ଶ୍ରୀଲଙ୍କାକୁ ହରାଇଲେ ଷ୍ଟାର୍କ: ଅଷ୍ଟ୍ରେଲିଆ ୨-୦ରେ ଶୃଙ୍ଖଳା ପୋଛିଲା

ଶ୍ରୀଲଙ୍କାକୁ ହରାଇଲେ ଷ୍ଟାର୍କ: ଅଷ୍ଟ୍ରେଲିଆ ୨-୦ରେ ଶୃଙ୍ଖଳା ପୋଛିଲା

କାନବେରା: କାନ୍‌ବେରା ଟେଷ୍ଟ୍‌କୁ ଅଷ୍ଟ୍ରେଲିଆ ୩୬୬ ରନ୍‌ରେ ଜିତି ନେଇଛି। ତା’ ସହ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି। ଏହା ମଧ୍ୟ ଅଷ୍ଟ୍ରେଲିଆର ନୂଆ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ଏବଂ ଅଧିନାୟକ ଟିମ୍ ‌ପେନ୍‌ଙ୍କ ଯୋଡ଼ିର ପ୍ରଥମ ଶୃଙ୍ଖଳା ବିଜୟ ହୋଇଛି। ସେହିଭଳି ଭାରତଠାରୁ ଘରୋଇ ପରିବେଶରେ ଶୃଙ୍ଖଳା ହାରିବା ପରେ ଅଷ୍ଟ୍ରେଲିଆର ଏହା ପ୍ରତ୍ୟାବର୍ତନକାରୀ ଶୃଙ୍ଖଳା ବିଜୟର ମାନ୍ୟତା ଲାଭ କରିଛି। ଶ୍ରୀଲଙ୍କାକୁ ଧୂଳି ଚଟାଇବା ପରେ ଆସେସ୍ ଶୃଙ୍ଖଳା ତାଙ୍କର ପରବର୍ତୀ ଲକ୍ଷ୍ୟ ‌ବୋଲି ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ପେନ୍ କହିଛନ୍ତି।
ବ୍ରିସବନ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍‌କୁ ପାଳି ଓ ୪୦ ରନ୍‌ରେ ହାରିଥିବା ଶ୍ରୀଲଙ୍କା କାନ୍‌ବେରାରେ କଙ୍ଗାରୁ ବାହିନୀ ଆଗରେ ପୂରା ଆତ୍ମସମର୍ପଣ କରିଥିଲା। ୫୧୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୧୪୯ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଏପରିକି ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସଙ୍କ ଘାତକ ବୋଲିଂର ଆଦୌ ସମ୍ମୁଖୀନ ହୋଇ ପାରି ନଥିବା ସିଂହଳୀ ଦଳର ଜଣେ ହେଲେ ବି ବ୍ୟାଟ୍ସମ୍ୟାନ୍ ଅର୍ଧଶତକ ଛୁଇଁ ପାରି ନଥିଲେ। କୁସାଲ ମେଣ୍ଡିସଙ୍କ ୪୨ ରନ୍ ଦଳର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା। ସେପଟେ ଉଭୟ ପାଳିରେ ପାଞ୍ଚଟି ଲେଖାଏଁ ୱିକେଟ୍ ନେଇ ଷ୍ଟାର୍କ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କମିନ୍ସ ଦୁଇଟି ଯାକ ଟେଷ୍ଟ୍‌ରେ ନିଜ ଯାଦୁ ଦେଖାଇ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର କରାୟତ କରିଥିଲେ।
ଉଭୟ ବ୍ୟାଟିଂ ଓ ବୋଲିଂରେ ଆଧିପତ୍ୟ ବିସ୍ତାର କରିଥିବା ଏହି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ହିଁ ନିଜ କବଜାକୁ ନେଇ ଯାଇଥିଲା। ଜୋ ବର୍ନସ (୧୮୦), ଟ୍ରାଭିସ୍ ହେଡ୍ (୧୬୧) ଓ କର୍ଟିସ୍ ପ୍ୟାଟରସନ୍ (୧୧୪)ଙ୍କ ରୂପରେ ତିନିଟି ଶତକ ଅର୍ଜନ କରି ୫୩୪/୫ରେ ପାଳି ଘୋଷଣା କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦୟନୀୟ ବ୍ୟାଟିଂ କରି ସମସ୍ତ ୱିକେଟ୍ ବିନିମୟରେ ମାତ୍ର ୨୧୫ ରନ୍ କରି ପାରିଥିଲା। ଅଷ୍ଟ୍ରେଲିଆ ଫଲୋଅନ୍ ନ ଡାକି ପୁର୍ନବାର ବ୍ୟାଟିଂ କରିବା ସହ ୧୯୬/୩ରେ ଦ୍ବିତୀୟ ପାଳି ଘୋଷଣା କରିଥିଲା। ଫଳରେ ଶ୍ରୀଲଙ୍କା ସମ୍ମୁଖରେ ୫୧୬ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଦ୍ବିତୀୟ ପାଳିରେ ଉସମାନ ଖୱାଜା (୧୦୧*) ଘରୋଇ ଦଳ ପାଇଁ ମ୍ୟାଚ୍‌ର ଚତୁର୍ଥ ଶତକ ଅର୍ଜନ କରିଥିଲେ। ଶ୍ରୀଲଙ୍କା ପରାଜୟ ଏକ ପ୍ରକାର ନିଶ୍ଚିତ ଥିଲା ବେଳେ ଏହି ଦଳ ରବିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବିନା ୱିକେଟ୍‌ରେ ୧୭ ରନ୍ କରିଥିଲା। ସୋମବାର କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଆଉ ମାତ୍ର ୪୫ ଓଭର ଖେଳରେ ସମସ୍ତ ୧୦ ୱିକେଟ୍ ହରାଇ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ଷ୍ଟାର୍କ ଏହି ମ୍ୟାଚ୍‌ରେ ଦ୍ବିତୀୟ ଥର ପାଇଁ ୧୦ ୱିକେଟ୍ ସଫଳତା ଲାଭ କରିଥିଲେ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୫୩୪/୫ (ଘୋଷଣା)। ଶ୍ରୀଲଙ୍କା ପ୍ରଥମ ପାଳି: ୨୧୫। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୧୯୬/୩ (ଘୋଷଣା)। ଶ୍ରୀଲଙ୍କା ଦ୍ବିତୀୟ ପାଳି (ଲକ୍ଷ୍ୟ ୫୧୬): ୫୧ ଓଭରରେ ୧୪୯ (କୁଶଲ ମେଣ୍ଡିସ୍ ୪୨, ଲାହିରୁ ଥିରିମାନେ ୩୦, ନିରୋଶାନ ଡିକୱେଲା ୨୭, ମିଚେଲ ଷ୍ଟାର୍କ ୫/୪୬, ପ୍ୟାଟ୍ କମିନ୍ସ ୩/୧୫)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe