ସୁଟିଂ ବିଶ୍ବକପ୍‌: ମେହୁଲି-ତୁଷାର ଦେଲେ ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ

ସୁଟିଂ ବିଶ୍ବକପ୍‌: ମେହୁଲି-ତୁଷାର ଦେଲେ ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ

ଚୋଙ୍ଗୱନ: ଯୁବ ଭାରତୀୟ ବନ୍ଧୁକଚାଳକ ଅର୍ଜୁନ ବାବୁତାଙ୍କ ପରେ ମେହୁଲି ଘୋଷ ଓ ତୁଷାର ମାନେ ଯୋଡ଼ି ଏଠାରେ ଚାଲିଥିବା ବନ୍ଧୁକଚାଳନା ବିଶ୍ବକପ୍‌ରେ ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି। ସୋମବାର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ୍‌ ଫାଇନାଲ୍‌ରେ ଟୋକିଓ ଅଲିମ୍ପିକ୍‌ ରୌପ୍ୟ ବିଜେତା ଆମେରିକାର ଲୁକାସ କୋଜେନିସ୍କିଙ୍କୁ ପରାସ୍ତ କରି ଅର୍ଜୁନ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ମଧ୍ୟ ବରିଷ୍ଠ ବର୍ଗରେ ଅର୍ଜୁନଙ୍କ ପ୍ରଥମ ସ୍ବର୍ଣ୍ଣ ଥିଲା। ଆଜ‌ରବୈଜାନର ଗବାଲାରେ ଆୟୋଜିତ ୨୦୧୬ କନିଷ୍ଠ ବିଶ୍ବକପ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅର୍ଜୁନଙ୍କ ପରେ ଚଳିତ ବିଶ୍ବକପ୍‌ର ବୁଧବାର ୧୦ ମିଟର ଏୟାର ରାଇଫଲ୍‌ ମିଶ୍ରିତ ଦଳ ବର୍ଗରେ ମେହୁଲି ଓ ତୁଷାର ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ଏହି ଭାରତୀୟ ଯୋଡ଼ି ଫାଇନାଲ୍‌ରେ ହଙ୍ଗେରୀ ଯୋଡ଼ି ଇଷ୍ଟର ମେସ୍‌ଜାରୁସ ଓ ଇସ୍ତଭାନ୍‌ ପେନ୍‌ଙ୍କୁ ୧୭-୧୩ରେ ପରାସ୍ତ କରି ଭାରତ ପାଇଁ ଦ୍ବିତୀୟ ସ୍ବର୍ଣ୍ଣ ଜିତିଥିଲେ।

ଅନ୍ୟପକ୍ଷରେ ବୁଧବାର ଭାରତକୁ ଆଉ ଦୁଇଟି ପଦକ ମଧ୍ୟ ମିଳିଯାଇଛି। ପୁରୁଷ ଟ୍ରାପ୍‌ ଦଳ ରୌପ୍ୟ ଏବଂ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଯୋଡ଼ି କାଂସ୍ୟ ପଦକ ଯୋଡ଼ିଛନ୍ତି। ପୃଥ୍ବୀରାଜ ଟଣ୍ଡାଇମାନ୍‌, ଭିଭାନ କାପୁର ଓ ଭୌନେଶ ମେନ୍ଦିରାତାଙ୍କୁ ନେଇ ଗଠିତ ଟ୍ରାପ୍‌ ଦଳ ଫାଇନାଲ୍‌ରେ ମିକାଏଲ୍‌ ସ୍ଲାମ୍‌କା, ହୁବର୍ଟ ଓଲେଜନିକ୍‌ ଓ ଆଡ୍ରିଆନ୍‌ ଡ୍ରବ୍‌ନିଙ୍କୁ ନେଇ ଗଠିତ ସ୍ଲୋଭାକିଆ ଦଳ ନିକଟରୁ ୨-୬ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା। ସେହିପରି ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ଅନ୍ୟତମ ଭାରତୀୟ ଯୋଡ଼ି ପଲକ ଓ ଶିବ ନରୱାଲ ତୃତୀୟ ସ୍ଥାନ ପ୍ଲେଅଫ୍‌ ଜିତି କାଂସ୍ୟ ପଦକ କରା‌ୟତ୍ତ କରିଥିଲେ। ପଲକ ଓ ଶିବ କାଜାକସ୍ତାନ ଯୋଡ଼ି ଈରିନା ଲୋକ୍‌ସିଓନୋଭା ଓ ଭାଲେରି ରେଖିମଝାନ୍‌ଙ୍କୁ ୧୬-୦ରେ ପରାସ୍ତ କରିଦେଇଥିଲେ। ଏଥି ସହିତ ଭାରତ ଦୁଇଟି ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତି ଚୀନ୍‌ ସହିତ ଯୁଗ୍ମ ଭାବେ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ସର୍ବିଆ ୩ ସ୍ବର୍ଣ୍ଣ ପଦକ ସହ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe