ଭୁବନେଶ୍ୱର: ପାରାମାଉଣ୍ଟ୍ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଅରବିନ୍ଦ ସ୍ମାରକୀ ୧୫ ବର୍ଷରୁ କମ୍ ସର୍ବଭାରତୀୟ ଗେଲ୍ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ସହିଦ୍ ସ୍ପୋର୍ଟି ପରେ ଦ୍ୱିତୀୟ ଦଳ ଭାବେ ରାମେଶ୍ୱର ସ୍ପୋର୍ଟିଂ କ୍ଲବ୍ କ୍ୱାର୍ଟର ଫାଇନାଲ୍ ପ୍ରବେଶ କରିଛି। ରବିବାର ପ୍ରଥମ ଦିବସରେ ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରି ସହିଦ୍ ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲ୍ ପହଞ୍ଚିଥିଲା ବେଳେ ମଙ୍ଗଳବାର ବିବିସିଏ (ଭରତଭୂଷଣ କ୍ରିକେଟ୍ ଏକାଡେମି)କୁ ୧୧୨ ରନ୍ରେ ପରାସ୍ତ କରି ରାମେଶ୍ୱର ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ରାମେଶ୍ୱର ଆଶୁତୋଷ ସାହୁ (୮୪ ବଲ୍, ୮୬ ରନ୍, ୯ ଚୌକା, ୨ ଛକା)ଙ୍କ ଦ୍ରୁତ ଅର୍ଧଶତକ ସାଙ୍ଗକୁ ଏମ୍ ଗୌତମ ଗୋପାଳଙ୍କ ୪୩, ଛନ୍ଦାଚରଣ କୋଠାରୀଙ୍କ ଅପରାଜିତ ୨୩ ଓ ଆଦିତ୍ୟ ଜେନାଙ୍କ ୨୦ ରନ୍ ବଳରେ ନିର୍ଧାରିତ ୪୦ ଓଭରରେ ୫ ଓ୍ଵିକେଟ୍ ହରାଇ ୨୧୫ ରନ୍ କରି ନେଇଥିଲା। ବିବିସିଏ ପକ୍ଷରୁ ସଫଳ ବୋଲର ଭାବେ ଶିଶିର ପଟ୍ଟନାୟକ ୬ ଓଭରରେ ୨୭ ରନ୍ ଦେଇ ୩ ଓ୍ଵିକେଟ୍ ଅକ୍ତିଆର କରିଥିଲେ।
ଜବାବରେ ନିୟମିତ ଅନ୍ତରାଳରେ ଓ୍ଵିକେଟ୍ ହରାଇ ବିବିସିଏ ୨୦.୧ ଓଭରରେ ୧୦୩ ରନ୍ କରିପାରିଥିଲା। ଏକା ହିମାଂଶୁ ସ କିଛି ସମୟ ଲଢ଼େଇ କରି ୫୪ ରନ୍ କରିଥିଲେ ମଧ୍ୟ ଦଳ ବିଜୟଠୁ ବହୁ ଦୂରରେ ଅଟକି ଯାଇଥିଲା। ତେବେ ଶୁଭ୍ରକାନ୍ତ ପରିଡ଼ା (୪.୧-୧-୧୧-୫) ଘାତକ ବୋଲିଂ କରି ରାମେଶ୍ୱର ବିଜୟର ନାୟକ ସାଜିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛନ୍ଦାଚରଣ କୋଠାରୀ ୨ ଓ ଆଶୁତୋଷ ସାହୁ ଗୋଟିଏ ଓ୍ଵିକେଟ୍ ପାଇଥିଲେ। ୫ ଓ୍ଵିକେଟ୍ ସଫଳତା ପାଇଁ ଶୁଭ୍ରକାନ୍ତଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ରଣଜୀ ତାରକା ଅରବିନ୍ଦ ସିଂହ ଅତିଥି ଭାବେ ଯୋଗଦେଇ ଶୁଭ୍ରକାନ୍ତଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶରତ ସାହୁ ଓ ପ୍ରଦୀପ ପରିଡ଼ା ମ୍ୟାଚ୍ ପରିଚାଳନା କରିଥିଲା ବେଳେ ସମ୍ପଦ ପଟ୍ଟନାୟକ ମ୍ୟାଚ୍ ରେଫରି ରହିଥିଲେ। ବୀରବର ନାୟକ ସ୍କୋରର୍ ଏବଂ ଅବିନାଶ ସାମଲ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ। ଆସନ୍ତାକାଲି ଓସ୍କାର୍ ଓ ୟୁନିଅନ୍ ସ୍ପୋର୍ଟିଂ ମଧ୍ୟରେ ତୃତୀୟ ପ୍ରିକ୍ୱାର୍ଟର ଫାଇନାଲ୍ ଖେଳାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us