ପାକ୍‌ ବୋଲରଙ୍କ ୨ ବଲ୍‌ରୁ ୨୧ ରନ୍‌ କରିଥିଲେ ସେହବାଗ୍‌

Advertisment
ପାକ୍‌ ବୋଲରଙ୍କ ୨ ବଲ୍‌ରୁ ୨୧ ରନ୍‌ କରିଥିଲେ ସେହବାଗ୍‌

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପ୍‌ନର ବୀ‌ରେନ୍ଦ୍ର ସେହବାଗ୍‌ଙ୍କୁ କ୍ରିକେଟ୍‌ରେ ଅନ୍ୟତମ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ କରାଯାଏ। ଆରମ୍ଭରୁ ବୋଲରଙ୍କୁ ପ୍ରହାର କରି ସେ ଭାରତୀୟ ଖେଳାଳିଙ୍କ ମାନସିକତା ବଦଳାଇଦେବା ସାଙ୍ଗକୁ ଦଳର ଅତି ଆବଶ୍ୟକ ବେଳେ ମ୍ୟାଚ୍‌ର ଗତି ମଧ୍ୟ ବଦଳାଇବାର ସାମର୍ଥ୍ୟ ରଖିଥା’ନ୍ତି। ସେ ମଧ୍ୟ ଭାରତର ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଯିଏକି କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ ବିସ୍ଫୋରକ ଆରମ୍ଭ କରିବାର ପ୍ରମାଣ ଛାଡ଼ିଯାଇଛନ୍ତି। ତାଙ୍କ ଖେଳ ଜୀବନ ମଧ୍ୟରେ ଏପରି ଏକ ପରିସଂଖ୍ୟାନ ରହିଛି ଯାହାକୁ କି ଅଧିକାଂଶ ହୁଏତ ଜାଣିନଥିବେ କିମ୍ବା ମନେ ରଖିନଥିବେ। ସେଭଳି ଘଟଣାଟି ହେଉଛି ସେହବାଗ୍‌ ପାକିସ୍ତାନ ବିପକ୍ଷ ଏକ ମ୍ୟାଚ୍‌ରେ ୨ଟି ବଲ୍‌ରୁ ୨୧ ରନ୍‌ ଆଦାୟ କରିବ। ୨୦୦୪ରେ ପାକିସ୍ତାନ ଗସ୍ତ କରିଥିବା ଭାରତୀୟ ଦଳ କରାଚିରେ ପ୍ରଥମ ଦିନିକିଆ ଖେଳିଥିଲା। ସେହି ମ୍ୟାଚ୍‌ରେ ପାକିସ୍ତାନ ଦ୍ରୁତ ବୋଲର ରାଣା ନବିଦ୍‌ ଉଲ୍‌ ହକ୍‌ଙ୍କ ୨ଟି ବଲ୍‌ରେ ସେ ୨୧ ରନ୍‌ କରିଥିଲେ।

ତେବେ ସେହବାଗ୍‌ ଏହି ୨୧ ରନ୍‌ ତାଙ୍କ ବ୍ୟାଟ୍‌ ଜରିଆରେ କରିନଥିଲେ। ଅବଶ୍ୟ ରାଣାଙ୍କ ୫ ନୋ-ବଲ୍‌ ଯୋଗୁଁ ହିଁ ସେହବାଗ୍‌ଙ୍କ ଖାତାରେ ୨୧ ରନ୍ ଯୋଡ଼ି ହୋଇଥିଲା। ମ୍ୟାଚ୍‌ର ଏକାଦଶ ଓଭର ବୋଲିଂ କରିବାକୁ ଆସିଥିବା ରାଣାଙ୍କ ପ୍ରଥମ ୭ ବଲ୍‌ରୁ ସେହବାଗ୍‌ ୪ଟି ଚୌକା ମାରିଥିଲେ। ସେଥିରୁ ୫ ନୋ-ବଲ୍‌ ରନ୍‌ ଥିଲା। ଯାହାକି ବୈଧ ୨ ବଲ୍‌ରୁ ୨୧ ରନ୍‌ ଆଦାୟ କରିବାର ମାଇଲଖୁଣ୍ଟ ଛୁଇଁବାରେ ସେହବାଗ୍‌ଙ୍କୁ ସହାୟକ ହୋଇଥିଲା। ରା‌ଣା ତାଙ୍କ ଓଭରର ପ୍ରଥମ ଦୁଇଟି ବଲ୍‌ ଲାଗଲାଗ ନୋ ପକାଇଥିଲେ। ହେଲେ ଉଭୟ ବଲ୍‌କୁ ସେହବାଗ୍‌ ବାଉଣ୍ଡାରି ମାରିଥିଲେ। ତୃତୀୟ ବଲ୍‌ ବି ନୋ ଥିଲା। ହେଲେ ସେହବାଗ୍‌ ବ୍ୟାଟ୍‌ ଛୁଆଁଇବାରେ ସମର୍ଥ ହୋଇନଥିବାରୁ ଗୋଟିଏ ଅତିରିକ୍ତ ରନ୍‌ ମିଳିଥିଲା। ଏହାପରେ ରାଣା ବୋଲିଂ କରିଥିବା ପ୍ରଥମ ବୈଧ ବଲ୍‌ ଡଟ୍‌ ଥିଲା। କୌଣସି ରନ୍‌ ସେହବାଗ୍‌ ନେଇପାରିନଥିଲେ।

ଏହାର ପରବର୍ତୀ ଦୁଇଟି ବଲ୍‌ ପୁଣି ନୋ ଥିଲା। ଯେଉଁଥିରୁ ସେହବାଗ୍‌ ଗୋଟିଏ ଚୌକା ଓ ଗୋଟିଏ ଅତିରିକ୍ତ ରନ୍‌ ଆଦାୟ କରିଥିଲେ। ତେବେ ମୋଟ ଉପରେ ସପ୍ତମ ତଥା ଦ୍ବିତୀୟ ବୈଧ ବଲ୍‌କୁ ସେହବାଗ୍‌ ଚୌକା ମାରିଥିଲେ। ଫଳରେ ସେହି ଓଭରରୁ ୭ ବଲ୍‌ ହେଲେ ୨ଟି ବୈଧ ବଲ୍‌ ଖେଳି ସେହବାଗ୍‌ ୨୧ ରନ୍‌ ସ୍କୋର୍‌ କରିବାର ମାଇଲଖୁଣ୍ଟ ଏବେ ବି ତାଜା ରହିଛି। ଅବଶ୍ୟ ୧୫ତମ ଓଭରରେ ସେହି ରାଣା ନବିଦ୍‌ ସେହବାଗ୍‌ଙ୍କ ୱିକେଟ୍‌ ଦଖଲ କରିଥିଲେ। ତଥାପି ସେହି ଓଭରର ପ୍ରଥମ ବଲ୍‌କୁ ସେହବାଗ୍‌ ଛକା ମାରିବା ପରେ ହିଁ ଆଉଟ୍‌ ହୋଇଥିଲେ। ସେହବାଗ୍‌ଙ୍କ ମାଇଲଖୁଣ୍ଟ ବଳରେ ଭାରତ ସେହି ମ୍ୟାଚ୍‌କୁ ୫ ରନ୍‌ରେ ଜିତି ନେଇଥିଲା। ସେହବାଗ୍‌ ୫୭ ବଲ୍‌ରୁ ୭୯ ରନ୍‌ କରିଥିଲେ। ଏପରିକି ସେହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ଇଞ୍ଜାମାମ୍‌ ଉଲ୍‌ ହକ୍‌ (୧୨୨) ଏବଂ ଭାରତର ରାହୁଲ ଦ୍ରାବିଡ୍‌ (୯୯)ଙ୍କ ପଛକୁ ସେବହାଗ୍‌ ହିଁ ତୃତୀୟ ସର୍ବାଧିକ ସ୍କୋରର୍‌ ରହିଥିଲେ। ଇଞ୍ଜାମାମ୍‌ଙ୍କ ଶତକ ବେକାର ଯାଇଥିଲା ବେଳେ ରାଣା ନବିଦ୍‌ ସେହି ମ୍ୟାଚ୍‌ରେ ଖଳନାୟକ ବନିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe