ESPNcricinfo
ନଟିଂହାମ: ଡାରିଲ ମିଚେଲଙ୍କ କ୍ରମାଗତ ଶତକ ବଳରେ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ସ୍ଥିତି ମଜବୁତ୍ କରିନେଇଛି। ପ୍ରଥମ ଟେଷ୍ଟ୍ରେ ଶତକ ଜମାଇଥିବା ମିଚେଲ ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ମଧ୍ୟ ଶତକୀୟ ପାଳି ଖେଳିଛନ୍ତି। ତଥାପି ସେ ମାତ୍ର ୧୦ ରନ୍ ପାଇଁ ଦ୍ବିଶତକରୁ ବଞ୍ଚିତ ରହିଛନ୍ତି। ତାଙ୍କ ୧୯୦ ରନ୍ ସାଙ୍ଗକୁ ଟମ୍ ବ୍ଲଣ୍ଡେଲ (୧୦୬)ଙ୍କ ଶତକୀୟ ପାଳି ବଳରେ ଦ୍ବିତୀୟ ଦିବସରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୫୫୩ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଉଭୟେ ମିଚେଲ ଓ ବ୍ଲଣ୍ଡେଲ ଷଷ୍ଠ ୱିକେଟ୍ରେ ୨୯୧ ରନ୍ ଯୋଡ଼ିଥିଲେ। ଶେଷରେ ଅପରାଜିତ ଥିବା ଟ୍ରେଣ୍ଟ୍ ବୋଲ୍ଟ (୧୬)ଙ୍କୁ ସାଥୀ କରି ମିଚେଲ ଶେଷ ୱିକେଟ୍ରେ ୩୩ ରନ୍ ଯୋଡ଼ିଥିଲେ। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ (୩/୬୨), ଷ୍ଟୁଆର୍ଟ ବ୍ରଡ୍ (୨/୧୦୭), ବେନ୍ ଷ୍ଟୋକ୍ସ (୨/୮୫), ଜାକ୍ ଲିଚ୍ (୨/୧୪୦) ଏବଂ ମାଟି ପଟ୍ସ (୧/୧୨୬) ୱିକେଟ୍ ବାଣ୍ଟି ନେଇଥିଲେ। ଜବାବରେ ଘରୋଇ ଇଂଲଣ୍ଡ ରିପୋର୍ଟ ଲେଖା ହେଲା ବେଳକୁ ଗୋଟିଏ ୱିକେଟ୍ ବିନିମୟରେ ୭୦ ରନ୍ କରିଛି। ଏଥି ସହିତ ହାତରେ ୯ ୱିକେଟ୍ ଥାଇ ନ୍ୟୁଜିଲାଣ୍ଡ ସ୍କୋର୍ଠାରୁ ୪୮୩ ପଛରେ ରହିଛି। ଜାକ୍ କ୍ରଲିଙ୍କୁ ଦ୍ବିତୀୟ ଓଭରରେ ହିଁ ବୋଲ୍ଟ ପାଭିଲିୟନ୍ ପଠାଇ ଦେଇଥିଲେ।
Follow Us