ଫୁଟବଲ୍ ବିକାଶ ଲାଗି ହାତ ମିଳାଇଲେ ସାଇ-ଓଡ଼ିଶା ଏଫ୍‌ସି, ୭ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ ବିଜ୍ଞାନ ସମ୍ମତ ପ୍ରଶିକ୍ଷଣ

Advertisment
ଫୁଟବଲ୍ ବିକାଶ ଲାଗି ହାତ ମିଳାଇଲେ ସାଇ-ଓଡ଼ିଶା ଏଫ୍‌ସି, ୭ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ ବିଜ୍ଞାନ ସମ୍ମତ ପ୍ରଶିକ୍ଷଣ

ଭୁବନେଶ୍ବର: ରାଜ୍ୟରେ ତୃଣମୂଳ ସ୍ତରରୁ ଫୁଟ୍‌ବଲ୍‌ ଖେଳର ବିକାଶ ଏବଂ ଉନ୍ନତି ଲାଗି ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ସହ ଓଡ଼ିଶାର ପ୍ରଥମ ଆଇଏସ୍‌ଏଲ୍ ଦଳ ‘ଓଡ଼ିଶା ଏଫ୍‌ସି’ ହାତ ମିଳାଇଛି। ‌ସୋମବାର ଏଥିନେଇ ଉଭୟ ପକ୍ଷ ମଧ୍ୟରେ ଆନୁଷ୍ଠାନିକ ଭାବେ ରାଜିନାମା ସ୍ବାକ୍ଷର ହୋଇଛି। ସେହିଭଳି ତୃଣମୂଳ ସ୍ତରରୁ ଫୁଟବଲ୍ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ବି ହୋଇଛି। କାର୍ଯ୍ୟକ୍ରମ ଅନ୍ତର୍ଗତ ସାଇ ଏବଂ ଓଡ଼ିଶା ଏଫ୍‌ସି ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମିଳିତ ଭାବେ ଓଡ଼ିଶାରୁ ଅଧିକରୁ ଅଧିକ ଫୁଟବଲର୍‌ ସୃଷ୍ଟି କରିବା ଲାଗି ଉଦ୍ୟମ କରିବେ।

ଓଡ଼ିଶା ଏଫ୍‌ସି ସମଗ୍ର ଦେଶରେ ପ୍ରଥମ ଥର ଲାଗି ଏଭଳି କାର୍ଯ୍ୟକ୍ରମ ପାଇଁ କୌଣସି ବିଦ୍ୟାଳୟ ସହ ସହଭାଗିତା କରିଛି। ଏହାର ମୂଳଲକ୍ଷ୍ୟ ହେଉଛି ୭ରୁ ୧୧ ବର୍ଷ ବୟସ୍କ ପିଲାଙ୍କ କ୍ରୀଡ଼ା କ୍ଷମତା ଚିହ୍ନଟ କରିବା। ପ୍ରତିଭାର ସଠିକ୍ ପରିଚାଳନା କରି ସେମାନଙ୍କୁ ପେସାଦାର ଖେଳାଳି ଭାବେ ଗଢ଼ି ତୋଳିବା। ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲରେ ତିନିଟି ବର୍ଗ‌ ଯଥା ୭ ବର୍ଷରୁ କମ୍, ୯ ବର୍ଷରୁ କମ୍ ଏବଂ ୧୧ ବର୍ଷରୁ କମ୍ ଏହିଭଳି ଭା‌ବେ ତିନିଟି ବର୍ଗରେ ଏଥିଲାଗି ପ୍ରଶିକ୍ଷଣ ଦିଆଯିବ। ଏହି ସହଭାଗିତା ଫଳରେ ରାଜ୍ୟରେ ଫୁଟବଲ୍ ଖେଳର ବିକାଶ ସହ ଏକ ନୂଆ ଫୁଟବଲ୍ ଇକୋ ସିଷ୍ଟମ ବା ପରିବେଶ ତନ୍ତ୍ର ତିଆରି ହେବ ବୋଲି ଆଶା କରାଯାଉଛି। ଏଥିଲାଗି ଓଡ଼ିଶା ଏଫ୍‌ସି ରାଜଧାନୀ ଭୁବନେଶ୍ବର ଓ କଟକ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଫୁଟବଲ୍ ଉତ୍ସବ, ଗଳି କପ୍, ପ୍ରଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରତିଭା ଚିହ୍ନଟ କରିବ। ବିଭିନ୍ନ ବୟସ ବର୍ଗର ଫୁଟବଲ୍ ପ୍ରତିଯୋଗିତା (ଉଭୟ ବାଳକ ଏବଂ ବାଳିକା) ମଧ୍ୟ ଆୟୋଜନ କରିବ। କାତାରର ପ୍ରସିଦ୍ଧ ଆସ୍ପାୟାର ଏକାଡେମି ଓଡ଼ିଶା ଏଫସିର ବୈଷୟିକ ସହଯୋଗୀ ଥିବାରୁ ରାଜ୍ୟର ଯୁବ ଖେଳାଳିମାନଙ୍କୁ ସେଠାରେ ପ୍ରଶିକ୍ଷଣ ନେବାର ବ୍ୟବସ୍ଥା ମଧ୍ୟ କରାଯିବ। ସୋମବାରର ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ସଚିବ ବିଶାଲ ଦେବ ମୁଖ୍ୟ ଅତିଥି ଭା‌ବେ ଯୋଗ ଦେଇଥିଲେ। ଓଡ଼ିଶା ଏଫ୍‌ସି ମାଲିକ ରୋହନ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶିଷ ଶାହ, ମୁଖ୍ୟ ପ୍ରଶିକ୍ଷକ ଜୋସେପ ଗମ୍ବାଉ, ସହକାରୀ ପ୍ରଶିକ୍ଷକ ଥଙ୍ଗବୋଇ ସିଙ୍ଗତୋ ଏବଂ ଫୁଟବଲ୍ ବିକାଶ ମୁଖ୍ୟ ଆକାଶ ନରୁଲା, ସାଇ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ କୁମାର ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଫୁଟ୍‌ବଲ୍‌କୁ ଓଡ଼ିଶାର ଏକ ନମ୍ବର ଖେଳ ଭାବେ ଗଢ଼ି ତୋଳିବା କ୍ଲବର ପ୍ରଥମ ଲକ୍ଷ୍ୟ ବୋଲି ଓଡ଼ିଶା ଏଫସି ମୁଖ୍ୟ କାର୍ଯ୍ୟନିର୍ବାହୀ ଶାହା କହିଥି‌ଲେ। ଶ୍ରୀ ଦେବ କହିଥିଲେ ଯେ ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀ ଭାବେ ଗଢ଼ି ତୋଳିବା ଲାଗି ତିନି ବର୍ଷର ଅଭିଯାନ ଅତି ଚମତ୍କାର ଏବଂ ରୋମାଞ୍ଚଭରା ରହିଛି। ଏହି ସହଭାଗିତା ଫଳରେ ରାଜ୍ୟରେ ଫୁଟବଲ ଖେଳର ବିକାଶ ହେବ। ରାଜ୍ୟରେ ଫୁଟ୍‌ବଲ୍‌ ଇକୋ ସିଷ୍ଟମ ସୃଷ୍ଟି ହେବା ସହ ଉଦୀୟମାନ ତାରକାଙ୍କୁ ନିଜ ପ୍ରତିଭାର ପରିପ୍ରକାଶ ଲାଗି ଏକ ଭଲ ମଞ୍ଚ ମିଳିବ। ଶ୍ରୀ ସାହୁ ମତ ରଖିଥିଲେ ଯେ ଏହି ସହଭାଗିତା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପାଇଁ ଏକ ମହତ୍ବପୂର୍ଣ୍ଣ ସଫଳତା। ଏହା ଦ୍ବାରା କ୍ରୀଡ଼ାକୁ ଭଲ ପାଉଥିବା ଛାତ୍ରଛାତ୍ରୀମାନେ ଆଗକୁ ବଢ଼ି ପାରିବେ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆମେ ଗାଁ ଗହଳିରେ ଥିବା କ୍ରୀଡ଼ା ପ୍ରତିଭାର ବିକାଶ କରି ପାରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe