Photograph: (CLTI)
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଯୁକ୍ତ୨ ଇଣ୍ଟରନାଲ୍ ଆସେସ୍ମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି। ଫର୍ମ ପୂରଣ କରିଥିବା ସମସ୍ତ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏହି ପରୀକ୍ଷା ବାଧ୍ୟତାମୂଳକ। ଅନ୍ୟଥା ଫେଲ୍ ବୋଲି ଘୋଷଣା କରାଯିବ। ତେବେ ଡିସେମ୍ବରରେ ପରୀକ୍ଷା ଦେଇ ନ ପାରିଲେ ପରୀକ୍ଷାର୍ଥୀଙ୍କୁ ଆଉ ଥରେ ସୁଯୋଗ ମିଳିବ। ସେମାନେ ଜାନୁଆରି ୧୦ରୁ ୧୫ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଆସେସ୍ମେଣ୍ଟରେ ଭାଗ ନେଇପାରିବେ। ଆହୁରି ସ୍ପଷ୍ଟ କରାଯାଇଛି ଯେ ଗୋଟିଏ ସମୟରେ ବିଜ୍ଞାନ, କଳା, ବାଣିଜ୍ୟ, ପତ୍ରମାଧ୍ୟମ ପାଠ୍ୟକ୍ରମ ସହ ଧନ୍ଦାମୂଳକ ପାଠ୍ୟକ୍ରମ ବିଷୟଗୁଡ଼ିକର ଇଣ୍ଟରନାଲ୍ ଆସେସ୍ମେଣ୍ଟ ଅନୁଷ୍ଠିତ ହେବ। ୪୫ ମିନିଟ୍ର ପରୀକ୍ଷା କରାଯିବ, ଯାହାର ସମ୍ପୂର୍ଣ୍ଣ ମାର୍କ ୧୦ କିମ୍ବା ୨୦ ରହିବ। ପରୀକ୍ଷାର୍ଥୀଙ୍କୁ ୨୦ ମାର୍କ ବିଶିଷ୍ଟ ବିଷୟରେ ୬ ମାର୍କ ଏବଂ ୧୦ରୁ ୩ ମାର୍କ ରଖିବା ବାଧ୍ୟତାମୂଳକ।
୨୦ ମାର୍କ ବିଶିଷ୍ଟ ପ୍ରୋଜେକ୍ଟଗୁଡ଼ିକର ଅବଧି ୨ ଘଣ୍ଟା ଧାର୍ଯ୍ୟ ହୋଇଛି। ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ କୌଣସି ପ୍ରକାର ଇଣ୍ଟରନାଲ ଆସେସ୍ମେଣ୍ଟ ଦେବାକୁ ପଡ଼ିବ ନାହିଁ। ଇଣ୍ଟରନାଲ୍ ଆସେସ୍ମେଣ୍ଟ ପାଇଁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ବିଷୟଭିତ୍ତିକ ଶିକ୍ଷକ ନିୟମ ଅନୁଯାୟୀ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ। ପ୍ରୋଜେକ୍ଟ ୱାର୍କ ଅତି ବେଶୀରେ ୬ ପୃଷ୍ଠା ବିଶିଷ୍ଟ ହେବ। ପରୀକ୍ଷା ସମେତ ମୂଲ୍ୟାୟନ ପରି ବିଭିନ୍ନ କାର୍ଯ୍ୟକ୍ରମ ସିସିଟିଭି ନଜରରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। କୌଣସି ପ୍ରକାର କମ୍ପ୍ୟୁଟରାଇଡ୍ ମାର୍କ ଫଏଲ୍ ରହିବ ନାହିଁ। ପରୀକ୍ଷାଫଳ ପ୍ରକାଶ ପାଇବାର ୬ ମାସ ପର୍ଯ୍ୟନ୍ତ ମାର୍କଗୁଡ଼ିକ ସଂରକ୍ଷିତ କରି ରଖିବାକୁ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
Follow Us