ବିସିସିଆଇକୁ ଶାସ୍ତ୍ରୀଙ୍କ ଚେତାବନୀ

Advertisment
ବିସିସିଆଇକୁ ଶାସ୍ତ୍ରୀଙ୍କ ଚେତାବନୀ

ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ବିସିସିଆଇ ବିରୋଧରେ ରଣଜୀ ଟ୍ରଫିକୁ ଅବହେଳା କରୁଥିବା ଅଭିଯୋଗ ଆଣିଛନ୍ତି। ସେହିଭଳି ଘରୋଇ କ୍ରିକେଟ୍‌ର ଏହି ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତାକୁ ଅଣଦେଖା କଲେ ଭାରତୀୟ କ୍ରିକେଟ୍‌ ବହୁ ପଛରେ ପଡ଼ିଯିବ ବୋଲି ଚେତାଇ ଦେଇଛନ୍ତି। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ରଣଜୀ ଟ୍ରଫି ହେଉଛି ଭାରତୀୟ କ୍ରିକେଟ୍‌ର ମେରୁଦଣ୍ଡ। ଏହାକୁ ଅଣଦେଖା କରିବା କ୍ଷଣି ଭାରତୀୟ କ୍ରିକେଟ୍‌ର ଶକ୍ତି, ସଫଳତା ଏବଂ ସାମର୍ଥ୍ୟ ଯଥେଷ୍ଟ ହ୍ରାସ ପାଇବ। ଏହା ପୂର୍ବରୁ ସୌରାଷ୍ଟ୍ର ରଣଜୀ ଦଳର ଅଧିନାୟକ ଜୟଦେବ ଉନାଦକଟ୍ ମଧ୍ୟ ରଣଜୀ ଟ୍ରଫି ନେଇ ଦେଖା ଦେଇଥିବା ଅନିଶ୍ଚିତତା ଲାଗି ନିରାଶା ଜାହିର କରିଥିଲେ। ସୂଚନାଯୋଗ୍ୟ ଯେ ଗତବର୍ଷ ରଣଜୀ ଟ୍ରଫିକୁ ବାତିଲ କରି ଦିଆଯାଇଥିଲା। ଏବର୍ଷ ମଧ୍ୟ ଏହାକୁ ସ୍ଥଗିତ କରି ଦିଆଯାଇଛି। ତେବେ ଚାରିଆଡ଼ୁ ଜାପ ପଡ଼ିବା ପରେ ବିସିସିଆଇ ଏବେ ରଣଜୀ ଟ୍ରଫିକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ଚିନ୍ତା କରୁଥିବା ସଂପାଦକ ଜୟ ଶାହା କହିଛନ୍ତି।

‘ଶାସ୍ତ୍ରୀ ୨.୦’କୁ ମୁଁ ବୁଝି ପାରୁନି: ମଞ୍ଜରେକର
ବିରାଟ କୋହଲି ଭାରତୀୟ କ୍ରିକେଟ୍ ଦଳର ଟେଷ୍ଟ୍ ଅଧିନାୟକ ପଦ ଛାଡ଼ିବା ନେଇ ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ପୂର୍ବତନ ଭାରତୀୟ କ୍ରିକେଟର୍‌ ସଞ୍ଜୟ ମଞ୍ଜରେକର ନାପସନ୍ଦ କରିଛନ୍ତି। ତାଙ୍କୁ କଟାକ୍ଷ କରିବାକୁ ଯାଇ ମଞ୍ଜରେକର କହିଛନ୍ତି ଯେ ଶାସ୍ତ୍ରୀଙ୍କର ମୁଁ ଜଣେ ବଡ଼ ପ୍ରଶଂସକ। ହେଲେ ତାଙ୍କ ମନ୍ତବ୍ୟ ମୋ ବୁଝିବା ବାହାରେ। ଏକଦମ ଅବୁଝା। ଶାସ୍ତ୍ରୀ ଏଭଳି କିଛି ମନ୍ତବ୍ୟ ଦେବେ ବୋଲି ଆଶା କରାଯାଉଥିଲା। ଆଉ ସେ ଠିକ୍ ଏହିଭଳି କଥା କହୁଛନ୍ତି। ସେହିଭଳି ଶାସ୍ତ୍ରୀଙ୍କ ସାଂପ୍ରତିକ ଅବତାରକୁ ମଞ୍ଜରେକର ‘ଶାସ୍ତ୍ରୀ ୨.୦’ର ଆଖ୍ୟା ଦେଇଛନ୍ତି। ସୂଚନାଯୋଗ୍ୟ ଯେ କୋହଲି ଆଉ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ୍ ଦଳର ନେତୃତ୍ବ ନେଇ ପାରିଥା‌’ନ୍ତେ। ଏହା ହୋଇଥିଲେ ତାଙ୍କ ଅଧିନାୟକତ୍ବରେ ଭାରତ ୫୦ରୁ ୬୦ ଟେଷ୍ଟ୍ ଜିତି ପାରିଥା’ନ୍ତା ବୋଲି ଶାସ୍ତ୍ରୀ କିଛି ଦିନ ତଳେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe