ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଆଶଙ୍କା

Advertisment
ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଆଶଙ୍କା

Hindustan Times

ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ବକପ୍‌ ପର୍ଯ୍ୟନ୍ତ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଛନ୍ତି। ଏହି ବିଶ୍ବକପ୍‌ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ହେଲେ ଏହାପରେ ତାଙ୍କ କାର୍ଯ୍ୟକାଳ ବଢ଼ିବ ନା ନାହିଁ ତା’କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷକରି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ସରେ ଦଳର ପରାଜୟ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦଳରେ ଅଧିକାଂଶ ଶ୍ରେଷ୍ଠ ଖେଳାଳି ରହିଥିବା ସତ୍ତ୍ବେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତ କାହିଁକି ନ୍ୟୁଜିଲାଣ୍ଡ ନିକଟରୁ ହାରିଗଲା ତାହା ପ୍ରଶଂସକଙ୍କୁ ବିସ୍ମିତ କରିଛି। ଏହା ପୂର୍ବରୁ ଶାସ୍ତ୍ରୀଙ୍କ ପ୍ରଶିକ୍ଷଣରେ ପରିଚାଳିତ ଭାରତୀୟ ଦଳ ୨୦୧୯ ଦିନିକିଆ ବିଶ୍ବକପ୍‌ ଟ୍ରଫି ଜିତିବାରେ ବିଫଳ ହୋଇଥିଲା।

ଇଂଲଣ୍ଡରେ ଆୟୋଜିତ ଏହି ବିଶ୍ବକପ୍‌ ସେମିଫାଇନାଲ୍‌ରେ ଦଳ ନ୍ୟୁଜିଲାଣ୍ଡ୍‌ ନିକଟରୁ ହାରି ବିଦାୟ ନେଇଥିଲା। ଏହାସତ୍ତ୍ବେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳକୁ ବିସିସିଆଇ ଆଉ ୨ ବର୍ଷ ବୃଦ୍ଧି କରିଥିଲା। ମୁଖ୍ୟ ପ୍ରଶିକ୍ଷକ ଭାବେ ବିଗତ କିଛି ବର୍ଷର ସଫଳତାକୁ ପାଥେୟ କରି ବିସିସିଆଇ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଥିଲା। କିନ୍ତୁ କାର୍ଯ୍ୟକାଳ ବୃଦ୍ଧିର ୨ ବର୍ଷ ମଧ୍ୟରେ ଶାସ୍ତ୍ରୀ ଭାରତକୁ କୌଣସି ଆଇସିସି ଟ୍ରଫି ଜିତାଇପାରିନାହାନ୍ତି। କେବଳ ସେତିକି ନୁହେଁ ୨୦୧୩ରୁ ମଧ୍ୟ ଭାରତ ଆଇସିସି ଟ୍ରଫି ଜିତିବାରେ ସମର୍ଥ ହୋଇନି। ଶାସ୍ତ୍ରୀଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ମଧ୍ୟରେ ଭାରତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପରାସ୍ତ ହେଲା। ଏହି କାର୍ଯ୍ୟକାଳ ମଧ୍ୟରେ ଯଦିଓ ଗତବର୍ଷ ଟି-୨୦ ବିଶ୍ବକପ୍‌ ଆୟୋଜନ ହେବାର ଥିଲା କରୋନା ପାଇଁ ବନ୍ଦ ରହିଥିଲା। ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଥିବା ଟି-୨୦ ବିଶ୍ବକପ୍‌ ଶାସ୍ତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ଭାରତ ଯଦି ଟି-୨୦ ବିଶ୍ବକପ୍‌ ଜିତିବାରେ ବିଫଳ ହୁଏ ତାହାଲେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନପାରେ ବୋଲି ଅଧିକାଂଶ କିକେଟ୍‌ ପଣ୍ଡିତ ଆଲୋଚନା କରୁଛନ୍ତି।

ଏପରିସ୍ଥଳେ ପୂର୍ବତନ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ସବା କରିମ ଶାସ୍ତ୍ରୀଙ୍କୁ କିଛିଟା ସମର୍ଥନ ଦେଇଛନ୍ତି। କରିମ୍‌ଙ୍କ କହିବା କଥା ହେଲା, କେବଳ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ସ ପରାଜୟକୁ ନେଇ ଶାସ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ମାପିବା ଠିକ୍‌ ନୁହେଁ। ଶାସ୍ତ୍ରୀ ଗତ ୨ ବର୍ଷ ମଧ୍ୟରେ ଭାରତୀୟ ଦଳକୁ ଯଥେଷ୍ଟ ଉପରକୁ ନେଇପାରିଛନ୍ତି। ତାଙ୍କ ସମୟରେ ଭାରତ ପ୍ରାୟତଃ ସବୁ ଦ୍ବିପାକ୍ଷିକ ଶୃଙ୍ଖଳା ଜିତିଛି। ପୁଣି ସେହି ସଫଳତା ବଳରେ ହିଁ ଡବ୍ଲୁଟିସି ଫାଇନାଲ୍‌ରେ ପହଞ୍ଚିପାରିଥିଲା। ତେଣୁ ମୋ ମତରେ ଶାସ୍ତ୍ରୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଦଳ ପାଇଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ବୋଲି କରିମ କହିଛନ୍ତି। ଭାରତ ଯେ ଡବ୍ଲୁଟିସି ଫାଇନାଲ୍‌ ଜିତିବା ଉଚିତ ଥିଲା ବୋଲି ପ୍ରଶଂସକମାନଙ୍କ ସହ ମୁଁ ଏକମତ। ହେଲେ ଦ୍ବିପାକ୍ଷିକ ଶୃଙ୍ଖଳାଗୁଡ଼ିକରେ ଭାରତ ଖୁବ୍‌ ଭଲ କରିଛି। ଆମେ ମଧ୍ୟ ବିଶ୍ବ ମାନ୍ୟତାର ଶୀର୍ଷକୁ ଯାଇପାରିଥିଲେ। ଦଳଗତ ଭାବେ ଭାରତ ଭଲ ପ୍ରଦର୍ଶନ କରିଥିଲା। ହେଲେ ଡବ୍ଲୁଟିସି ଫାଇନାଲ୍‌ ହାରିଯିବା ଏକ ଭିନ୍ନ କଥା ବୋଲି କରିମ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe