ଖେଳାଳିଙ୍କୁ ତାଲିମ ଉପକରଣ ଯୋଗାଉଛି ‘ସାଇ’

Advertisment
ଖେଳାଳିଙ୍କୁ ତାଲିମ ଉପକରଣ ଯୋଗାଉଛି ‘ସାଇ’

Sports India Show

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ସଂପ୍ରତି ପ୍ରତିଯୋଗିତା ଏବଂ ଅଭ୍ୟାସ ମଧ୍ୟ ବନ୍ଦ ରହିଛି। କରୋନା ଲାଗି ଦେଶରେ ଲକ୍‌ଡାଉନ୍‌ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ମାର୍ଚ ୨୫ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ୧୪ ତାରିଖରେ ଏହାକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ଲକ୍‌ଡାଉନ୍‌ ଅବଧି ଏବେ ସରିବାର ନିକଟତର ହେଲାଣି। ଲକ୍‌ଡାଉନ୍‌ ସରିଲା ‌ପରେ ବହୁ ଖେଳାଳି ଘରେ କିଛି ଦିନ ରହିବାର ସମ୍ଭାବନା ରହିଛି। ଏହି ପରିସ୍ଥିତିରେ କିଭଳି ସେମାନଙ୍କ ତାଲିମ‌ରେ ବାଧା ନ ହେବ ସେଥିପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଏହାର ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍‌ସ) ସବୁ ପ୍ରକାର ସହଯୋଗ କରିବ ବୋଲି କହିଛି। ସେମାନଙ୍କ ଆବଶ୍ୟକ ସମସ୍ତ ତାଲିମ ଉପକରଣ ସେମାନଙ୍କ ଘ‌ରେ ପହଞ୍ଚିବାର ବ୍ୟବସ୍ଥା କରାଯିବ ବୋଲି ସାଇ ପକ୍ଷରୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ମାର୍ଚ ୨୫ ତାରିଖରୁ ସାରା ଦେଶ ଲକ୍‌ଡାଉନ୍‌‌ ବୋଲି ଘୋଷଣା କରିଥିଲେ। ଏହା ପରେ ଟପ୍‌ସ ଖେଳାଳିଙ୍କ ସହ ଟୋକିଓ ଅଲିମ୍ପିକ୍ସ (ସଂପ୍ରତି ୨୦୨୧କୁ ଘୁଞ୍ଚିଯାଇଛି) ସମ୍ଭାବ୍ୟ ଖେଳାଳି କିଭଳି ସୁବିଧାରେ ତାଲିମ ନେଇପାରିବେ ତା ଉପରେ ଦୃଷ୍ଟି ଦେବାକୁ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ‘ସାଇ’କୁ କହିଥିଲେ। ପାରା ଆଥ୍‌ଲେଟ୍‌ଙ୍କ ସହ ୧୦୭ ଖେଳାଳିଙ୍କୁ ନେଇ ‘ସାଇ’ ଏକ ତାଲିକା ପ୍ରସ୍ତୁତ କରିଥିଲା। ଖେଳାଳିମାନେ ସେମାନଙ୍କ ଆବଶ୍ୟକ ତାଲିମ ଉପକରଣ ନିକଟସ୍ଥ ‘ସାଇ’ ଆଞ୍ଚଳିକ କେନ୍ଦ୍ରରୁ ନେବାକୁ କୁହାଯାଇଥିଲା। ଆମ ପାଖକୁ ୪୩ ଖେଳାଳିଙ୍କ ଅନୁରୋଧ ଆସିଥିଲା। ସମସ୍ତଙ୍କୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ଉପକରଣ ଆମର ଆଞ୍ଚଳିକ କେନ୍ଦ୍ରରୁ ସେମାନଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲୁ। ରାଜ୍ୟ ସରକାର ଏବଂ ଏନ୍‌ଜିଓ ଜରିଆରେ ଉପକରଣ ସେମାନଙ୍କ ଘରେ ପହଞ୍ଚାଇ ସାରିଛୁ ବୋଲି ‘ସାଇ’ ପକ୍ଷରୁ ସୂଚନା ଦିଆଯାଇଛି।

ମୁଁ ଟାର୍ଗେଟ ପେପର ଓ ପ୍ଲେଟ୍‌ ପାଇଁ ଅନୁରୋଧ କରିଥିଲି, ତାହା ରବିବାର ପାଇଛି ବୋଲି ବନ୍ଧୁକଚାଳିକା ମନୁ ଭାକର କହିଛନ୍ତି। ସଂପ୍ରତି ଭାକର ତାଙ୍କ ହରିଆଣାର ଗୋରିଆସ୍ଥିତ ବାସଭବନରେ ତାଲିମ ନେଉଛନ୍ତି। ଦିଲ୍ଲୀସ୍ଥିତ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜ୍‌ରୁ ‘ସାଇ’ ଏହା ମୋତେ ଯୋଗାଇ‌ ଦେଇଥିଲା। ଏହା ଘରେ ମୋତେ ତାଲିମକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥିବାରୁ ‘ସାଇ’କୁ ଧନ୍ୟବାଦ ବୋଲି ଭାକର କହିଛନ୍ତି। ମୁଁ କବାଡ଼ି ମ୍ୟାଟ୍‌ରେ ଅଭ୍ୟାସ କରୁଥିଲି। ହେଲେ ‘ସାଇ’କୁ ଅନୁରୋଧ କରିବା ପରେ ମୋତେ କୁସ୍ତି ମ୍ୟାଟ୍ ମିଳିଛି ବୋଲି ବଜରଙ୍ଗ ପୁନିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe