ଭୁବନେଶ୍ୱର: ଓଡ଼ିଶାରେ ଫୁଟ୍ବଲ୍ର ବ୍ୟାବକ ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିବା ପରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହାର ଅଂଶବିଶେଷ ଭାବେ ଖେଳାଳି ଓ ପ୍ରଶିକ୍ଷକଙ୍କ ସ୍ତରକୁ ଉପରକୁ ନେବା ଲାଗି ଆବଶ୍ୟକ ହେଉଥିବା ପ୍ରଶିକ୍ଷଣକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହି ମର୍ମରେ ଶନିବାରଠାରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କିଟ୍ ପରିସରରେ ବଛା ବଛା ପ୍ରଶିକ୍ଷକଙ୍କୁ ନେଇ ଏକ ରିଫ୍ରେସର୍ ପାଠ୍ୟକ୍ରମ ଆରମ୍ଭ ହେଉଛି। ୪ ଦିନିଆ ଏହି ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ଶନିବାର ଓଡ଼ିଶା ଆସୁଛନ୍ତି ଦେଶର ଜଣାଶୁଣା ଫୁଟ୍ବଲ୍ ପ୍ରଶିକ୍ଷକ ତଥା ସର୍ବଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫ୍ଏଫ୍)ର ବୈଷୟିକ ନିର୍ଦେଶକ ସାଭିଓ ମାଡିରା। ଖେଳାଳିରୁ ଫୁଟ୍ବଲ୍ ପ୍ରଶିକ୍ଷକ ବନିଥିବା ଏହି ଗୋଆ ଫୁଟ୍ବଲ୍ ବ୍ୟକ୍ତିତ୍ୱ ଓଡ଼ିଶାର ୨୫ ଜଣ ଆଗଧାଡ଼ିର ଫୁଟ୍ବଲ୍ ପ୍ରଶିକ୍ଷକଙ୍କୁ ବିଭିନ୍ନ ଦିଗରୁ ପ୍ରଶିକ୍ଷଣ ପ୍ରଦାନ କରିବେ। କ୍ରୀଡ଼ା ଓ ଯୁବସେବା ବିଭାଗ ୧୫ ଜଣଙ୍କୁ ମନୋନୀତ କରିଥିବାବେଳେ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ୧୦ ଜଣଙ୍କୁ ବାଛିଛି। ଏମାନଙ୍କ ସହିତ ଖେଳାଳିଙ୍କୁ ମଧ୍ୟ ସାଭିଓ ମାଡିରା ପ୍ରଶିକ୍ଷଣ ପ୍ରଦାନ କରିବେ। ରାଜ୍ୟର ୧୫ ଓ ୧୮ ବର୍ଷରୁ କମ୍ ଆଇ ଲିଗ୍ ଦଳ ସଦସ୍ୟଙ୍କ ସହିତ କଟକ କ୍ରୀଡ଼ା ଛାତ୍ରାବାସରୁ କିଛି ଅନ୍ତେବାସୀଙ୍କୁ ନେଇ ପ୍ରାୟ ୧୦୦ ଜଣ ଯୁବ ଖେଳାଳିଙ୍କ ସମ୍ପୃକ୍ତି ସେମାନଙ୍କୁ ମଧ୍ୟ ନୂଆ ଅଭିଜ୍ଞତା ପ୍ରଦାନ କରିବ। ସୂଚନାଯୋଗ୍ୟ, ୧୯୮୩ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସାଲଗାଓଁକର ପାଇଁ ଖେଳିଥିବା ସାଭିଓ ମାଡିରା ବିଗତ ଦୁଇ ଦଶନ୍ଧି ଧରି ସାଲଗାଓଁକର ଏବଂ ଭାରତୀୟ ଦଳ ସହ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇ ସାରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us