ସିଲି ପଏଣ୍ଟ୍‌: ନାରାୟଣଙ୍କୁ ‘ସୁପର୍‌ମ୍ୟାନ୍’ କହିଲେ ଶାହାରୁଖ୍‌

ସିଲି ପଏଣ୍ଟ୍‌: ନାରାୟଣଙ୍କୁ ‘ସୁପର୍‌ମ୍ୟାନ୍’ କହିଲେ ଶାହାରୁଖ୍‌

ଚମତ୍କାର ଅଲ୍‌ରାଉଣ୍ଡର୍ ଭାବେ ଉଭା ହୋଇଥିବା ୱେଷ୍ଟଇଣ୍ଡିଆନ୍ ଖେଳାଳି ସୁନୀଲ ନାରାୟଣଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ମାଲିକ ଶାହରୁଖ ଖାନ୍‌। ବିଗତ ୧୦ ବର୍ଷ ଧରି ଆଇପିଏଲ୍‌ରେ ନାରାୟଣଙ୍କ ପାଇଁ କେକେଆର୍‌ ସଫଳତା ପାଇଛି ବୋଲି ଶାହରୁଖ ସ୍ବୀକାର କରିଛନ୍ତି। ବଡ଼ ବଡ଼ ଛକା, ରନ୍‌ର ପାହାଡ଼ ସହିତ ୱିକେଟ୍‌ ଦଖଲ କ୍ଷମତା ନାରାୟଣଙ୍କୁ ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ କରି ଦେଇଛି। ଶାହରୁଖ କହିଛନ୍ତି ‘ଆମ ଘରେ ଆମେ ତାଙ୍କୁ ସୁପରମ୍ୟାନ୍‌ ଡାକିଥାଉ, ପଡ଼ିଆ ଭିତରେ ସେ ମାଲିକ ଭଳି-ଜଣେ ଖେଳାଳି, ଜଣେ ବୋଲର, ଜଣେ ବ୍ୟାଟର୍‌, ଜଣେ ୱିକେଟରକ୍ଷକ, ଜଣେ କ୍ଷେତ୍ରରକ୍ଷକ। ସେ ‌ଯେକୌଣସି ଦାୟିତ୍ବ ତୁଲାଇବା ଭଳି ଜଣେ ଖେଳାଳି। ଷ୍ଟାର୍ ସ୍ପୋର୍ଟସ ସୋ ‘ନାଇଟ୍ କ୍ଲବ୍ ପ୍ରେଜେଣ୍ଟ୍‌ସ-କିଙ୍ଗ୍ ଖାନ୍‌ସ ରୁଲ୍ସ’ରେ ୩୫ ବର୍ଷୀୟ ସୁନୀଲ ନାରାୟଣଙ୍କ ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କ ଅବଦାନ କାରଣରୁ ୨୦୧୨ ଓ ୨୦୧୪ରେ କେକେଆର୍‌ ଆଇପିଏଲ୍ ଟ୍ରଫି ଜିତିଥିଲା ବୋଲି ପ୍ରକାଶ କରିଥିଲେ।

ଏହି ଦୁଇ ଋତୁରେ ନାରାୟଣ ଯଥାକ୍ରମେ ୨୧ ଓ ୨୪ ୱିକେଟ୍‌ ଦଖଲ କରି ଓଭରସିଜ୍‌ ସ୍ପିନରଙ୍କ ମଧ୍ୟରେ ଅଗ୍ରଣୀ ରହିଥିଲେ। ସୁନୀଲଙ୍କ ଭଳି ଜଣେ ଖେଳାଳି ପାଇଥିବାରୁ ଆମେ ଗର୍ବିତ। ସେ ଅତି ଉତ୍ସାହୀ ଓ ସୁନ୍ଦର ବ୍ୟକ୍ତି। ମୁଁ ଯେମିତି କହିଲି ‘‌ସେ ଯେ କୌଣସି କାମ କରିବା ଭଳି ଖେଳାଳି’ ବୋଲି ଶାହରୁଖ ପ୍ରକାଶ କରିଥିଲେ। ସୁନୀଲ ନାରାୟଣ ଏବଂ ତାଙ୍କ ଦେଶର ଆନ୍ଦ୍ରେ ରସେଲଙ୍କ ଉପରେ କେକେଆର୍ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଆଘାତ ଲାଗିଲେ ସମ୍ପୂର୍ଣ୍ଣ ଦଳକୁ କଷ୍ଟ ହୁଏ। ଭାବି ଦେଖନ୍ତୁ ଏମାନଙ୍କ ବିନା କେକେଆର୍‌ ସ୍ଥିତି। ଏମାନେ କେକେଆର୍‌ ପରିବାର ସଦସ୍ୟ ଭଳି। ରସେଲଙ୍କ ପୋଷାକ ଓ ହେୟାରଷ୍ଟାଇଲ୍‌କୁ ବି ସେ ପସନ୍ଦ କରନ୍ତି ବୋଲି ଶାହରୁଖ କହିଥିଲେ। ରସେଲ ଓ ରିଙ୍କୁ ସିଂହଙ୍କ ଘନିଷ୍ଠତା ବଢ଼ିଥିବାରୁ ଏହାକୁ ସେ ପୁରୁଣା ଦିନର କ୍ଲାସିକ୍ ସିନେମା ‘ସୋଲେ’ର ‘ଜୟ-ବୀରୁ’ଙ୍କ ସମ୍ପର୍କ ସହ ତୁଳନା ମଧ୍ୟ କରିଥିଲେ। ଗୌତମ ଗମ୍ଭୀର ସର୍ବଦା କେକେଆର୍‌ର ମାର୍ଗଦର୍ଶକ ରହିବେ। ତାଙ୍କ ପାଇଁ ଦଳ ଭିତରେ କେବେ ଅସୂୟା ଭାବ ନଥାଏ ବୋଲି ଶୁକ୍ରବାର ପ୍ରସାରିତ ଏହି ଷ୍ଟାର ସ୍ପୋର୍ଟସ କାର୍ଯ୍ୟକ୍ରମରେ ଶାହରୁଖ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe