ଦ୍ୱିତୀୟ ଟ୍ବେଣ୍ଟି-୨୦ଆଜି: ଶୃଙ୍ଖଳା ବିଜୟ ଉପରେ ନଜର

Advertisment
ଲାୟନ ସର୍ବଶ୍ରେଷ୍ଠ ବିଦେଶୀ ବୋଲର: ରୋହିତ

କୋଲକାତା : ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନିକିଆ ଆଜି ଖେଳାଯିବ। ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ଜିତି ଭାରତ ୧-୦ରେ ଆଗୁଆ ଥିବାରୁ ଏହି ମ୍ୟାଚ୍‌ରେ ଭାରତ ପାଖରେ ଲଗାତାର ଦ୍ବିତୀୟ ଶୃଙ୍ଖଳା ବିଜୟ ହାସଲ କରିବାର ସୁଯୋଗ ରହିବ। ଏହା ପୂର୍ବରୁ ଖେଳିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଭାରତ ୩-୦ରେ ପୋଛି ନେଇଥିଲା।

ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ତା’ର ଶ୍ରେଷ୍ଠ ଫର୍ମରେ ନଥିବାରୁ ଶୁକ୍ରବାର ହିଁ ଭାରତ ଶୃଙ୍ଖଳା ବିଜୟ ହାସଲ କରିନେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଏହା ହେଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଭାରତର ପୂର୍ଣ୍ଣକାଳୀନ ଅଧିନାୟକ ନିଯୁକ୍ତ ହେବା ପରେ ବ୍ୟକ୍ତିଗତ ଭାବେ ଲଗାତାର ତୃତୀୟ ଶୃଙ୍ଖଳା ବିଜୟ ହାସଲ କରିବେ। ତଥାପି ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ବଡ଼ ଚିନ୍ତାର ବିଷୟ ‌ହୋଇପାରେ। କାରଣ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳା ଏବଂ ପ୍ରଥମ ଟ୍ବେଣ୍ଟି-୨୦ର ଚାରିଟି ପାଳିକୁ ମିଶାଇ ମାତ୍ର ୪୫ (୮, ୧୮, ୦, ୧୭) ରନ୍ କରିଛନ୍ତି। ଅଧିନାୟକ ରୋହିତ କିନ୍ତୁ କୋହଲିଙ୍କୁ ଦୃଢ଼ ସମର୍ଥନ ଦେଇଛନ୍ତି। ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ମଧ୍ୟ କୋହଲି ଖୁବଶୀଘ୍ର ଏକ ଭଲ ପାଳି ଖେଳିବେ ବୋଲି ଦୃଢ଼ ଆଶା ରଖିଛନ୍ତି।

ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ନିର୍ଭରଯୋଗ୍ୟ ଶ୍ରେୟସ୍ ଆୟରଙ୍କ ବଦଳରେ ଯୁବ ତାରକା ଭେଙ୍କଟେଶ ଆୟରଙ୍କୁ ଖେଳାଇଥିଲା। ଭେଙ୍କଟେଶ ଷଷ୍ଠ ବୋଲର ବିକଳ୍ପ ପ୍ରଦାନ କରୁଥିବାରୁ ତାଙ୍କୁ ଦଳରେ ସୁଯୋଗ ମିଳିଥିବା ରୋହିତ ସ୍ପଷ୍ଟ ଭାବେ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏଣୁ ଶୁକ୍ରବାର ମୁକାବିଲାରେ ଶ୍ରେୟସ୍ ଦଳକୁ ଫେରିବାର ସମ୍ଭାବନା ପ୍ରାୟ ନାହିଁ। ବିଜୟ ସନ୍ତୁଳନକୁ ବିଗାଡ଼ିବାକୁ ଚାହୁଁ ନଥିବା ଭାରତୀୟ ଦଳ କିନ୍ତୁ ଦ୍ରୁତ ବୋଲର ଦୀପକ ଚହରଙ୍କୁ ନେଇ ଚିନ୍ତାରେ ରହିଛି। ପ୍ରଥମ ଟ୍ବେଣ୍ଟି-୨୦ରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ତାଙ୍କ ଡାହାଣ ହାତରେ ଆ‌ଘାତ ଲାଗିଥିଲା। ସେଥିପାଇଁ ୪ ଓଭର ପରିବର୍ତ୍ତେ ୩ ଓଭର ବୋଲିଂ କରିଥିଲେ। ଚହର ଯଦି ପୂରା ସୁସ୍ଥ ନ ହୋଇ ପାରନ୍ତି, ତେବେ ତାଙ୍କ ସ୍ଥାନରେ ଶାର୍ଦୁଳ ଠାକୁର କିମ୍ବା‌ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ।

ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ୟୁଜବେନ୍ଦ୍ର ଚହଲ ଏବଂ ରବି ବିଷ୍ଣୋଇଙ୍କ ରୂପରେ ଦୁଇ ଜଣ ସ୍ପିନର ଖେଳାଇଥିଲା। ପଦାର୍ପଣକାରୀ ବିଷ୍ଣୋଇ ଏବଂ ଚହଲ ମଧ୍ୟ ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଶୁକ୍ରବାର ଉଭୟ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ବଜାୟ ରଖିବା ଏକପ୍ରକାର ନିଶ୍ଚିତ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ଙ୍କୁ ଆହୁରି ଦାୟିତ୍ବବାନ ହେବାକୁ ପଡ଼ିବ। କାରଣ ପ୍ରଥମ ଟ୍ବେଣ୍ଟି-୨୦ରେ ନିକୋଲାସ ପୂରନଙ୍କ ଛଡ଼ା ଅନ୍ୟ କୌଣସି ଇଣ୍ଡିଜ୍ ବ୍ୟାଟର୍‌ ବଡ଼ ସ୍କୋର କରି ପାରିନଥିଲେ। ସେହିଭଳି ଅଧିନାୟକ କିରଣ ପୋଲାର୍ଡଙ୍କୁ ସପ୍ତମ ପରିବର୍ତ୍ତେ ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ସେହିଦୃଷ୍ଟିରୁ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଇଣ୍ଡିଜ୍ ବ୍ୟାଟିଂକ୍ରମ ସହ ଚୂଡ଼ାନ୍ତ ଏକାଦଶରେ କିଛିଟା ଅଦଳ ବଦଳ ଆଶା କରାଯାଇପାରେ। ଅଲରାଉଣ୍ଡର ଜାସନ ହୋଲ୍ଡର ଫିଟ୍ ହେବା ପରେ ଦଳକୁ ଫେରି ପାରନ୍ତି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ହର୍ଷଲ ପଟେଲ, ଶାର୍ଦୁଳ ଠାକୁର, ରବି ବିଷ୍ଣୋଇ, ଭୁବ‌ନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: କାଇଲ ମେୟର୍ସ, ବ୍ରାଣ୍ଡନ୍ କିଙ୍ଗ୍, ନିକୋଲାସ ପୂରନ, ରସ୍ତନ ଚେଜ୍, କିରଣ ପୋଲାର୍ଡ (ଅଧିନାୟକ), ରୋଭମନ ପା‌ୱେଲ, ଜାସନ ହୋଲ୍ଡର, ଓଡେନ୍ ସ୍ମିଥ୍, ରୋମାରିଓ ସେପାର୍ଡ, ଫାବିଏନ୍ ଆଲେନ୍, ସେଲଡନ୍ କ‌ଟ୍ରେଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe