ଶେଫାଳିଙ୍କ ବ‌ିସ୍ଫୋରଣ ରଖିଲା ସମ୍ମାନ: ଟି-୨୦ ମାନ୍ୟତା ଶୀର୍ଷକୁ ଫେରିଲେ

ଶେଫାଳିଙ୍କ ବ‌ିସ୍ଫୋରଣ ରଖିଲା ସମ୍ମାନ: ଟି-୨୦ ମାନ୍ୟତା ଶୀର୍ଷକୁ ଫେରିଲେ

Wikipedia

ଲକ୍ଷ୍ନୌ: ଶେଫାଳି ବର୍ମାଙ୍କ ବି‌ସ୍ଫୋରକ ବ୍ୟାଟିଂ କାରଣରୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ସମ୍ମାନ ରହିଯାଇଛି। ଦିନିକିଆ ପରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରି ସାରିଥିବା ଭାରତ ମଙ୍ଗଳବାର ତୃତୀୟ ଟ୍ବେଣ୍ଟି-୨୦ରେ ଅତି ସହଜରେ ୯ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଫଳରେ ଦକ୍ଷିଣ ଆଫ୍ରିକା ୨-୧ରେ ଶୃଙ୍ଖଳା ଜିତି ଯୁଗଳ ସଫଳତା ପାଇଛି। ରାଜେଶ୍ବରୀ ଗାଏକ୍ବାଡ (୪-୧-୯-୩)ଙ୍କ ମିତ୍ତବ୍ୟୟୀ ବୋଲିଂ କାରଣରୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୭ ୱିକେଟ୍ ହରାଇ ୧୧୨ ରନ୍‌ କରିଥିଲା। ଅଧିନାୟିକା ସୁନ୍‌ ଲୁସ୍ (୨୮) ଏବଂ ଲାରା ଗୁଡଲ୍ (୨୫*)ଙ୍କ ଛଡ଼ା ଅନ୍ୟ କେହି ଭଲ ବ୍ୟାଟିଂ କରିପାରିନଥିଲେ। ଭାରତ ପକ୍ଷରୁ ରାଜେଶ୍ବରୀଙ୍କୁ ଠିକଣା ସମର୍ଥନ ଦେଇ ଅରୁନ୍ଧତି ରେଡ୍ଡୀ, ରାଧା ୟାଦବ, ଦୀପ୍ତି ଶର୍ମା, ସିମ୍ରନ୍ ବାହଦୂର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ୧୭ ବର୍ଷୀୟା ଶେଫାଳି ବର୍ମା ମାତ୍ର ୩୦ ବଲ୍‌ରୁ ୬୦ ରନ୍‌ (୭ ଚୌକା, ୫ ଛକା) ସଂଗ୍ରହ କରି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ଅଧିନାୟିକା ସ୍ମୃତି ମନ୍ଧାନା (୪୮*, ୨୮ବଲ୍‌)ଙ୍କ ସହ ମିଶି ପ୍ରଥମ ୱିକେଟ୍‌ରେ ୮.୩ ଓଭରରେ ୯୬ ରନ୍‌ ସଂଗ୍ରହ କରିଥିଲେ। ଭାରତ ୧୧ ଓଭରରେ‌ ଶେଫାଳିଙ୍କ ଏକମାତ୍ର ୱିକେଟ୍‌ ହରାଇ ୧୧୪ ରନ୍‌ ସଂଗ୍ରହ କରି ନେଇଥିଲା।

ଦୁବାଇ: ଭାରତୀୟ ଯୁବା ବ୍ୟାଟର୍‌ ଶେଫାଳି ବର୍ମା ସୋମବାର ପ୍ରକାଶିତ ଆଇସିସି ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳ‌ାରେ ‌ଭଲ ପ୍ରଦର୍ଶନ କରି ୧୭ ବର୍ଷୀୟା ଶେଫାଳି ଗତ ବର୍ଷ ‌ଟି-୨୦ ବିଶ୍ବକପ୍‌ ପରେ ପ୍ରଥମ ଥର ଏହି ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆର ବେଥ ମୁନି ଦ୍ବିତୀୟକୁ ‌ଖସି ଯାଇଛନ୍ତି। ଶେଫାଳିଙ୍କ ବ୍ୟତୀତ ସ୍ମୃତି ମନ୍ଧାନା (ସପ୍ତମ) ଓ ଜେମିମା ରଦ୍ରିଗୁଏଜ (ନବମ) ଶୀର୍ଷ ୧୦ ବ୍ୟାଟର୍‌ ତାଲିକାରେ ରହିଛନ୍ତି। ଭାରତୀୟ ବୋଲର ଦୀପ୍ତି ଶର୍ମା (ସପ୍ତମ) ଓ ରାଧା ଯାଦବ (ଅଷ୍ଟମ) ଶୀର୍ଷ‌ ୧୦ରେ ରହିଛନ୍ତି। ଅଲ୍‌ରାଉଣ୍ଡରରେ କେବଳ ଦୀପ୍ତି ଶର୍ମା (ଚତୁର୍ଥ) ଶୀର୍ଷ ୧୦ ମଧ୍ୟରେ ରହିପାରିଛନ୍ତି। ଦଳଗତ ମାନ୍ୟତ‌ାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପଛକୁ ଭାରତ ତୃତୀୟରେ ରହିଛି।
ଦିନିକିଆ ମାନ୍ୟତାରେ କିଛିଟା ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକା ଓପନର୍‌ ଲିଜେଲି ଲି ଗୋଟିଏ ସ୍ଥାନ ଖସି ଦ୍ବିତୀୟକୁ ଆସିଥିଲା ବେଳେ ଇଂଲଣ୍ଡର ତାମି ବିଉମଣ୍ଟ ଶୀର୍ଷରେ ପହଞ୍ଚିଛନ୍ତି। ଭାରତର ସ୍ମୃତି ମନ୍ଧାନା ସପ୍ତମରେ ସ୍ଥିର ରହିଥିଲା ବେଳେ ମିତାଲି ରାଜ ଗୋଟିଏ ସ୍ଥାନ ଉପରକୁ ଉଠି ଅଷ୍ଟମରେ ପହଞ୍ଚିଛନ୍ତି। ଭାରତ ବିପକ୍ଷ ଶୃଙ୍ଖଳାକୁ ୪-୧ରେ ଜିତିବା ପରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ଟପି ଦ୍ବିତୀୟରେ ପହଞ୍ଚିଥିଲା ବେଳେ ଭାରତ ଚତୁର୍ଥରେ ସ୍ଥିର ରହିଛି। ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe