦଳ ଖେଳାଳି ଭାବେ ପଡ଼ିଆକୁ ଆସିଥିବା ଅମନ ଇଞ୍ଜୁରି ଟାଇମ୍‌ରେ ଗୋଲ୍‌ ଦେଇ ବ୍ୟବଧାନ ୪-୦ରେ ପହଞ୍ଚାଇ ଦେଇଥିଲେ। ଏଥି ସହିତ ଭାରତ ଲଗାତାର ବିଜେତା ଆଖ୍ୟା ଅର୍ଜନ କରିଥିଲା। ଭାରତୀୟ ଅଧିନାୟିକା ଗୁଇତେ ପ୍ରତିଯୋଗିତାର ସର୍ବାଧିକ ମୂଲ୍ୟବାନ ଖେଳାଳି ବିବେଚିତ ହୋଇଥିଲା ବେଳେ ସାହିଲ ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ପାଇଥିଲେ। ମୁଖ୍ୟ ପ୍ରଶିକ୍ଷକ ବିବିନୋ ଫର୍ଣ୍ଣାଣ୍ଡେଜ୍‌ ଦଳର ପ୍ରୟାସକୁ ପ୍ରଶଂସାରେ ପୋତି ପକାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe