ମୁମ୍ବାଇ : ଏପ୍ରିଲ ୨୧ ତାରିଖରେ ଖେଳାଯାଇଥିବା କୋଲକାତା-ଚେନ୍ନାଇ ମ୍ୟାଚକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ୨୨୧ ରନ ପରି ଏକ ବିଶାଳ ଲକ୍ଷ୍ୟର ପିଛା କରିବାକୁ ଯାଇ କୋଲକାତା ଦଳ ଯେପରି ଲଢୁଆ ଖେଳ ପ୍ରଦର୍ଶନ କଲା ତାହା ସମାଲୋଚକମାନଙ୍କୁ ମଧ୍ୟ ପ୍ରସଂଶା କରିବାକୁ ବାଧ୍ୟ କରିଛି। ସେହିପରି କେକେଆରର ଏହି ପ୍ରଦର୍ଶନକୁ ନେଇ ଆଶାବାଦୀ ହୋଇଉଠିଛନ୍ତି ଦଳର ମାଲିକ ତଥା ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ। ଦଳର ଏହି ଲଢୁଆ ପ୍ରଦର୍ଶନକୁ ନେଇ ସେ ଖେଳାଳିମାନଙ୍କୁ ସେ ପ୍ରସଂଶାରେ ପୋତି ପକାଇଛନ୍ତି। ଏହି ଲଢୁଆ ପ୍ରଦର୍ଶନ ପାଇଁ ସେ ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ ଓ ପ୍ୟାଟ୍ କମିନ୍ସଙ୍କୁ ପ୍ରସଂଶା କରିଛନ୍ତି। “ଏପରି ଖେଳିବାକୁ ଅଭ୍ୟାସରେ ପକାଅ, ଆମେ ନିଶ୍ଚିତ ଫେରିବା” ଶାହାରୁଖ ଟ୍ବିଟ କରିଛନ୍ତି ।
ଚେନ୍ନାଇ ବିପକ୍ଷ ମ୍ୟାଚର ହିରୋ ପ୍ୟାଟ୍ କମିନ୍ସ ୩୪ ବଲରେ ୬୬ ରନ କରିଥିଲେ । ତେବେ ଏଥିପାଇଁ ତାଙ୍କୁ ସମସ୍ତେ ପ୍ରସଂଶା କରୁଥିବାବେଳେ ସେ ଟିକିଏ ଦୁଃଖି ଅଛନ୍ତି । ବୋଲିଂ ବେଳେ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିବାରୁ ସେ ଦୁଃଖିତ ଅଛନ୍ତି । ମାତ୍ର ଗୋଟିଏ ଓଭର ଭଲ ବୋଲିଂ କରିପାରିଥିଲେ ମ୍ୟାଚ ଜିତିପାରିଥାନ୍ତୁ ବୋଲି ସେ କହିଛନ୍ତି ।
ଏପ୍ରିଲ ୧୩ରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଜିତିବା ସ୍ଥିତିରେ ଥାଇ ମଧ୍ୟ କେକେଆର ନାଟକୀୟ ଭାବେ ହାରିବା ପରେ ଶାହାରୁଖ ନିରାଶ ହୋଇଯାଇଥିଲେ। ସେ ଏତେ ନିରାଶ ହୋଇଯାଇଥିଲେ ଯେ ଦଳର ପ୍ରଦର୍ଶନ ପାଇଁ ସେ ପ୍ରସଂଶକମାନଙ୍କୁ ଟ୍ବିଟରରେ କ୍ଷମା ମାଗିଥିଲେ। ଏହି ମ୍ୟାଚରେ କୋଲକାତା ୨୮ ବଲରେ ୩୧ ରନ ଆବଶ୍ୟକ କରୁଥିବାବେଳେ ହାତରେ ୭ଟି ଓ୍ବିକେଟ ଥାଇ ବି ମ୍ୟାଚ ହାରିଯାଇଥିଲା। ଏହା ଶାହାରୁଖଙ୍କୁ ବେଶ ଆଘାତ ଦେଇଥିଲା।
Follow Us