ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍ମିଣ୍ଟନ୍ର ପ୍ରଥମ ସଫଳ ଅଲିମ୍ପିଆନ୍ ସାଇନା ନେହ୍ବାଲ ବିନା ଘୋଷଣାରେ ଅବସର ନେଇଯାଇଛନ୍ତି। ବୟସ, ଶାରୀରିକ ଦକ୍ଷତା ଓ ଆଣ୍ଠୁ ସମସ୍ୟାକୁ ଦୃଷ୍ଟିରେ ରଖି ସାଇନା ନିରବରେ ହିଁ ନିଜ ପ୍ରିୟ ରୢାକେଟ୍କୁ କାନ୍ଥରେ ଝୁଲାଇ ଦେଇଛନ୍ତି। ‘ନିଜେ ଅନୁଭବ କଲି ଆଗକୁ ବଢ଼ି ପାରିବି ନାହିଁ, ଶାରୀରିକ ପ୍ରତିବଂଧକ ବାଟ ଓଗାଳିଛି। ଏଲିଟ୍ ସ୍ପୋର୍ଟର ପ୍ରତିଦ୍ବନ୍ଦ୍ବିତା ସ୍ତର ପାଇଁ ଆବଶ୍ୟକ ଶାରୀରିକ ସକ୍ଷମତା ମୋ ନିକଟରେ ଆଉ ନାହିଁ। ଏଥି ସହ ଖାପ ଖୁଆଇବା ପାଇଁ ଶରୀର ବି ସାଥ ଦେଉନାହିଁ’ ଏମିତି କିଛି କହିଛନ୍ତି ୩୫ ବର୍ଷୀୟା ସାଇନା।
ସାଇନାଙ୍କ ଯାତ୍ରା
ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରିନଥିବ ସାଇନା ୨ ବର୍ଷ ହେବ କୌଣସି ପ୍ରମୁଖ ପ୍ରତିଯୋଗିତା ଖେଳିନାହାନ୍ତି। ଶେଷ ଥର ପାଇଁ ୨୦୨୩ ସିଙ୍ଗାପୁର ଓପନ୍ରେ ଖେଳିଥିଲେ। ସାଇନ ନେହ୍ବାଲଙ୍କୁ ଭାରତୀୟ ବ୍ୟାଡ୍ମିଣ୍ଟନ୍ର ପୋଷ୍ଟର୍ ଗର୍ଲ କୁହାଯାଇଥାଏ। ପ୍ରଥମ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳି ଭାବେ ସେ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ‘ଖେଳିବାକୁ ମୁଁ ଏବେ ସକ୍ଷମ ନୁହେଁ, ତାହା ହିଁ ଯଥେଷ୍ଟ। ଅବସର ଘୋଷଣାର କିଛି ଆବଶ୍ୟକତା ନାହିଁ’ ବୋଲି ସାଇନା ପ୍ରକାଶ କରିଛନ୍ତି। ଆସ୍ତେ ଆସ୍ତେ ଲୋକ ଜାଣିଯିବେ ସାଇନା ଖେଳୁନାହାନ୍ତି। ପ୍ରଶିକ୍ଷକ, ପରିବାର ବି ବୁଝିଯିବା ଉଚିତ୍। ମୋ ଆର୍ଥାଇଟିସ୍ ସମସ୍ୟା କାରଣରୁ କାର୍ଟିଲେଜ୍ ବି ପ୍ରଭାବିତ ହେଲାଣି। ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବ୍ୟାଡ୍ମିଣ୍ଟନ୍ ଖେଳିବାକୁ, ବିଶେଷ କରି ବିଶ୍ବର ଶ୍ରେଷ୍ଠ ହେବାକୁ ଦୈନିକ ୮/୯ ଘଣ୍ଟାର ଅଭ୍ୟାସ ଜରୁରୀ। ମୁଁ ଆଉ ଶରୀରକୁ ଭିଡ଼ି ପାରିବି’ ନାହିଁ ବୋଲି ସାଇନା ପ୍ରକାଶ କରିଛନ୍ତି।
୨୦୧୬ରେ ଆରମ୍ଭ ହୋଇଥିଲା ସମସ୍ୟା
୨୦୧୬ ରିଓ ଅଲିମ୍ପିକ୍ସ ସମୟରେ ସାଇନଙ୍କ ଆଣ୍ଠୁ ସମସ୍ୟା ଦେଖା ଦେଇଥିଲା। ଏହା ତାଙ୍କ କ୍ୟାରିୟର୍କୁ ବିଶେଷ ପ୍ରଭାବିତ କରିଥିଲା। ତଥାପି ସେ ନିଜର ସାଧ୍ୟମତେ ଚେଷ୍ଟା କରି ଖେଳିଥିଲେ। ୨୦୧୭ରେ ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ଏବଂ ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଆଣ୍ଠୁ ସମସ୍ୟା ତାଙ୍କୁ ନିରଂତର ଭାବେ ଅଡୁଆରେ ପକାଉଥିଲା। ୨୦୨୪ରେ ସେ ଘୋଷଣା କରିଥିଲେ ଆର୍ଥାଇଟିସ୍ ଅଛି ଏବଂ କାର୍ଟିଲେଜ୍ ଛିଡ଼ିବା ଆରମ୍ଭ କରିଛି।
ବ୍ୟକ୍ତିଗତ ଜୀବନରେ ବି ସାଇନାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଛି। ଅନ୍ୟତମ ଅନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପୁରୁପଲୀ କାଶ୍ୟପଙ୍କୁ ବିବାହ କରିଥିଲେ ମଧ୍ୟ ୨୦୨୫ ଅଗଷ୍ଟରେ ଉଭୟ ଅଲଗା ହୋଇଯାଇଥିଲେ। ଏହି ସେଲିବ୍ରିଟି ସଟଲ୍ କପଲ୍ କିନ୍ତୁ ଭାରତୀୟ ବ୍ୟାଡ୍ମିଣ୍ଟନ୍ର ଚେହେରାକୁ ବଦଳାଇ ଦେଇଥିଲେ।
ଆହୁରି ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ଚିତ୍କାର କରି ବଞ୍ଚାଇବାକୁ ନେହୁରା ହୋଇଥିଲେ ଯୁବରାଜ, ଭିଡିଓ ଦେଖି ଜାଣନ୍ତୁ ପୂରା ଘଟଣା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/20/saina-nehwal-2026-01-20-10-47-03.jpg)