ଭୁବନେଶ୍ୱର: ଓଡ଼ିଶାର ଦୁଇ ଶୀର୍ଷ ମାନ୍ୟତା ମହିଳା ଖେଳାଳି ଶିଳ୍ପୀସ୍ୱରୂପା ଦାସ ଓ ତାଙ୍କ ସାଥୀ ଅନମ ଅଲ୍ମାସ ବିହାରର ପାଟନାରେ ଗତ ୩୦ ତାରିଖରୁ ଚାଲିଥିବା ଆଇଟା ୫୦,୦୦୦ ପୁରସ୍କାର ରାଶି ବିଶିଷ୍ଟ ଟେନିସ୍ ପ୍ରତିଯୋଗିତାରେ ଉପବିଜେତା ହୋଇଛନ୍ତି। ପାଟଳିପୁତ୍ର ଟେନିସ୍ କେନ୍ଦ୍ରରେ ଶନିବାର ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ଓଡ଼ିଶା ଯୋଡ଼ି ସିଧାସଳଖ ୪-୬ ଓ ୪-୬ ସେଟ୍ରେ ବିହାର ଯୋଡ଼ି ମେଧାବୀ ସିଂହ ଓ ଅଦିତି ଶ୍ରେୟାଙ୍କ ନିକଟରୁ ହାରି ଯାଇଥିଲେ। ଶିଳ୍ପୀ-ଅନମ ସେମିଫାଇନାଲ୍ରେ ମହାରାଷ୍ଟ୍ର-ଉତ୍ତର ପ୍ରଦେଶ ଯୋଡ଼ି କୋମଲ ନାଗରେ ଓ ମାରିୟାମ୍ ଖାନ୍ଙ୍କୁ ୬-୩, ୬-୩ ସିଧାସଳଖ ସେଟ୍ରେ ପରାସ୍ତ କରିଥିଲେ। ହେଲେ ଫାଇନାଲ୍ରେ ଝୁଣ୍ଟିଲେ। ତେବେ ପରାଜୟ ପାଇଁ ଉଭୟ ଖେଳାଳି ରାଜ୍ୟରେ ଟେନିସ୍ କୋର୍ଟର ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଗତବର୍ଷ ଡିସେମ୍ବରରୁ ୪ଟି ସିନ୍ଥେଟିକ୍ ଟେନିସ୍ କୋର୍ଟ ନବୀକରଣ ଉଦେଶ୍ୟରେ ନଷ୍ଟ କରିଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ରୀଡ଼ା ବିଭାଗ ଏହାକୁ ଖେଲିବାରେ ଅକ୍ଷମ ହୋଇଛି। ଫଳରେ ଆମେ ଅଧିକ ଅଭ୍ୟାସ ସୁଯୋଗ ପାଇଥିଲେ ପାଟନାରେ ନିଶ୍ଚିତ ଫାଇନାଲ୍ ଜିତିପାରିଥାନ୍ତୁ ବୋଲି ଉଭୟ ଶିଳ୍ପୀ ଓ ଅନମ କହିଛନ୍ତି। ପେସାଦାର ଖେଳାଳି ଭାବେ ଆମକୁ ଦୈନିକ ୭ରୁ ୮ ଘଣ୍ଟା ପ୍ରସ୍ତୁତି କରିବାକୁ ପଡ଼ିଥାଏ। ହେଲେ କୋର୍ଟର ଅବ୍ୟବସ୍ଥା ଯୋଗୁଁ ଗତ ଏକ ବର୍ଷ ଧରି ଆମେ ମାତ୍ର ୨ ଘଣ୍ଟା ପାଇଁ ଅଭ୍ୟାସ କରିପାରୁଛୁ। ଏପରି ହେଲେ ଆମେ କିପରି ଅନ୍ୟ ରାଜ୍ୟ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବୁ ବୋଲି ଦୁହେଁ ପ୍ରଶ୍ନ କରିଛନ୍ତି। ଏପରି ସ୍ଥିତି ଲାଗି ରହିଲେ ଟେନିସ୍ ଖେଳ ଛାଡ଼ିଦେବାକୁ ବାଧ୍ୟ ହେବୁ ବୋଲି ଉଭୟେ ଚେତାଇ ଦେଇଛନ୍ତି।
ଶିଳ୍ପୀସ୍ୱରୂପା-ଅନମ ଉପବିଜେତା
Advertisment
Follow Us