ଆଇସିସି ଅଧ୍ୟକ୍ଷ ପଦରୁ ମନୋହରଙ୍କ ଇସ୍ତଫା

Advertisment
ଆଇସିସି ଅଧ୍ୟକ୍ଷ ପଦରୁ ମନୋହରଙ୍କ ଇସ୍ତଫା

Times of India

ପ୍ରଥମ ସ୍ବାଧୀନ ଅଧ୍ୟକ୍ଷ ଥିଲେ
ଆଉ ଦୁଇ ବର୍ଷ ରହିପାରିଥା’‌ନ୍ତେ
ଇମ୍ରାନ ଖୱାଜା ଅନ୍ତରୀଣ ଅଧ୍ୟକ୍ଷ ହେଲେ
ଆସନ୍ତା ସପ୍ତାହରେ ଆରମ୍ଭ ହୋଇପାରେ ନିର୍ବାଚନ ପ୍ରକ୍ରିୟା

ଦୁବାଇ : ବିଶ୍ବ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଆଇସିସି (ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍)ର ଅଧ୍ୟକ୍ଷ ପଦରୁ ଶଶାଙ୍କ ମନୋହର ଇସ୍ତଫା ଦେଇଛନ୍ତି। ସେ ଆଇସିସିର ପ୍ରଥମ ସ୍ବାଧୀନ ଅଧ୍ୟକ୍ଷ ଥିଲେ। ବୁଧବାର ତାଙ୍କ ଦ୍ବିତୀୟ ଦଫାର ଦୁଇ ବର୍ଷୀୟା କାର୍ଯ୍ୟକାଳ ଶେଷ ହୋଇଥିଲା। ଏହା ପୂର୍ବରୁ କିନ୍ତୁ ମନୋହର ଇସ୍ତଫା ଦେବା ସହ ଆଉ ଏହି ପଦରେ ରହିବାକୁ ଚାହୁଁନାହାନ୍ତି ବୋଲି ଆଇସିସି ବୋର୍ଡକୁ ଜଣାଇ ‌ଦେଇଥିଲେ। ସେ ମଧ୍ୟ ନିଜ ତୃତୀୟ ଦଫା କାର୍ଯ୍ୟକାଳ ସପକ୍ଷରେ ନଥିଲେ। ମନୋହରଙ୍କ ଇସ୍ତଫା ପରେ ଉପାଧ୍ୟକ୍ଷ ଇମ୍ରାନ ଖୱାଜା ଆଇସିସିର ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ନୂଆ ଅଧ୍ୟକ୍ଷଙ୍କ ପାଇଁ ନିର୍ବାଚନ ପ୍ରକ୍ରିୟା ‌ଶେଷ ନହେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ନିର୍ବାଚନ ପ୍ରକ୍ରିୟା ଆସନ୍ତା ସପ୍ତାହରୁ ହିଁ ଆରମ୍ଭ କରିଦିଆଯିବ ବୋଲି ଆଇସିସି ସଙ୍କେତ ଦେଇଛି।

ବୁଧବାର ସଂଧ୍ୟାରେ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ଆଇସିସି କହିଛି ଯେ ଅଧ୍ୟକ୍ଷ ଶଶାଙ୍କ ମନୋହର ଦୁଇଟି ଦୁଇ ବର୍ଷୀୟା କାର୍ଯ୍ୟକାଳ ପୂରଣ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ଆଇସିସିର ବୋର୍ଡ ବୈଠକରେ ସର୍ବସମ୍ମତିକ୍ରମେ ଉପାଧ୍ୟକ୍ଷ ଇମ୍ରାନ ଖୱାଜାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ନୂଆ ଅଧ୍ୟକ୍ଷ ନିର୍ବାଚିତ ନହେଲା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ମନୋହର ଆଉ ଦୁଇ ବର୍ଷ ପାଇଁ ଅଧ୍ୟକ୍ଷ ପଦରେ ରହି ପାରିଥାଆନ୍ତେ। କାରଣ ଆଇସିସି ସମ୍ବିଧାନ ଜଣକୁ ସର୍ବାଧିକ ତିନିଟି କାର୍ଯ୍ୟକାଳ ପାଇଁ ଅଧ୍ୟକ୍ଷ ପଦରେ ରହିବାର ଅନୁମତି ପ୍ରଦାନ କରିଥାଏ। ଅନ୍ତରୀଣ ଅଧ୍ୟକ୍ଷ ଇମ୍ରାନ ଖୱାଜା ସିଙ୍ଗାପୁର କ୍ରିକେଟ୍ ବୋର୍ଡକୁ ପ୍ରତିନିଧିତ୍ବ କରୁଥିଲା ବେଳେ ସେ ମଧ୍ୟ ନିର୍ବାଚନରେ ଛିଡ଼ା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେପଟେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡର ମୁଖ୍ୟ କଲିନ୍ ଗ୍ରେଭ୍ସ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଅଛନ୍ତି। ଖୱାଜା ଦୌଡ଼ରୁ ନ ଓହରିଲେ ନିର୍ବାଚନ ବଳରେ ନୂଆ ଅଧ୍ୟକ୍ଷ ବଛାଯିବ। ତେବେ ଖୱାଜା ବିଜୟୀ ହେ‌‌ଲେ କୌଣସି ସହକାରୀ ସଦସ୍ୟ ଦେଶର ପ୍ରତିନିଧି ଆଇସିସି ଅଧ୍ୟକ୍ଷ ହେବାର ଏହା ପ୍ରଥମ ଘଟଣା ହେବ। ତେବେ ଗ୍ରେଭ୍ସ ଏହି ପଦ ପାଇବାର ଅଧିକ ସମ୍ଭାବନା ରହିଛି। ତାଙ୍କୁ ୱେ‌ଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବୋର୍ଡ ସମର୍ଥନ କରୁଛନ୍ତି। ବିସିସିଆଇ ମଧ୍ୟ ତାଙ୍କୁ ପରୋକ୍ଷ ସମର୍ଥନ ଦେଉଥିବା ଜଣାପଡ଼ିଛି। ତେବେ ବିସିସିଆଇ ଏ ପର୍ଯ୍ୟନ୍ତ ଖୋଲାଖୋଲି ଭାବେ କିଛି କହିନାହିଁ। ସୂଚନାଯୋଗ୍ୟ ଯେ ମନୋହର ବିସିସିଆଇର ପୂର୍ବତନ ସଭାପତି ହୋଇଥିଲେ ମଧ୍ୟ ଆଇସିସି ଅଧ୍ୟକ୍ଷ ଭାବେ ନିୟମିତ ଭାରତର ସ୍ବାର୍ଥକୁ ହାନୀ ପହଞ୍ଚାଇ ଆସୁଥିବାର ଅଭିଯୋଗ ହୋଇଆସୁଛି। ଗ୍ରେଭ୍ସ ଅଧ୍ୟକ୍ଷ ହେଲେ ଆଇସିସି ଓ ବିସିସିଆଇ ମଧ୍ୟରେ ସଂପର୍କ ଆଗ ଅପେକ୍ଷା ଭଲ ରହିବ ବୋଲି କ୍ରିକେଟ୍ ପ୍ରଶାସକମାନେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe