ସାଫ୍ ୨୦ ବର୍ଷରୁ କମ୍ ଫୁଟବଲ୍ ଉଦ୍‌ଘାଟିତ: ପ୍ରଥମ ଦିନରେ ନେପାଳ, ବାଂଲାଦେଶ ବିଜୟୀ

ସାଫ୍ ୨୦ ବର୍ଷରୁ କମ୍ ଫୁଟବଲ୍ ଉଦ୍‌ଘାଟିତ: ପ୍ରଥମ ଦିନରେ ନେପାଳ, ବାଂଲାଦେଶ ବିଜୟୀ

ଭୁବନେଶ୍ବର: ଦକ୍ଷିଣ ଏସୀୟ ଫୁଟବଲ୍ ମହାସଂଘ (ସାଫ୍) ୨୦ ବର୍ଷରୁ କମ୍ ଫୁଟବଲ୍ ପ୍ରତିଯୋଗିତା ସୋମବାର କଳିଙ୍ଗ ଷ୍ଟାଡିୟମ୍‌ରେ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନରେ ନେପାଳ ଓ ବାଂଲାଦେଶ ବିଜୟୀ ହୋଇଛନ୍ତି। ସୋମବାରର ପ୍ରଥମ ମୁକାବିଲାରେ ନେପାଳ ୪-୦ ଗୋଲ୍‌ରେ ମାଳଦ୍ବୀପକୁ ପରାସ୍ତ କରିଥିଲା। ଏହି ଏକତରଫା ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ନେପାଳ ଗୋଟିଏ ଏବଂ ଦ୍ବିତୀୟାର୍ଦ୍ଧରେ ତିନିଟି ଗୋଲ୍ ଦେଇଥିଲା। ଅନ୍ୟପକ୍ଷରେ ମାଳଦ୍ବୀପ ଗୋଟିଏ ହେଲେ ବି ଗୋଲ୍ ଦେବାକୁ ସକ୍ଷମ ହୋଇ ନଥିଲା। ନେପାଳ ପକ୍ଷରୁ ପ୍ରଥମ ଗୋଲ୍ ଦୀପେଶ ଗୁରୁଙ୍ଗ ୪୨ ମିନିଟ୍‌ରେ ଦେଇଥିଲେ। ସେହିଭଳି ସୁଗମ ସୁଆଲ (୫୭) ଓ କ୍ରିତିଶରତ୍ନ ଛୁଞ୍ଜୁ (୬୨) ୫ ମିନିଟ୍‌ ଭିତରେ ଦୁଇଟି ଗୋଲ୍ ଦେଇ ମ୍ୟାଚ୍‌କୁ ନେପାଳ ନିୟନ୍ତ୍ରଣକୁ ନେଇଯାଇଥିଲେ। ମ୍ୟାଚ୍‌ର ସବାଶେଷ ତଥା ନେପା‌ଳର ଚତୁର୍ଥ ଗୋଲ୍ ମନଗ୍ୟା ନାକର୍ମି ଅତିରିକ୍ତ ସମୟ (୯୦+୪ ମିନିଟ୍)ରେ ଦେଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶ ୧-୦ ଗୋଲ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଏହି ଗୋଲ୍‌ଟି ୭୧ ମିନିଟ୍‌ରେ ମିରାଜୁଲ ଇସଲାମ ଦେଇଥିଲେ।

ଏହା ପୂର୍ବରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ସଚିବ ଆର୍‌. ଭିନିଲକ୍ରିଷ୍ଣା ଅତିଥି ଭାବେ ଯୋଗ ଦେଇ ଉଭୟ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଏହି ଅବସରରେ ଭାରତୀୟ ଦଳ ପକ୍ଷରୁ ତାଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭେଙ୍କଟେଶ ସନମୁଗମ୍ ଏକ ଟିମ୍ ଇଣ୍ଡିଆ ଜର୍ସି ଭେଟି ଦେଇଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସହ ନେପାଳ, ବାଂଲ‌ାଦେଶ, ମାଳଦ୍ବୀପ ଓ ଶ୍ରୀଲଙ୍କା ଏହିଭଳି ପାଞ୍ଚଟି ଦେଶ ଅଂଶଗ୍ରହଣ କରୁଛନ୍ତି। ଭାରତ ତା’ର ଅଭିଯାନ ପଡ଼ୋଶୀ ବାଂଲାଦେଶ ବିପକ୍ଷରେ ବୁଧବାର ଆରମ୍ଭ କରିବ। ଗତଥର ବାଂଲାଦେଶକୁ ହରାଇ ଭାରତ ବିଜେତା ହୋଇଥିବାରୁ ଏଥର ସେହି ପରାଜୟର ମଧୁର ପ୍ରତିଶୋଧ ନେବାର ସୁଯୋଗ ବାଂଲାଦେଶ ପାଖରେ ରହିବ। ଭାରତୀୟ ଦଳରେ ଓଡ଼ିଶାର ଟଙ୍କଧର ବାଗ ଥିବାରୁ ସେହିଦିନ ଦର୍ଶକ ସଂଖ୍ୟା ବଢ଼ିବାର ଢେର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe