ସେରେନା-ଭେନସ ୩୧ତମ ଥର ଲାଗି ମୁହାଁମୁହିଁ ହେବେ

Advertisment
ସେରେନା-ଭେନସ ୩୧ତମ ଥର ଲାଗି ମୁହାଁମୁହିଁ ହେବେ

CBC.ca

ନ୍ୟୁୟର୍କ: ମହାମାରୀ କରୋନା ଯୋଗୁଁ ବନ୍ଦ ରହିଥିବା ଟେନିସ ପ୍ରତିଯୋଗିତା ଏବେ ପ୍ର‌ତ୍ୟାବର୍ତ୍ତନ କରୁଛି। ଆମେରିକାର ଦୁଇ ଭଉଣୀ ସେରେନା ଏବଂ ଭେନସ ୱିଲିୟମ୍ସ କରେନା ଯୋଗୁଁ ଟେନିସଠୁ ମଧ୍ୟ ଦୂରେଇ ରହିଥିଲେ। ଏବେ ଏହି ଦୁଇ ଭଉଣୀ କେଣ୍ଟୁକିରେ ଅୟୋଜିତ ଏକ ଡବ୍ଲୁଟିଏ ପ୍ରତିଯୋଗିତାରେ ଖେଳୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉଭୟ ଜିତି ଯାଇଛନ୍ତି। ଗୁରୁବାର ଖେଳାଯିବାକୁ ଥିବା ଦ୍ବିତୀୟ ରାଉଣ୍ଡରେ ଉଭୟ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଏହା ଉଭୟଙ୍କ ମଧ୍ୟରେ ୩୧ତମ ଲଢ଼େଇ ହେବ। ‘ଆମେ ପୁଣି ଥରେ ଲଢ଼ିବାକୁ ଯାଉଛୁ। ଏହା ଅତ୍ୟନ୍ତ ସ୍ୱତନ୍ତ୍ର’ ବୋଲି ମ୍ୟାଚ୍‌ ପୂର୍ବରୁ ଭେନସ କହିଛନ୍ତି।

ଦୁଇଜଣ ଏହି ପୂର୍ବତନ ଶୀର୍ଷ ମାନ୍ୟତା ପ୍ରାପ୍ତ ମହିଳା ଖେଳାଳି ମିଶିକି ୩୦ (ସେରେନା ୨୩ ଓ ବଡ଼ ଭଉଣୀ ଭେନସ ୭) ଗ୍ରାଣ୍ଡ ସ୍ଲାମ୍‌ ଏକକ ଟ୍ରଫି କରାୟତ କରିଛନ୍ତି। ମୁଁ ସବୁଦିନ ପର୍ଯ୍ୟନ୍ତ ଖେଳିପାରିବି ନାହିଁ, ତେଣୁ ଶ୍ରେଷ୍ଠ ଖେଳାଳି ବିପକ୍ଷରେ ଖେଳିବାକୁ ଚାହେଁ। ବିଶେଷ କରି ସେରେନା ବିପକ୍ଷରେ ଖେଳିବାକୁ ବେଶି ଇଚ୍ଛା ବୋଲି ଭେନସ ହସି ହସି କହିଛନ୍ତି। ଦୁଇ ଭଉଣୀ ୨୦୦୨-୦୩ରେ ୯ ଥର ଗ୍ରାଣ୍ଡ ସ୍ଲାମ୍‌ ଏକକ ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ। ‌ଏଥିରେ ସେରେନା ୭ ଓ ଭେନସ୍‌ ୨ ଥର ଜିତିଛନ୍ତି। ସେହିପରି ମୋଟ ଉପରେ ୩୦ରୁ ସେରେନା ୧୮ ଓ ଭେନସ ୧୨ ଥର ବିଜୟ ପାଇଛନ୍ତି।

ମୁଁ ପ୍ରତି ଏକକ ମ୍ୟାଚ୍‌ର ପ୍ରଥମ କିମ୍ବା ଦ୍ବିତୀୟ ରାଉଣ୍ଡରେ ଭେନସଙ୍କ ବିପକ୍ଷରେ ଖେଳିବାକୁ ଭଲ ପାଏ। କେଣ୍ଟୁକିରେ ପ୍ରଥମ ପର୍ଯ୍ୟାୟରେ ସେରେନା ୪-୬, ୬-୪, ୬-୧ ସେଟ୍‌ରେ ୬୦ ମାନ୍ୟତାପ୍ରାପ୍ତ ‌ବର୍ନାଡା ପେରାଙ୍କୁ ପରାସ୍ତ କରିଥିଲେ। ଗୁରୁବାର ଦ୍ବିତୀୟ ରାଉଣ୍ଡରେ ଭଉଣୀ ଭେନସଙ୍କୁ ଭେଟିବେ। ଦୁଇ ବର୍ଷ ପରେ ପ୍ରଥମ ଥର ଲାଗି ଏହି ଦୁଇ ଭଉଣୀ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୨୦୧୮ ୟୁଏସ୍ ଓପନ୍‌ର ତୃତୀୟ ରାଉଣ୍ଡରେ ଉଭୟଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌କୁ ସେରେନା ୬-୧, ୬-୨ ସେଟ୍‌ରେ ଜିତିଥିଲେ। ସଂପ୍ରତି ୪୦ ବର୍ଷୀୟା ଭେନସ୍‌ ଏବଂ ୩୯ ବର୍ଷୀୟା ସେରେନା ଅଗଷ୍ଟ ୩୧ ତ‌ାରିଖରୁ ଆରମ୍ଭ ହେଉଥିବା ୟୁଏସ୍‌ ଓପନ୍‌ ଲାଗି ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe