ମୁମ୍ବାଇ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରୋହିତ ଶର୍ମା, ବିରାଟ କୋହଲି ଓ ଆର ଅଶ୍ବିନଙ୍କ ଅବସର ପରେ କିଏ ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ ଅଧିନାୟକ ହେବ? ବହୁଦିନ ହେବ ଲାଗିରହିଥିବା ସେ ଅଙ୍କକଷାରେ ପୂର୍ଣ୍ଣଛେଦ ପଡ଼ିଛି। ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ବରିଷ୍ଠ ଚୟନ ସମିତି ୨୫ ବର୍ଷୀୟ ପଞ୍ଜାବୀ ତାରକା ଶୁବମନ ଗିଲ୍ଙ୍କ ମୁଣ୍ଡରେ ସୁନାକଳସ ଢ଼ାଳିଛି। ଇଂଲଣ୍ଡ ଗସ୍ତ ଲାଗି ଗିଲ୍ଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି। ଫଳରେ ଭାରତୀୟ କ୍ରିକେଟ୍ରେ ଏକ ନୂଆ ଯୁଗର ଶୁଭାରମ୍ଭ ହୋଇଛି। ଅଧିନାୟକ ନିଯୁକ୍ତ ହେବା ପରେ ତାଙ୍କ ଗୌରବମୟ ଯାତ୍ରାର ଶୁଭକାମନା କରି ବହୁ ପୂର୍ବତନ କ୍ରିକେଟର୍ ଶୁଭେଚ୍ଛାବାର୍ତ୍ତା ପଠାଇଛନ୍ତି। ସେହିଭଳି ଗିଲ୍ଙ୍କ ନେତୃତ୍ବରେ ଇଂଲଣ୍ଡରେ ଭାରତ ଭଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗିଲ୍ଙ୍କୁ ଏହି ଗୁରୁ ଦାୟିତ୍ବ ମିଳିବା ପରେ ସେ ନିଜର ଖୁସି ଜାହିର୍ କରିଛନ୍ତି।
ସେ କହିଛନ୍ତି ଯେ, "ଟେଷ୍ଟ ଦଳର ଅଧିନାୟକତ୍ୱ ମିଳିବା ଏକ ବଡ଼ ଦାୟିତ୍ୱ। ଗୋଟିଏ ଛୋଟ ପିଲା ଭାବରେ, ଯେତେବେଳେ ଜଣେ କ୍ରିକେଟ ଖେଳିବା ଆରମ୍ଭ କରେ, ସେ ଭାରତ ପାଇଁ ଖେଳିବାକୁ ଚାହେଁ... ତା'ର ସ୍ୱପ୍ନ ଥାଏ ଭାରତ ପାଇଁ କ୍ରିକେଟ ଖେଳିବା। କେବଳ ଭାରତ ପାଇଁ ନୁହେଁ, ବରଂ ବହୁତ ଦିନ ଧରି ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିବା। ମୁଁ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଚାହୁଁଛି। ଏହି ସୁଯୋଗ ପାଇବା ମୋ ପାଇଁ ଗର୍ବର ଏବଂ ଗୌରବର ବିଷୟ। ଏହା ସହ ଏକ ବଡ଼ ଦାୟିତ୍ୱ ମଧ୍ୟ।"
ତେବେ ଗିଲ୍ ଟେଷ୍ଟ କ୍ରିକେଟରେ ଭାରତର ଅଧିନାୟକ ହୋଇଥିବା ୩୭ତମ ଖେଳାଳି ଏବଂ ମନସୁର ଅଲି ଖାନ ପଟୌଦି, ସଚିନ ତେନ୍ଦୁଲକର, କପିଲ ଦେବ ଏବଂ ରବି ଶାସ୍ତ୍ରୀଙ୍କ ପରେ ଏହି ଦାୟିତ୍ୱ ଗ୍ରହଣ କରିଥିବା ପଞ୍ଚମ ସର୍ବକନିଷ୍ଠ ଖେଳାଳି। ଟେଷ୍ଟ ଅଧିନାୟକ ଭାବରେ ଗିଲ୍ ଇଂଲଣ୍ଡରେ ଜୁନ୍ ୨୦ରୁ ଆରମ୍ଭ ହେଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ଅଧିନାୟକତ୍ବ କରିବେ।
Follow Us