ଜାତୀୟ ଚୟନକର୍ତା ଦୌଡ଼ରେ ଶିବ ଓ ଦେବା

Advertisment
ଜାତୀୟ ଚୟନକର୍ତା ଦୌଡ଼ରେ ଶିବ ଓ ଦେବା

ଭୁବନେଶ୍ବର/ନୂଆଦିଲ୍ଲୀ : ବିସିସିଆଇର ଜାତୀୟ ବରିଷ୍ଠ ଚୟନ ସମିତିରେ ଖାଲି ପଡ଼ିଥିବା ତିନିଟି ପଦ ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ‌ ହୋଇଛି। ଓଡ଼ିଶାର ପ୍ରଥମ ଦୁଇ ଟେଷ୍ଟ୍ କ୍ରିକେଟର୍‌ ଦେବାଶିଷ ମହାନ୍ତି ଏବଂ ଶିବସୁନ୍ଦର ଦାସ ଏହି ଦୌଡ଼ରେ ସାମିଲ‌ ହୋଇଛନ୍ତି। ରବିବାର ଆବେଦନ ଲାଗି‌ ଶେଷ ତାରିଖ ଥିବାବେଳେ ଏହି ଦୁଇ ପୂର୍ବତନ ଓଡ଼ିଶା ଅଧିନାୟକଙ୍କ ସହିତ ପୂର୍ବତନ ଦ୍ରୁତ ବୋଲର୍ ଅଜିତ୍ ଅଗରକର, ଚେତନ ଶର୍ମା ଏବଂ ସ୍ପିନର୍‌ ମନିନ୍ଦର ସିଂହ ମଧ୍ୟ ଦୌଡ଼ରେ ସାମିଲ ହୋଇଛନ୍ତି। ଅଗରକର, ଚେତନ, ମନିନ୍ଦର, ଶିବସୁନ୍ଦର ଦୃଢ଼ ଦାବିଦାର ଥିବା କୁହାଯାଉଛି। ବର୍ତମାନ କନିଷ୍ଠ ବର୍ଗର ବିସିସିଆଇ ଚୟନ ସମିତି ସଦସ୍ୟ ଥିବା ଦେବାଶିଷ ମହାନ୍ତି ବରିଷ୍ଠ ବର୍ଗ ଦୌଡ଼କୁ ସାମିଲ ହୋଇଛନ୍ତି। ଦେବାଶିଷ ବରିଷ୍ଠ ବର୍ଗକୁ ଉନ୍ନୀତ ହେ‌ଲେ ତାଙ୍କ ବଦଳରେ ବେଙ୍ଗଲର ରଣଦେବ ବୋଷଙ୍କୁ କନିଷ୍ଠ ବର୍ଗରେ ସାମିଲ କରାଯିବାର ସମ୍ଭାବନା ରହିଥିବା କଥା ମଧ୍ୟ ଆଲୋଚନା ପରିସରକୁ ଆସିଛି।

ବିସିସିଆଇ ପ୍ରତି ଜୋନଭିତ୍ତିକ ପ୍ରତିନିଧିତ୍ବ ପରମ୍ପରାକୁ ବଜାୟ ରଖିବା ନେଇ ଜଟିଳ ସମସ୍ୟାରେ ରହିଛି। ଚଳିତ ବର୍ଷ ପ୍ରାରମ୍ଭରେ ସୁନିଲ ଯୋଶୀ ଏବଂ ହରବିନ୍ଦର ସିଂହଙ୍କ ଚୟନ କରାଯିବା ପରେ ଏହି ବିଶ୍ବାସ ଆସିଥିଲା। କିନ୍ତୁ ନବଗଠିତ ବିସିସିଆଇ ସମ୍ବିଧାନରେ କୌଣସି ନିର୍ଦ୍ଧିଷ୍ଟ ନୀତି କଥା କୁହାଯାଇନାହିଁ। ବରଂ ଶ୍ରେଷ୍ଠ ୫ ପ୍ରାର୍ଥୀ ନିଯୁକ୍ତ ହେବେ ବୋଲି ସ୍ପଷ୍ଟ କରାଯାଇଛି। ଗତଥର ଆବେଦନ ବେଳେ ଅଗରକର ଓ ମନିନ୍ଦର ଆବେଦନ କରିଥିଲେ ମଧ୍ୟ ସୁଯୋଗ ପାଇନଥିଲେ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଲକ୍‌ଡାଉନ୍ ପୂର୍ବରୁ ସ୍ପଷ୍ଟ କରିଥିଲେ ଅଗରକର ଓ ମନିନ୍ଦରଙ୍କ ପୂର୍ବ ଆବେଦନ ଏଥର ବି କାଏମ ରହିବ। କିନ୍ତୁ ସୁରକ୍ଷିତ ରହିବା ଦୃଷ୍ଟିରୁ ସେମାନେ ପୁନଃଆବେଦନକୁ ପସନ୍ଦ କରିଛନ୍ତି।

ଅନ୍ତର୍ଜାତୀୟ ଅଭିଜ୍ଞତା ଦୃଷ୍ଟିରୁ ଅଗରକର ଏଥର କେବଳ ସଦସ୍ୟ ନୁହଁନ୍ତି ଚୟନ ସମିତି ଅଧ୍ୟକ୍ଷ ହେବା ସମ୍ଭାବନା ରହିଛି। ଜୋନାଲ ପ୍ରତିନିଧିତ୍ବ ଅନିଶ୍ଚିତତା କାରଣରୁ ପୂର୍ବାଞ୍ଚଳ ପ୍ରାର୍ଥୀଙ୍କୁ ନେଇ ଦ୍ବନ୍ଦ୍ବ ମଧ୍ୟ ରହିଛି। ପୂର୍ବତନ ‌ଦ୍ରୁତ ବୋଲର୍ ରଣଦେବ ବୋଷ ଆବେଦନ କରିଥିବାରୁ ଚେତନ ଶର୍ମାଙ୍କ ସହ ଲଢ଼େଇ ହେବ। ଚେତନ ଶର୍ମା ସାମୟିକ ଭାବେ ବେଙ୍ଗଲ୍ ପାଇଁ ମଧ୍ୟ ଖେଳିଥିଲେ। ଦେବାଶିଷ ମହାନ୍ତି ଏବଂ ଶିବସୁନ୍ଦର ଦାସ ମଧ୍ୟ ପୂର୍ବାଞ୍ଚଳ ପ୍ରତିନିଧିତ୍ବ କରୁଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ଓଡ଼ିଆ ଭାବେ ଦେବାଶିଷ ମହାନ୍ତି ଭାରତ ପାଇଁ ୨ ଟେଷ୍ଟ୍ ଏବଂ ୪୫ ଦିନିକିଆ ଅନ୍ତର୍ଜାତୀୟ ଖେଳିଛନ୍ତି। ୧୧୭ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳି ୪୧୭ ୱିକେଟ୍ ନେଇ ଅଗ୍ରଣୀ ଓଡ଼ିଆ ‌ବୋଲର୍ ରହିଛନ୍ତି। ସେହିଭଳି ରାଜ୍ୟରୁ ସର୍ବାଧିକ ୨୩ ଟେଷ୍ଟ୍ ମ୍ୟାଚ୍‌ରେ ପ୍ରତିନିଧିତ୍ବ କରିବାର କୀର୍ତ୍ତିମାନ ରଖିଥିବା ଶିବସୁନ୍ଦର ଦାସ ଭାରତୀୟ ଦଳ ପାଇଁ ୪ଟି ଦିନିକିଆ ମଧ୍ୟ ଖେଳିଥିଲେ। ୧୮୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୦,୯୦୮ ରନ୍‌ ସହ ମଧ୍ୟ ଉଭୟରେ ରାଜ୍ୟ କୀର୍ତ୍ତିମାନ ରଖିଛନ୍ତି। ବିସିସିଆଇ ଜାତୀୟ ଚୟନକର୍ତା (ବରିଷ୍ଠ) ଦୌଡ଼ରେ ନିଜକୁ ସାମିଲ କରିଥିବା କଥାକୁ ମଧ୍ୟ ଉଭୟ କ୍ରିକେଟର୍ ‘ସମ୍ବାଦ’ ସହ କଥା ହେବା ବେଳେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe