ଲଣ୍ଡନ୍: ଦୁଇ ପୂର୍ବତନ ଶୀର୍ଷ ମାନ୍ୟତା ଆମେରିକାର ସେରେନା ଓ୍ଵିଲିୟମ୍ସ ଏବଂ ଜର୍ମାନିର ଆଞ୍ଜେଲିକ୍ କେର୍ବର ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ୍ସ୍ଲାମ୍ ଓ୍ଵିମ୍ବଲଡନ୍ ମହିଳା ଏକକ ଟ୍ରଫି ପାଇଁ ଲଢ଼ିବେ। ଗୁରୁବାର ସେମିଫାଇନାଲ୍ରେ ୨୫ତମ ମାନ୍ୟତା ସେରେନା ତ୍ରୟୋଦଶ ମାନ୍ୟତା ଜର୍ମାନିର ଜୁଲିଆ ଜର୍ଜେସ୍ଙ୍କୁ ଏବଂ ଏକାଦଶ ମାନ୍ୟତା କେର୍ବର ଦ୍ୱାଦଶ ମାନ୍ୟତା ଲାଟିଭିଆର ଜେଲିନା ଓସ୍ତାପେଙ୍କୋଙ୍କୁ ପରାସ୍ତ କରି ଫାଇନାଲ୍ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଗୁରୁବାର ପ୍ରଥମ ସେମିଫାଇନାଲ୍ରେ କେର୍ବର ସିଧାସଳଖ ୬-୩ ଓ ୬-୩ ସେଟ୍ରେ ଓସ୍ତାପେଙ୍କୋଙ୍କୁ ପରାସ୍ତ କରିଥିଲେ। ଉଭୟ କେର୍ବର ଓ ଓସ୍ତାପେଙ୍କୋ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡ୍ ସ୍ଲାମ୍ ସେମିଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ। ପୁଣି ଓସ୍ତାପେଙ୍କୋ ମଧ୍ୟ ପ୍ରଥମ ଲାଟିଭିଆ ଖେଳାଳି ଭାବେ ସେମିଫାଇନାଲ୍ ପହଞ୍ଚିଥିଲେ। ହେଲେ କେର୍ବର ବାଜି ମାରିନେଲେ। ଆଉ ଏହି ବିଜୟ ସହ କେର୍ବର ମଧ୍ୟ ଦ୍ୱିତୀୟ ଥର ପାଇଁ ଓ୍ଵିମ୍ବଲଡନ୍ ଫାଇନାଲ୍ ପ୍ରବେଶ କଲେ। ଅନ୍ୟ ପକ୍ଷରେ ଦ୍ୱିତୀୟ ସେମିଫାଇନାଲ୍ରେ ଏଠାରେ ୭ ଥର ବିଜୟିନୀ ସେରେନା ସିଧାସଳଖ ୬-୨, ୬-୪ ସେଟ୍ରେ ଜର୍ଜେସ୍ଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ପରସ୍ପର ତିନି ଥର (୨୦୧୦, ୨୦୧୧ ଓ ଚଳିତ ବର୍ଷର ଫ୍ରେଞ୍ଚ୍ ଓପନ୍) ମୁହାଁମୁହିଁ ହୋଇଥିଲା ବେଳେ ସବୁଥର ସେରେନାଙ୍କ ଜିତାପଟ ହୋଇଥିଲା। ଫଳରେ ସେରେନା ମଧ୍ୟ ଜର୍ଜେସ୍ଙ୍କ ବିପକ୍ଷରେ ବିଜୟ ବ୍ୟବଧାନ ୪-୦ରେ ପହଞ୍ଚାଇ ଅଷ୍ଟମ ଓ୍ଵିମ୍ବଲଡନ୍ ଟ୍ରଫି ଜିତିବାର ଶେଷ ପାହାଚରେ ପାଦ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us