ନେଟ୍‌ ବୋଲର ଭାବେ ସାଇନିଙ୍କୁ ଡକରା

ନେଟ୍‌ ବୋଲର ଭାବେ ସାଇନିଙ୍କୁ ଡକରା

ମାଞ୍ଚେଷ୍ଟର: ଚଳିତ ବିଶ୍ବକପ୍‌ରେ ଭାରତୀୟ ଦଳର ଆଗାମୀ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ପୂର୍ବରୁ ଦ୍ରୁତ ବୋଲର ନଭଦୀପ୍‌ ସାଇନିଙ୍କୁ ଜଣେ ନେଟ୍‌ ବୋଲର ଭାବେ ଡକରା ମିଳିଛି। ଭାରତ ୨୭ ତାରିଖରେ ଏଠାରେ ୱେଷ୍ଟଇଣ୍ଡିଜ୍‌କୁ ଭେଟିବ। ଏହି ବାମହାତୀ ଦ୍ରୁତ ବୋଲର ମଧ୍ୟ ସୋମବାର ମାଞ୍ଚେଷ୍ଟରରେ ପହଞ୍ଚିଛନ୍ତି। ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନେ ନେଟ୍‌ରେ ସାଇନିଙ୍କୁ ସାମ୍‌ନା କରି ପ୍ରସ୍ତୁତି କରିବେ। ଗତ ଆଇପିଏଲ୍‌ରେ ରୟାଲ ଜ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିବା ସାଇନି ଏକମାତ୍ର ନେଟ୍‌ ବୋଲର ଭାବେ ଭାରତୀୟ ଦଳ ସହ ରହି ପ୍ରଶିକ୍ଷଣ ନେବେ ବୋଲି ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) କହିଛି। ଦଳ ସହ ରିଜର୍ଭ ବୋଲର ଭାବେ ରହିଥିବା ଦୀପକ ଚହର ଓ ଅଭଶେ ଖାନ୍‌ ଚଳିତ ମାସ ପ୍ରଥମ ସପ୍ତାହରେ ଭାରତ ଫେରି ଯାଇଥିଲା ବେଳେ ଖଲିଲ ଅହମ୍ମଦ ଦଳ ସହ ରହିଥିଲେ। ହେଲେ ଖଲିଲ ପରେ ଭାରତ ଫେରିଯାଇଥିବ‌ାରୁ ଦଳ ସହ ଆଉ କୌଣସି ନେଟ୍‌ ବୋଲର ନଥିଲେ। ତେବେ ସାଇନିଙ୍କୁ ଡକରା ମିଳିଥିବାରୁ ସମ୍ଭବତଃ ସେ ଆହତ ଭୁବନେଶ୍ବର କୁମାରଙ୍କ ବଦଳ ଖେଳାଳି ଭାବେ ଷ୍ଟାଣ୍ଡ୍‌ ବାଇ ରହିବେ। ଭୁବନେଶ୍ବର କୁମାର ଆହତ ଯୋଗୁଁ ଗତ ୨୨ ତାରିଖ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଲିପାରିନଥିଲେ। ଯଦି ସେ ଆସନ୍ତାକାଲି ନେଟ୍‌ ସେସନ୍‌କୁ ନଆସନ୍ତି, ତାହାଲେ ଦଳୀୟ କର୍ତୃପକ୍ଷ ତାଙ୍କ ବଦଳ ଖେଳାଳି ଘୋଷଣା କରିପାରନ୍ତି। ତାଙ୍କ ଅନୁପସ୍ଥିତିରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସାମି ହିଁ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ଭାରତୀୟ ଦଳ ଚଳିତ ବିଶ୍ବକପ୍‌ରେ ୫ ମ୍ୟାଚ୍‌ ଖେଳି ଅପରାଜେୟ ରହିଛି। ଏହି ଦଳ ୯ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ଅଛି। ଦଳ ୪ ମ୍ୟାଚ୍‌ ଜିତିଥିଲା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଧୋଇ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe