ଗଜପତି ଜିଲ୍ଲାର ଗର୍ବ ଶ୍ବେତାସିନୀ, ଲକ୍ଷ୍ୟ ୨୦୨୮ ଅଲିମ୍ପିକ

ଗଜପତି ଜିଲ୍ଲାର ଗର୍ବ ଶ୍ବେତାସିନୀ, ଲକ୍ଷ୍ୟ ୨୦୨୮ ଅଲିମ୍ପିକ

ପାରଳାଖେମୁଣ୍ଡି: ଚିନ୍‌ର ହୁଆଙ୍ଗଝୁରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଭାଗ ନେବାକୁ ଯାଉଥିବା ଭାରତୀୟ ମହିଳା ସଫ୍ଟବଲ୍‌ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଶ୍ବେତାସିନୀ ଶବର। ତାଙ୍କର ନିଜ ଘର ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କଳାକୋଟ ଗ୍ରାମରେ ହୋଇଥିବା ବେଳେ ଭୁବନେଶ୍ବରର ‘କିସ୍‌ରେ ଶ୍ବେତାସିନୀ ଏବେ ମନସ୍ତତତ୍ତ୍ବବିଜ୍ଞାନରେ ସ୍ନାତ କୋତ୍ତର ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ତୃତୀୟ ଶ୍ରେଣୀରୁ ସେ ‘କିସ୍‌ରେ ରହି ପାଠପଢ଼ୁଥିବା ବେଳେ ୬ଷ୍ଠ ଶ୍ରେଣୀରୁ ବାସ୍କେଟବଲ୍ ଏବଂ ସଫ୍ଟବଲ୍ ଖେଳିବା ପାଇଁ ଆଗ୍ରହୀ ହୋଇଥିଲେ। ଯାହାକି ଆଜି ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ଦେଶ ପାଇଁ ପ୍ରତିନିଧିତ୍ବ କରିବା ସୁଯୋଗ ପାଇଥିବାରୁ ନିଜକୁ ଗୌରାବନ୍ବିତ ମନେ କରୁଥିବା ବେଳେ ୨୦୨୮ ଅଲିମ୍ପିକ୍‌ରେ ଭାରତ ପାଇଁ ପ୍ରତିନିଧିତ୍ବ କରିବା ତାଙ୍କର ଲକ୍ଷ୍ୟ ଥିବା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ଗଜପତି ଜିଲ୍ଲାର ଏକ ଆଦିବାସୀ ଗ୍ରାମରୁ ଯାଇ ଦେଶ ପାଇଁ ପ୍ରତିନିଧିତ୍ବ କିବାର ସୁଯୋଗ ପାଇଥିବା ଶ୍ବେତାସିନୀଙ୍କୁ ନେଇ ସାରା ଜିଲ୍ଲାବାସୀ ଉତ୍ସାହିତ। ଭାରତୀୟ ମହିଳା ସଫ୍ଟବଲ୍ ଦଳରେ ସ୍ଥାନ ପାଇଥିବା ଖବର ପ୍ରସାରିତ ହେବା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଗଜପତି ଜିଲ୍ଲାବାସୀଙ୍କୁ ସେ ଗୌରାନ୍ବିତ କରିଥିବା ଦର୍ଶାଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଥିପାଇଁ ଅପରାହ୍‌ଣରେଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ତାଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା କାମନା କରି ଶୁଭେଚ୍ଛା ଜଣାଇଥିଲେ।

ଶ୍ବେତାସିନୀଙ୍କ ବାପା ଧମେନ୍ଦ୍ର ଶବର ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ପିଲାଙ୍କ ପାଠପଢ଼ା ପାଇଁ ସେ ନିଜ ଗାଁ ବଡ଼କଳାକୋଟ ଛାଡ଼ି ଭୁଗାଲ ଗ୍ରାମରେ ଆସି ରହିଥିଲେ। ୪ ପିଲା (୨ ପୁଅ, ୨ଝିଅ)ଙ୍କ ମଧ୍ୟରେ ବଡ଼ ଝିଅ ଶ୍ବେତାସିନୀଙ୍କ ପାଠପଢ଼ାରେ ଆଗ୍ରହକୁ ଦେଖି ତାଙ୍କୁ ତୃତୀୟ ଶ୍ରେଣୀରୁ ଭୁବନେଶ୍ବର ସ୍ଥିତ ଅଚ୍ୟୁତ ସାମନ୍ତଙ୍କ ଅନୁଷ୍ଠାନ ‘କିସ୍‌ରେ ନାମ ଲେଖାଇଥିଲେ। ଶ୍ବେତାସିନୀ ସେଠାରେ ପଢ଼ିବା ସହ ୬ଷ୍ଠ-୭ମ ଶ୍ରେଣୀରୁ ବେସ୍‌ବଲ୍ ପ୍ରତି ଆକୃଷ୍ଟ ହୋଇଥିଲେ। ପ୍ରଶିକ୍ଷକ ବିନୁ ସାହୁ ତାଙ୍କୁ ଉତ୍ସାହିତ କରିବା ସହ ଏହି ବେସ୍‌ବଲ୍ ଏବଂ ଏହା ସହ ସମାନତା ଥିବା ସଫ୍ଟବଲ୍ କ୍ରୀଡ଼ାର ବିଭିନ୍ନ କୌଶଳ ଶିଖାଇଥିଲେ। ଏହି କଠିନ ଅଧ୍ୟବସାୟ ବଳରେ ସେ ଏହି ଦୁଇ କ୍ରୀଡ଼ାରେ ଦକ୍ଷତା ହାସଲ କରିଥିଲେ। ଫଳରେ ୨୦୧୭ମସିହାରେ ଆମେରିକାରେ ଅନୁଷ୍ଠିତ କନିଷ୍ଠ ବର୍ଗ ସଫ୍ଟବଲ୍ ବିଶ୍ବକପ୍‌ରେ ଭାରତ ପାଇଁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ୨୦୨୦ରେ ଚିନ୍‌ ଠାରେ ଅନୁଷ୍ଠିତ ବେସ୍‌ବଲ୍ ଲିଗ୍‌ରେ ମଧ୍ୟ ସେ ଦେଶ ପାଇଁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ଏବେ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ସଫ୍ଟବଲ୍ ଦଳରେ ସ୍ଥାନ ପାଇଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି। ଏଥିରେ ଭଲ ପ୍ରଦର୍ଶନ କରି ଦେଶପାଇଁ ପଦକ ଜିତିବା ଏବେ ତାଙ୍କର ପ୍ରଧାନ ଲକ୍ଷ୍ୟ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe