ଆତ୍ମରକ୍ଷା ପ୍ରଶିକ୍ଷଣ: ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶର ମାଧ୍ୟମ

Advertisment
ଆତ୍ମରକ୍ଷା ପ୍ରଶିକ୍ଷଣ: ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶର ମାଧ୍ୟମ

ସାରା ଭାରତ ବର୍ଷରେ ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ଗ୍ରହଣ କରିଛି। ୨୦୧୩ ମସିହାରୁ ରାଜ୍ୟ ସରକାରଙ୍କର ଯୁବନୀତି ମାଧ୍ୟମରେ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ସରକାର ୧୭ ଲକ୍ଷରୁ ଉର୍ଦ୍ଧ୍ୱ ସ୍କୁଲ କଲେଜ ଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଣାଳୀ “ରିଆକ୍ଟ” ପ୍ରଶିକ୍ଷଣ ଦେଇସାରିଲେଣି। ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା, ସାମରିକ କଳାବିଶାରଦ ତଥା ଆତ୍ମରକ୍ଷା ବିଶେଷଜ୍ଞ ଡ଼ଃ. ହରିପ୍ରସାଦ ପଟ୍ଟନାୟକଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକ ମହିଳା ଆତ୍ମରକ୍ଷା କୌଶଳ ପାଠ୍ୟକ୍ରମ “ରିଆକ୍ଟ”କୁ ରାଜ୍ୟ ସରକାର ଆତ୍ମରକ୍ଷା ଖସଡ଼ା ଭାବେ ଗ୍ରହଣ କରିବା ପରେ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା।

ପ୍ରଥମରୁ ୨ ଥାକିଆ ପ୍ରଣାଳୀରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଥିଲା। ଡିଗ୍ରୀ କଲେଜରୁ ଛାତ୍ରମାନଙ୍କୁ ଆଣି ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲଠାରେ ଏକ୍ସପର୍ଟ ଟ୍ରେନର ମାଧ୍ୟମରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ମାଷ୍ଟର ଟ୍ରେନର ଭାବେ ଗଢ଼ାଯାଉଥିଲା। ଏହି ମାଷ୍ଟର ଟ୍ରେନରମାନେ ଯାଇ ତାଙ୍କ କଲେଜର ଅନ୍ୟ ଝିଅମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରୁଥିଲେ। କାଳକ୍ରମେ ସରକାର ଅନୁଭବ କଲେ ଯେ ଏହି ପ୍ରଣାଳୀରେ ପ୍ରଶିକ୍ଷଣ ସଠିକ୍ ଭାବେ ହୋଇପାରୁ ନାହିଁ। ଏହାର ଅନେକଗୁଡ଼ିଏ କାରଣ ଅଛି। ଆତ୍ମରକ୍ଷା “ରିଆକ୍ଟ”ର ଶ୍ରଷ୍ଠା ଉତ୍କଳ କରାଟେ ସ୍କୁଲର ଏକ୍ସପର୍ଟ ଟ୍ରେନରମାନଙ୍କ ପାଖରେ ପ୍ରଶିକ୍ଷଣ ନେଉଥିବା ପିଲାଟି ଯେପରି ଶିଖିପାରୁଛି ପରବର୍ତ୍ତୀ କାଳରେ ସେ ନିଜେ ପ୍ରଶିକ୍ଷଣ ଦେଲାବେଳକୁ ପ୍ରଶିକ୍ଷଣର କୌଶଳର ମାନ ଅନେକ ପରିମାଣରେ ହ୍ରାସ ହୋଇ ଏକ ପ୍ରହସନରେ ପରିଣତ ହେଉଛି। ଏଥିସହ କଲେଜଗୁଡ଼ିକରେ ପ୍ରଶିକ୍ଷଣ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଯଥା-ପ୍ରଶିକ୍ଷଣ ଗୃହ, ରବର ମାର୍ଟ, ଷ୍ଟ୍ରାଇକିଂ ଡମି ଓ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ନାହିଁ। ଅନେକ କଲେଜରେ ଅଧ୍ୟାପକ ଓ ଅଧ୍ୟକ୍ଷମାନେ ଶିକ୍ଷାଦାନ ପରେ ଏହି ପ୍ରଶିକ୍ଷଣ କୁ ବିଦ୍ଧିବଦ୍ଧ ଭାବେ କରୁନାହାଁନ୍ତି ବା କରିବାର ଆଗ୍ରହ ମଧ୍ୟ ରଖୁ ନାହାଁନ୍ତି। ନିଜର ସାଙ୍ଗ ଝିଅଙ୍କ ପାଖରୁ ଏହି ପ୍ରଶିକ୍ଷଣ ନେବା ପାଇଁ ପିଲାମାନେ ଉତ୍ସାହୀ ହେଉନାହାଁନ୍ତି। ଅନେକ ସ୍ଥାନରେ ୧୫ଦିନର ଦୁଇ ଘଣ୍ଟା ପ୍ରଶିକ୍ଷଣକୁ କେବଳ କାଗଜ ପତ୍ର ଓ ଫଟୋ ଉଠାଇ ସାରିଦେଉଛନ୍ତି। ଯାହାଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ସୁଫଳ ମିଳିପାରୁନାହିଁ। ଏହି ସବୁ କାରଣଗୁଡ଼ିକୁ ଅନୁଧ୍ୟାନ କରି ଉଚ୍ଚଶିକ୍ଷା ବିଭାଗ ସ୍ଥିର କଲେ ଯେ ଯେତିକି ଛାତ୍ରୀ ସ୍ୱେଚ୍ଛାକୃତ ଭାବେ ଏହି “ରିଆକ୍ଟ” ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ନେବାପାଇଁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ସିଧାସଳଖ ମୁଖ୍ୟ ପ୍ରଶିକ୍ଷଣ କେନ୍ଦ୍ରଠାରେ ପ୍ରଶିକ୍ଷଣ ଦିଆଯିବ ଫଳରେ ଶିକ୍ଷାର ମାନ ଅତୁଟ ରହିବା ସହ ସେମାନଙ୍କର ସାମଗ୍ରୀକ ବ୍ୟକ୍ତିତ୍ୱର ବିକାଶ ହେବ। ଏହାପରେ ସେମାନଙ୍କ କଲେଜରେ ଯଦି ଅନ୍ୟ ଛାତ୍ରୀମାନେ ଚାହିଁବେ ତେବେ ଏହି ପ୍ରଶିକ୍ଷଣପ୍ରାପ୍ତ ଛାତ୍ରୀଙ୍କ ସହ ସେମାନେ ଅଭ୍ୟାସ କରିପାରିବେ। ସେଥିପାଇଁ କୌଣସି ଖର୍ଚ୍ଚ ଅନୁମୋଦନ ହେବ ନାହିଁ।

ଏହି ସିଧାସଳଖ ପ୍ରଶିକ୍ଷଣ ପ୍ରଣାଳୀକୁ ଓଡ଼ିଶା ସରକାରଙ୍କର ଅନୁମୋଦନ ନିଆଯାଇ ଗତ ୨୦୨୧-୨୨ ମସିହା ଶିକ୍ଷାବର୍ଷରେ ରାଜ୍ୟର ସବୁ ଜିଲ୍ଲାରୁ ୧୨୬୩ ଛାତ୍ରୀଙ୍କୁ ୧୩ଟି ବ୍ୟାଚ୍‌ରେ ଭୁବନେଶ୍ୱର ଅଣାଯାଇ ଉତ୍କଳ କରାଟେ ସ୍କୁଲଠାରେ ଏକ୍ସପର୍ଟ ଟ୍ରେନରମାନଙ୍କ ମାଧ୍ୟମରେ ୭ଦିନ ଲେଖାଏଁ “ରିଆକ୍ଟ” ଆତ୍ମରକ୍ଷା ପ୍ରଶିକ୍ଷଣ ସହ ଅନ୍ୟାନ୍ୟ ଟ୍ରେନିଂ ସଫଳ ଭାବେ ପ୍ରଦାନ କରାଯାଇଥିଲା। ଆତ୍ମରକ୍ଷାର ମାନସିକ ଦିଗ, ଶାରିରୀକ ପ୍ରସ୍ତୁତି କୌଶଳ, ସତର୍କତା, ଶୃଙ୍ଖଳା, ସାହସ, କ୍ୟାରିଅର କାଉନ୍‌ସିଲିଙ୍ଗ, ବ୍ୟକ୍ତିତ୍ୱର ବିକାଶ ଓ ଅନ୍ଧବିଶ୍ୱାସ ପ୍ରଭୃତି ଉପରେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ପ୍ରଶିକ୍ଷଣ ଶେଷରେ ସେମାନଙ୍କର ପରୀକ୍ଷା (ବ୍ୟବହାରିକ ଓ ଲିଖିତ) କରାଯାଇ ଗ୍ରେଡ୍ ମଧ୍ୟ ପ୍ରଦାନ କରାଯାଇଥିଲା। ମୋଟ୍ ୧୨୬୩ଜଣ ପ୍ରଶିକ୍ଷଣପ୍ରାପ୍ତ ଛାତ୍ରୀଙ୍କ ମଧ୍ୟରେ ୬୮୫ଜଣ ‘ଇ+’ ଗ୍ରେଡ୍‌, ୪୩୧ ଜଣ ‘ଇ’ ଗ୍ରେଡ୍‌, ୧୩୨ଜଣ ‘ଈ’ ଗ୍ରେଡ୍ ଓ ୧୫ଜଣ ‘ଉ’ ଗ୍ରେଡ୍ ହାସଲ କରିଛନ୍ତି।

ସିଧାସଳଖ ବିଶେଷଜ୍ଞଙ୍କଠାରୁ ଏହି ତାଲିମ ପାଇଥିବାରୁ ଆମର ଆତ୍ମରକ୍ଷା ପ୍ରଶିକ୍ଷଣ ସହ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶ ହୋଇପାରୁଛି ବୋଲି ଅନେକ ପ୍ରଶିକ୍ଷଣପ୍ରାପ୍ତ ଛାତ୍ରୀ ମତ ରଖିଛନ୍ତି। ଆଗ୍ରହୀ ଛାତ୍ରୀମାନଙ୍କୁ ଏହିପରି ନୀତି ମାଧ୍ୟମରେ ପ୍ରଶିକ୍ଷଣ ଦିଆଗଲେ ଆତ୍ମରକ୍ଷା ପଦ୍ଧତିର ଗୁଣବତ୍ତା ଅତୁଟ ରହୁଛି ବୋଲି ମତ ପ୍ରକାଶ ପାଉଛି। ଅଧିକାଂଶ କ୍ଷେତ୍ରରେ ପରିବାର ସ୍ୱଜନ ଛାତ୍ରୀମାନଙ୍କୁ ଏହି ତାଲିମ ନିମନ୍ତେ ଛାଡୁନଥିବାରୁ ତାଲିମ କାର୍ଯ୍ୟକ୍ରମ ବେଳେବେଳେ ଅସଂପୂର୍ଣ୍ଣ ରହୁଛି। ଛାତ୍ରୀମାନଙ୍କର ସାମଗ୍ରୀକ ବ୍ୟକ୍ତିତ୍ୱ ବିକାଶ ନିମନ୍ତେ ତାଙ୍କୁ ବାହାରକୁ ତାଲିମ ନିମନ୍ତେ ଛାଡ଼ିବା ଆବଶ୍ୟକ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe