ଘରୋଇ ମ୍ୟାଚ୍‌‌ରେ ସାକିବଙ୍କ ଉଗ୍ର ରୂପ, ହୋଇପାରନ୍ତି ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ

Advertisment
ଘରୋଇ ମ୍ୟାଚ୍‌‌ରେ ସାକିବଙ୍କ ଉଗ୍ର ରୂପ, ହୋଇପାରନ୍ତି ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ

ଢାକା : ତାରାକା ବାଂଲାଦେଶ କ୍ରିକେଟର୍‌ ସାକିବ ଅଲ୍‌ ହାସନ ଶୁକ୍ରବାର ଏକ ଘରୋଇ ଟି-୨୦ ମ୍ୟାଚ୍‌ ବେଳେ ପଡ଼ିଆ ମଧ୍ୟରେ ନିଜର ଉଗ୍ର ରୂପ ଦେଖାଇଛନ୍ତି। ଢାକାରେ ଖେଳାଯାଇଥିବା ଢାକା ପ୍ରିମିୟର ଲିଗ୍‌ର ଆବାହାନି ଲିମିଟେଡ୍ ବିପକ୍ଷ ମ୍ୟାଚ୍‌ ବେଳେ ମହମ୍ମଦାନ ସ୍ପୋର୍ଟିଂ ପକ୍ଷରୁ ଖେଳୁଥିବା ସାକିବ ଷ୍ଟମ୍ପ୍‌କୁ ଗୋଇଠା ମରିବା ସହ ସହ ଅମ୍ପାୟରଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏହାପରେ କିନ୍ତୁ ସେ କ୍ଷମା ମାଗିବା ସହ ‘ମାନବିକ ତ୍ରୁଟି’ ଥିଲା ବୋଲି କହିଥିଲେ। କିନ୍ତୁ ଏହି ମ୍ୟାଚ୍‌କୁ ଡର୍କୱର୍ଥ-ଲୁଇସ ପ୍ରଣାଳୀରେ ସାକିବଙ୍କ ଦଳ ବିଜୟୀ ହୋଇଥିଲା। କ୍ଷମାମାଗିବା ସ୍ବତ୍ତ୍ବେ ବାଂଲାଦେଶର ପୂର୍ବତନ ଅଧିନାୟକ ସାକିବଙ୍କ ଏହି ବ୍ୟବହାର ପାଇଁ ଧାରା ୩ ଅନୁଯାୟୀ ଦଣ୍ଡ ସ୍ବରୂପ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହେବାର ସମ୍ଭବନା ରହିଛି।

‘‘ମୁଁ କ୍ରୋଧିତ ହୋଇ ଏଭଳି ଭୁଲ୍‌ କରିଛି। ଏଥିପାଇଁ ଟିଭିରେ ଦେଖୁଥିବା ଦର୍ଶକ ଏବଂ ସମସ୍ତଙ୍କୁ କ୍ଷମା ମାଗୁଛି। ମୋର ଏଭଳି ଭୁଲ୍‌ କରିବାର ନଥିଲା। ଦୁର୍ଭାଗ୍ୟବଶତଃ ଏପରି ହୋଇଗଲା। ଦଳ, ଅଧିକାରୀ, ଅଫିସିଆଲ ଏବଂ ଆୟୋଜକ ସମିତି ନିକଟରେ କ୍ଷମା ପ୍ରାର୍ଥନା କରୁଛି। ଏହା ମାନବିକ ତ୍ରୁଟି ଥିଲା। ଭବିଷ୍ୟତରେ ଏହାର ପୁନଃରାବୃତ୍ତି ହେବନି’’ ବୋଲି ସାକିବ ଫେସ୍‌ବୁକ୍‌ ପେଜ୍‌ରେ ଲେଖିଛନ୍ତି। ସେର-ଇ-ବାଂଲା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମୁସଫିକର ରହିମଙ୍କ ବିପକ୍ଷ ଲେଗ୍‌ ବିଫୋର ଆବେଦନ ବେଳେ ସାକିବ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଖରାପ ବ୍ୟବହାର କରିବା ସହ ଷ୍ଟମ୍ପକୁ ଗୋଇଠା ମାରିଥିଲେ। ୩୪ ବର୍ଷୀୟ ସାକିବ ୧୦୦୦୦ରୁ ଊର୍ଦ୍ଧ ଅନ୍ତର୍ଜାତୀୟ ରନ୍‌ କରିବା ସହ ପାଖାପାଖି ୬୦୦ ୱିକେଟ୍‌ ଅକ୍ତିଆର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe