ସୁଟିଂ ବିଶ୍ବକପ୍‌: ଦଳଗତ ଇଭେଣ୍ଟ‌ରେ ଭାରତକୁ ୨ ପଦକ

ସୁଟିଂ ବିଶ୍ବକପ୍‌: ଦଳଗତ ଇଭେଣ୍ଟ‌ରେ ଭାରତକୁ ୨ ପଦକ

ଭୋପାଲ : ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ପିସ୍ତଲ/ରାଇଫଲ ବିଶ୍ବକପ୍‌ରେ ଗୁରୁବାର ଭାରତକୁ ୨ (ରୌପ୍ୟ ଓ କାଂସ୍ୟ)ପଦକ ମଳିଛି। ଏହି ଦୁଇ ପଦକ ଏୟ‌ାର ପିସ୍ତଲ ମିଶ୍ରିତ ଯୁଗଳ ଯୋଡ଼ି ବରୁଣ ତୋମାର ଓ ରିଦିମ ସାଙ୍ଗୱାନ ଏବଂ ଏୟାର ରାଇଫଲ ମିଶ୍ରିତ ଯୁଗଳ ଯୋଡ଼ି ରୁଦ୍ରାକ୍ଷ ପାଟିଲ ଓ ନର୍ମଦା ନୀତୀନ ଜିତିଥିଲେ। ବରୁଣ ଓ ତୋମାର ରୌପ୍ୟ ଏବଂ ରୁଦ୍ରାକ୍ଷ ଓ ନର୍ମଦା କାଂସ୍ୟ ପଦକ ଜିତିଥିଲେ। ଏଥିସହ ଏହି ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା ୪ (୧ ସ୍ବର୍ଣ୍ଣ, ୧ ରୌପ୍ୟ, ୨ କାଂସ୍ୟ)ରେ ପହଞ୍ଚିଛି।

ସ୍ଥାନୀୟ ଏମ୍‌ପି ସୁଟିଂ ଏକାଡେମୀ ରେଞ୍ଜ୍‌ରେ ଖେଳାଯାଇଥିବା ଆଜିର ଏହି ଦୁଇ ଇଭେଣ୍ଟ୍‌ରେ ଚୀନ୍‌କୁ ସ୍ବର୍ଣ୍ଣ ପଦକ ମିଳିଥିଲା। ବୁଧବାର ଏୟାର ପିସ୍ତଲରେ ବ୍ୟକ୍ତିଗତ କାଂସ୍ୟ ଜିତିଥିବା ବରୁଣ ଗୁରୁବାର ରିଦିମ୍‌ଙ୍କ ସହ ଏୟାର ପିସ୍ତଲ ମିଶ୍ରିତ ଦଳଗତ ପ୍ରତିଯୋଗିତା ଫାଇନାଲ୍‌ରେ ଚୀନ୍‌ ଯୋଡ଼ି କ୍ବିଆନ୍‌ ୱେଇ ଓ ଲିଉ ଜିନୟାଓଙ୍କଠୁ ୧୧-୧୭ରେ ହାରି ସ୍ବର୍ଣ୍ଣରୁ ବଞ୍ଚିତ ହୋଇଥିଲେ। ତେବେ ଦ୍ବିତୀୟ ଭାରତୀୟ ଯୋଡ଼ି ସର୍ବଜୋତ ସିଂହ ଓ ଦିବ୍ୟା ଟିଏସ୍‌ ଗୋଟିଏ ପଏଣ୍ଟ ଲାଗି କାଂସ୍ୟ ପଦକରୁ ବଞ୍ଚିତ ରହିଥିଲେ। ଏହି ଯୋଡ଼ି ୫୭୪ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଥିଲେ। କାଇରୋରେ ସ୍ବର୍ଣ୍ଣ ଜିତିଥିବା ରୁଦ୍ରାକ୍ଷ ଓ ନର୍ମଦା କ୍ବାଲିଫିକେସନ୍‌ ରାଉଣ୍ଡରେ ୬୩୨ ପଏଣ୍ଟ ସହ ତୃତୀୟ ସ୍ଥା‌ନରେ ରହିଥିଲେ। କାଂସ୍ୟ ମୁକାବିଲାରେ ଏହି ଯୋଡ଼ି ଚୀନ୍‌ର ଝାଙ୍ଗ କ୍ବିଓଙ୍ଗୟୁଇ ଓ ୟୁ ହାଓନାନଙ୍କୁ ହରାଇ ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe