ସାଫ୍ ୨୦ ବର୍ଷରୁ କମ୍ ଫୁଟ୍‌ବଲ୍: ପରାଜୟରୁ ଭାରତର ଅଭିଯାନ

Advertisment

କଳିଙ୍ଗ ଷ୍ଟାଡିୟମ୍ ବୁଲିଲେ ମନ୍ତ୍ରୀ, ବିଧାୟକ

କଳିଙ୍ଗ ଷ୍ଟାଡିୟମ୍ ବୁଲିଲେ ମନ୍ତ୍ରୀ, ବିଧାୟକ

ସାଫ୍ ୨୦ ବର୍ଷରୁ କମ୍ ଫୁଟ୍‌ବଲ୍: ପରାଜୟରୁ ଭାରତର ଅଭିଯାନ

ଭୁବନେଶ୍ବର, ୨୭ା୭ (ଇମିସ): କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ସାଫ୍ ୨୦ ବର୍ଷରୁ କମ୍ ଫୁଟବଲ୍ ପ୍ରତିଯୋଗିତାରେ ଆୟୋଜକ ଭାରତ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ନିଜ ପ୍ରଥମ ମ୍ୟାଚ୍‌ରେ ଗତଥର ବିଜେତା ଭାରତ ଉପବିଜେତା ବାଂଲାଦେଶଠାରୁ ୧-୨ ଗୋଲ୍‌ରେ ହାରିଯାଇଛି। ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ପକ୍ଷରୁ ଦୁଇଟି ଯାକ ଗୋଲ୍ ମହମ୍ମଦ ପିଆସ ଅହମ୍ମଦ ନୋଭା ଦେଇଥିଲେ। ମ୍ୟାଚ୍‌ର ପ୍ରଥମ ଗୋଲ୍ ସେ ୨୯ ମିନିଟ୍‌ରେ ଦେବା ପରେ ଦ୍ବିତୀୟ ଗୋଲ୍‌ଟିକୁ ୪୫ ମିନିଟ୍‌ରେ କରିଥିଲେ। ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ଗୁରୁକିରଟ ସିଂହ ଦେଇଥିଲେ। ଏହି ଗୋଲ୍‌କୁ ସେ ୩୫ ମିନିଟ୍‌ରେ କରିଥିଲେ। ଭାରତୀୟ ଦଳରେ ଓଡ଼ିଶାର ଟଙ୍କଧର ବାଗ୍ ଥିଲେ। ତାଙ୍କୁ ମଧ୍ୟ ଷ୍ଟାର୍ଟିଂ ଇଲେଭେନରେ ସୁଯୋଗ ମିଳିଥିଲା।
ବୁଧବାରର ଦ୍ବିତୀୟ ମ୍ୟାଚ୍‌ରେ ନେପାଳ ୩-୦ ଗୋଲ୍‌ରେ ଏକତରଫା ଭାବେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ୍ ଦେଇ ନପାରିବା ପରେ ନେପାଳ ତା’ର ତିନିଟି ଯାକ ଗୋଲ୍ ଦ୍ବିତୀୟାର୍ଦ୍ଧରେ ଦେଇଥିଲା। ନେପାଳ ପକ୍ଷରୁ ପ୍ରଥମ ଗୋଲ୍ ଆୟୂଷ ଘଲାନ ୫୮ ମିନିଟ୍‌ରେ ଦେଇଥିଲେ। ଅନ୍ୟ ଦୁଇଟି ଗୋଲ୍ କ୍ରତିଶ ରତ୍ନ ଛୁଞ୍ଜୁ (୬୫ ମିନିଟ୍) ଏବଂ ମନଜ୍ଞ୍ୟା ନକର୍ମି ( ୮୪ ମିନିଟ୍‌) ଦେଇଥିଲେ।

ଭୁବନେଶ୍ବର: ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟମାନେ ବୁଧବାର କଳିଙ୍ଗ ଷ୍ଟାଡିୟମ୍ କ୍ରୀଡ଼ା ଭିତ୍ତିଭୂମି ତଥା ଏଠାରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟସ୍ତରୀୟ ହାଇ ପର୍ଫର୍ମାନ୍ସ ସେଣ୍ଟର ତଥା ନିର୍ମାଣାଧୀନ କ୍ରୀଡ଼ା ବ୍ୟବସ୍ଥାକୁ ବୁଲି ଦେଖିଥିଲେ। ଏହା ପରେ ସମସ୍ତେ ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ଖେଳାଯାଉଥିବା ୨୦ ବର୍ଷରୁ କମ୍ ସାଫ୍ ଫୁଟବଲ୍ ମ୍ୟାଚ୍‌ର ମଜା ନେଇଥିଲେ।
କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସଚିବ ଆର ଭିନିଲକ୍ରିଷ୍ଣା ମାନ୍ୟବର ବାଚସ୍ପତି ଏବଂ ବିଧାୟକମାନଙ୍କୁ ସ୍ବାଗତ କରିଥିଲେ। କ୍ରୀଡ଼ା ସଚିବ ଏହି ଅବସରରେ ଗତ ଏକ ଦଶନ୍ଧି ଧରି ଓଡ଼ିଶା କ୍ରୀଡ଼ାର ସ୍ବର୍ଣ୍ଣିମ ଯାତ୍ରା ଏବଂ ଓଡ଼ିଶା କିଭଳି ଭାରତର କ୍ରୀଡ଼ା କ୍ୟାପିଟାଲର ମାନ୍ୟତା ଲାଭ କରି ସାରିଛି, ସେ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ‘‘ବାଚସ୍ପତି ଓ ବିଧାୟକଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ରେ ପାଇବା ଆମକୁ ଅସୀମ ଖୁସି ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ଆଜି ଭାରତୀୟ କ୍ରୀଡ଼ାର ମାଶାଲଧାରୀ ହୋଇପାରିଛି। ଏଠାକାର ପ୍ରଶିକ୍ଷଣ, ଭିତ୍ତିଭୂମି, ସୁବିଧା ସୁଯୋଗ ବିଶ୍ବସ୍ତରୀୟ।’’ ବୋଲି କ୍ରୀଡ଼ାମନ୍ତ୍ରୀ ଏହି ଅବସରରେ ମତ ରଖିଥି‌ଲେ। ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ରାଜ୍ୟର କ୍ରୀଡ଼ାବିତ୍‌ମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ, ଭିତ୍ତିଭୂମି, କ୍ରୀଡ଼ା ବିଜ୍ଞାନ ସୁବିଧା ତଥା ସୁଷମ ଖାଦ୍ୟ ଯୋଗାଣ ଉପରେ ଗୁରୁତ୍ବାରୋପ କରିଥିଲେ। ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କ୍ରୀଡ଼ାବିତ୍‌ମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଦେବାକୁ ବଦ୍ଧ ପରିକର ବୋଲି ମତ ପ୍ରକାଶ କରିଥିଲେ। ସେହିଭଳି ଏଠାରେ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ୍ ଆୟୋଜନ ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ। ଉନ୍ନୟନ କମିସନର ପ୍ରଦୀପ ଜେନା ସରକାର ଓ କ୍ରୀଡ଼ା ବିଭାଗ ତରଫରୁ ବାଚସ୍ପତି ଓ ବିଧାୟକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe