ଆଇଏଏଏଫ୍‌ ନିୟମ ବିରୋଧରେ ଲଢ଼ିବେ ସିମେନ୍ୟା

Advertisment
ଆଇଏଏଏଫ୍‌ ନିୟମ ବିରୋଧରେ ଲଢ଼ିବେ ସିମେନ୍ୟା

ଜୋହାନେସ୍‌ବର୍ଗ: ଦକ୍ଷିଣ ଆଫ୍ରିକାର ମଧ୍ୟମ ଦୂରତ୍ୱ ଧାବିକା କାଷ୍ଟର୍‌ ସିମେନ୍ୟା ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ (ଆଇଏଏଏଫ୍‌)ର ମହିଳା ବିଭାଜିକରଣ ନିୟମକୁ ଚ୍ୟାଲେଞ୍ଜ୍‌ କରିବେ। କୋର୍ଟ ଅଫ୍‌ ଆର୍ବିଟ୍ରେସନ୍‌ ଫର୍‌ ସ୍ପୋର୍ଟସ (କାସ୍‌)ରେ ସେ ଏହା ବିରୋଧରେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ମାତ୍ରାଧିକ ଟେଷ୍ଟୋଷ୍ଟେରୋନ୍‌ କାରଣରୁ କିଛି ମହିଳା ଧାବିକାକୁ ଆଇଏଏଏଫ୍‌ ନିଲମ୍ବିତ କରିବା ପରେ ନିକଟରେ ଏଥିର କେବଳ ୧୦୦ ଓ ୨୦୦ ମିଟର୍‌କୁ ବାଦ୍‌ ଦେଇଥିଲା। ଫଳରେ ଓଡ଼ିଶା ଧାବିକା ଦୂତି ଚାନ୍ଦଙ୍କୁ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ସିମେନ୍ୟା ପୁଣି ଅଡୁଆରେ ପଡ଼ିଥିଲେ। ସିମେନ୍ୟା ୮୦୦ ମିଟରରେ ଦୁଇ ଥର ଅଲିମ୍ପିକ୍‌ ବିଜେତା ଏବଂ ୩ ଥର ବିଶ୍ୱ ପ୍ରତିଯୋଗିତା ସ୍ୱର୍ଣ୍ଣ ବିଜେତା ହୋଇସାରିଛନ୍ତି। ସିମେନ୍ୟାଙ୍କ ପକ୍ଷରୁ ଲୌସାନେସ୍ଥିତ କାସ୍‌ରେ ନର୍ଟନ ରୋଜ ଫୁଲବ୍ରାଇଟ୍‌ ନାମକ ଆଇନ୍‌ ଫାର୍ମ ଏହି ଚାଲେଞ୍ଜ୍‌ କରିଛି।

‘ସିମେନ୍ୟା ଅନ୍ୟ ସମସ୍ତଙ୍କ ଭଳି ଜଣେ କ୍ରୀଡ଼ାବିତ୍‌। କୌଣସି ଚିକିତ୍ସା ସାଧନ ସହାୟତାରେ ସେ ତାଙ୍କ ଶାରୀରିକ ପରିବର୍ତନ କରିନଥିବାରୁ ଅନ୍ୟମାନଙ୍କ ଭଳି ଖେଳ ପ୍ରତିଯୋଗିତାରେ ଭାଗନେବାକୁ ହକ୍‌ଦାର’ ବୋଲି ନର୍ଟନ୍‌ ରୋଜ୍‌ ଫୁଲ୍‌ବ୍ରାଇଟ୍‌ ପକ୍ଷରୁ ଯୁକ୍ତି ବଢ଼ାଯାଇଛି। ସିମେନ୍ୟାଙ୍କ ସପକ୍ଷରେ ଦକ୍ଷିଣ ଆଫ୍ରିକାର ଗଣମାଧ୍ୟମ ଏବଂ ରାଜନେତାମାନେ ନିରଂତର ଲାଗିପଡ଼ିଛନ୍ତି। ମୁଁ ସ୍ୱାଭବିକ ଭାବେ ଦୌଡ଼ିବାକୁ ଚାହେଁ, ମୁଁ ଜନ୍ମରୁ ଯେଭଳି ଦୌଡ଼ୁଛି ସେଭଳି ଦୌଡ଼ିବି। ମୋତେ ପରିବର୍ତନ କରିବାକୁ ବାଧ୍ୟ କରାଯିବା ଯଥାର୍ଥ ନୁହେଁ। ମୁଁ କିଏ ବୋଲି କେହି ପ୍ରଶ୍ନ କରିବା ଯୁକ୍ତିଯୁକ୍ତ ନୁହେଁ। ମୁଁ ମକଗଡି କାଷ୍ଟର୍‌ ସିମେନ୍ୟା। ଜଣେ ମହିଳା ଏବଂ ମୁଁ ଦ୍ରୁତ’ ବୋଲି ସିମେନ୍ୟା କହିଥିବା ନର୍ଟନ୍‌ ପକ୍ଷରୁ ବିଜ୍ଞପ୍ତିରେ ଦିଆଯାଇଛି। ୨୭ ବର୍ଷୀୟା ସିମେନ୍ୟାଙ୍କ ପାଇଁ ବିବାଦ ନୂଆ ନୁହେଁ। ୨୦୦୯ ମସିହାରେ ସ୍ୱଳ୍ପ ବୟସରେ ସେ ବର୍ଲିନ ବିଶ୍ୱ ପ୍ରତିଯୋଗିତାରେ ୮୦୦ ମିଟର୍‌ ସ୍ୱର୍ଣ୍ଣ ଜିତିବା ପରେ ଲିଙ୍ଗଗତ ବିବାଦରେ ପଡ଼ିଥିଲେ। ୨୦୧୪ ମସିହାରେ ଆଇଏଏଏଫ୍‌ ପ୍ରଥମେ ଟେଷ୍ଟୋଷ୍ଟେରନ୍‌ କଟକଣା ଲାଗୁ କରିଥିଲା। କିନ୍ତୁ ଗୋଟିଏ ବର୍ଷ ପରେ ଦୂତି ଚାନ୍ଦ କାସ୍‌ରେ ଐତିହାସିକ ବିଜୟ ପାଇବାରୁ ଏହି କଟକଣା ସାମୟିକ ନିଲମ୍ବିତ ହୋଇଥିଲା। ଚଳିତ ବର୍ଷ କିନ୍ତୁ ଆଇଏଏଏଫ୍‌ କେବଳ ୧୦୦ ଓ ୨୦୦ ମିଟର୍‌ ପାଇଁ ଏହା ଲାଗୁ ହେବ ନାହିଁ ବୋଲି ନିଷ୍ପତ୍ତି ନେବା ପରେ ମହିଳାଙ୍କ ମଧ୍ୟରେ ବର୍ଗୀକରଣକୁ ସିମେନ୍ୟା ଚାଲେଞ୍ଜ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe