ସେହବାଗଙ୍କ ମୁଣ୍ଡର ଚୂଳଠୁ ମୋ ପାଖରେ ଅଧିକ ଅର୍ଥ ଅଛି: ଅଖତର

Advertisment
ସେହବାଗଙ୍କ ମୁଣ୍ଡର ଚୂଳଠୁ ମୋ ପାଖରେ ଅଧିକ ଅର୍ଥ ଅଛି: ଅଖତର

ନୂଆଦିଲ୍ଲୀ/କରାଚୀ: ବିଗତ ଦିନର ଦୁଇ ତାରକା ଖେଳାଳି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ ଏବଂ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତରଙ୍କ ମଧ୍ୟରେ ହୋଇଥିବା ପରୋକ୍ଷ ବାକ୍ୟ ବିନିମୟ ଏବେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ମନୋରଂଜନର ଖୋରାକ ଯୋଗାଇଛି। ସେହବାଗଙ୍କ ଏକ ୩ ବର୍ଷ ତଳର ଭିଡିଓକୁ ସୋଏବ ଅଖତର ମଜାଳିଆ ଢଙ୍ଗରେ ଏହାକୁ ଉପସ୍ଥାପନ କରିଛନ୍ତି। ୨୦୧୬ ମସିହାର ଏହି ଭିଡିଓରେ ସେହବାଗ କହିଥିଲେ, ‘ସୋଏବ ଅଖତର୍‌ ଅର୍ଥ ପାଇଁ ଭାରତର ପ୍ରଶଂସା କରିଥାନ୍ତି’। ଅଖତର୍‌ଙ୍କ ପାଇଁ ଏହା ଅସହ୍ୟ ହେବାରୁ ସେ ନିଜ ୟୁଟୁବ୍‌ ଚାନେଲ୍‌ରେ ଏକ ପରିହାସଭରା ଟିପ୍ପଣୀ ରଖିଛନ୍ତି। ଏଥିରେ ସେ କହିଛନ୍ତି ‘ତାଙ୍କ (ସେହବାଗ) ମୁଣ୍ଡରେ ଯେତିକି ଚୂଳ ଅଛି, ତାଠାରୁ ମୋ ପାଖରେ ସମ୍ଭବତଃ ଅଧିକ ଅର୍ଥ ଅଛି’। ଏହା କହିସାରି ‌ଅଖତର୍‌ ମଧ୍ୟ ତୁରନ୍ତ ଉଲ୍ଲେଖ କରିଛନ୍ତି ‘ଏହାକୁ ମୁଁ ମଜାଳିଆ ଢଙ୍ଗରେ କହିଛି, ଏହାକୁ ଥଟ୍ଟା ଭାବେ ନେବ ବୀରୁ’।

ସୂଚନାଯୋଗ୍ୟ ୨୦୧୬ ମସିହାର ଏକ ସୋ’ରେ ସେହବାଗ କହିଥିଲେ ‘‘ଅଖତର୍‌ ଓ ମୁଁ ଭଲ ବଂଧୁ, ଭାରତରେ ବ୍ୟବସାୟ କରିବାକୁ ସେ ଆମ ଦେଶର ପ୍ରଶଂସା କରିଥାନ୍ତି। ତାଙ୍କର ପ୍ରତିଟି ସାକ୍ଷାତ‌କାର ଦେଖିଲେ ଏହା ଆପଣ ଜାଣିପାରିବେ। ଏଭଳି ପ୍ରଶଂସା ସେ ତାଙ୍କ ଖେଳ ଜୀବନରେ କରୁ ନଥିଲେ।’’

ଗତ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦିନିକିଆ ଶୃଙ୍ଖଳା ବିଜୟ ପରେ ଅଖତର ମଧ୍ୟ କୋହଲି ବାହିନୀକୁ ପ୍ରଶଂସା କରିଥିଲେ। ସେହବାଗଙ୍କ କଥାକୁ କାଟିବାକୁ ଯାଇ ଅଖତର୍‌ କହିଛନ୍ତି ‘ଭାରତ ଭଲ ଖେଳୁଥିବା ବେଳେ କାହିଁକି ପ୍ରଶଂସା କରାଯିବନାହିଁ। ଭାରତକୁ ପ୍ରଶଂସା କରିବାରେ ମୁଁ ପ୍ରଥମ ପାକିସ୍ତାନୀ ନୁହେଁ। ପୂର୍ବରୁ ରମିଜ ରାଜା, ସାହିଦ ଆଫ୍ରିଦି ମଧ୍ୟ ପ୍ରଶଂସା କରିଛନ୍ତି। ମୁଁ କ୍ରିକେଟ୍ ସମ୍ପର୍କରେ କୌଣସି ମତ ଦେବାବେଳେ ଏତେ ସମସ୍ୟା କାହିଁକି ବୋଲି ଅଖତର ପ୍ରଶ୍ନ କରିଛନ୍ତି। ମୁଁ ଏବେ କେବଳ ମୋ ୟୁଟୁବ୍‌ ଚାନେଲ୍‌ ପାଇଁ ଖ୍ୟାତ ନୁହେଁ, ପାକିସ୍ତାନ ପାଇଁ ୧୫ ବର୍ଷ ଖେଳିଛି ଏବଂ ବିଶ୍ବର ଦ୍ରୁତତମ ବୋଲର ଥିଲି’ ବୋଲି ଅଖତର ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe