ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ପ୍ରତ୍ୟାବର୍ତ୍ତନ ସହିତ କେକେଆର୍ ୧୦ ବର୍ଷ ପରେ ପୁଣି ଥରେ ଆଇପିଏଲ୍ ମୁକୁଟ ଜିତିବାର ଗୌରବ ଅର୍ଜନ କରିଛି। ରବିବାରର ଏକପାଖିଆ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୧୩ ରନ୍ରେ ସୀମିତ ରଖିବା ପରେ କେକେଆର୍ ମ୍ୟାଚ୍କୁ ୮ ୱିକେଟ୍ରେ ଜିତିଯାଇଥିଲା। ଚତୁର୍ଥ ଥର ପାଇଁ କେକେଆର୍ ଆଇପିଏଲ୍ ଫାଇନାଲ୍ରେ ପ୍ରବେଶ କରିଥିଲା ବେଳେ ଗୌତମ ଗମ୍ଭୀରଙ୍କ ଉପସ୍ଥିତି ପୁଣି ଥରେ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା। ପୂର୍ବରୁ ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ବରେ କେକେଆର୍ ବିଜେତା ହୋଇଥିଲା ଏବଂ ୨୦୨୧ରେ ଉପବିଜେତାରେ ସନ୍ତୁଷ୍ଟ ଥିଲା। ଏଥର ରାଜନୀତି ଛାଡ଼ି କ୍ରିକେଟ୍ ପଡ଼ିଆକୁ ଫେରିଥିବା ଗମ୍ଭୀର ପୁଣି ଥରେ ନିଜ ସଫଳ ଯୋଜନାର ଛାପ ଛାଡ଼ିଛନ୍ତି।
ଟିମ୍ ଜିତିବା ପରେ ଦଳର ସହ-ମାଲିକ ତଥା ବଲିଉଡ ଅଭିନେତା ଶାହରୁଖ ଖାନ ବହୁତ ଖୁସି ଥିବା ଦେଖାଯାଇଥିଲା। ଦଳ ଜିତିବା ପରେ ଗମ୍ଭୀରଙ୍କ ମଥାକୁ ଚୁମ୍ବନ ଦେବା ପରେ ପଡ଼ିଆରେ ବୁଲି ବୁଲି କ୍ରିକେଟ ପ୍ରେମୀଙ୍କୁ ହତ ହଲାଇ ନିଜର ଖୁସି ବ୍ୟକ୍ତ କରିଥିଲେ ଶାହରୁଖ। ଏତେ କୋଳାହଳ ଭିତରେ ପତ୍ନୀ ଗୌରୀ ଖାନ୍ କିନ୍ତୁ ଶାହରୁଖଙ୍କ ଯତ୍ନ ନେବା ଭୁଲି ନଥିଲେ। ସେ ବାରମ୍ବାର ଶାହରୁଖଙ୍କ ପାଖକୁ ଆସି ତାଙ୍କୁ ମାସ୍କ ପିନ୍ଧିବାକୁ କହୁଥିବା ଦେଖିବାକୁ ମିଳିଥିଲା।
କିଛି ଦିନ ତଳେ ଶାହରୁଖ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହା ପରଠୁ ଗୌରୀ ସ୍ବାମୀଙ୍କ ସ୍ବାସ୍ଥ୍ୟକୁ ନେଇ ସଚେତନ ହୋଇଥିବା ଦେଖିବାକୁ ମିଳିଛି।
Follow Us