ବର୍ମିଂହାମ, ୧ା୮: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଡ଼ୋରୁ ଭାରତର ସୁଶୀଳା ଦେବୀ ରୌପ୍ୟ ପଦକ ଜିତିଥିବା ବେଳେ ଏହି ଖେଳରୁ ଆଉ ୩ ପଦକ ଆଶା ରହିଛି। ମହିଳା ୪୮ କେଜି ବର୍ଗର ଫାଇନାଲ୍ରେ ସୁଶୀଳା ଦେବୀ ଲିକମାବାମ ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାର ମିଚିଲା ହ୍ବାଇଟବୋଇଙ୍କଠାରୁ ହାରି ଯାଇଥିଲେ। ଅନ୍ୟତମ ଭାରତୀୟ ବିଜୟ କୁମାର ଯାଦବ (ପୁରୁଷ ୬୦ କେଜି) କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲେ। କାଂସ୍ୟ ମୁକାବିଲାରେ ସେ ୧୦-୦ରେ ସାଇପ୍ରସର ପେଟ୍ରୋସ ଖ୍ରିେଷ୍ଟାଡଉଲିଡସ୍ଙ୍କୁ ହରାଇଥିଲେ। ସୁଶୀଳାକ୍ବାର୍ଟର ଫାଇନାଲ୍ରେ ମାଲାୱିର ହାରିଏତ ବୋନଫେସଙ୍କୁ ଏବଂ ସେମିଫାଇନାଲ୍ରେ ପ୍ରିସିଲା ମୋରାଣ୍ଡଙ୍କୁ ହରାଇ ଫାଇନାଲ୍ରେ ପହଞ୍ଚିଥିଲେ।
ଅନ୍ୟ ୨ ଜଣ ସୁଚିକା ତାରିୟାଲ (ମହିଳା ୫୭ କେଜି), ଯଶଲିନ ସିଂହ ସୈନି (ପୁରୁଷ ୬୬ କେଜି) କାଂସ୍ୟ ପଦକ ପାଇଁ ଲଢ଼ିବେ। ପୂର୍ବରୁ ବିଜୟ ମରିସସ୍ର ୱିନସ୍ଲେ ଗାଙ୍ଗାୟାଙ୍କୁ ହରାଇ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିଲେ। ହେଲେ କ୍ବାର୍ଟର ଫାଇନାଲ୍ରେ ଅଷ୍ଟ୍ରେଲିଆର ଜୋସୁଆ କଜ୍ଙ୍କଠୁ ପରାଜିତ ହୋଇଥିଲେ। କଜ୍ ଫାଇନାଲ୍ରେ ପହଞ୍ଚିବାରୁ ବିଜୟ ରିପିଚେଜ୍ ଖେଳିଥିଲେ। ରିପିଚେଜ୍ରେ ସେ ସ୍କଟଲାଣ୍ଡର ଦିଲେନ ମୁନ୍ରୋଙ୍କୁ ହରାଇ କାଂସ୍ୟ ମୁକାବିଲାରେ ପହଞ୍ଚିଥିଲେ। ସୁଚିକା ପ୍ରିକ୍ବାର୍ଟର ଫାଇନାଲ୍ରେ ଜାମ୍ବିଆର ରିତା କବିନ୍ଦାଙ୍କୁ ହରାଇଥିଲା ବେଳେ କ୍ବାର୍ଟର ଫାଇନାଲ୍ରେ କାନାଡ଼ାର ଖ୍ରିଷ୍ଟା ଡେଗୁଚିଙ୍କଠୁ ହାରି ଯାଇଥିଲେ। ଡେଗୁଚି ଫାଇନାଲ୍ରେ ପହଞ୍ଚିଯିବାରୁ ସୁଚିକା ରିପିଚେଜ୍ ଖେଳିବାକୁ ସୁଯୋଗ ପାଇଥିଲେ। ରିପିଚେଜ୍ରେ ସେ ଡୋନା ବ୍ରିତେନବାକଙ୍କୁ ହରାଇ କାଂସ୍ୟ ମୁକାବିଲାରେ ପହଞ୍ଚିଥିଲେ। ଯଶଲିନ୍ ଭାନଉତୁର ମାକ୍ସେନ୍ସଙ୍କୁ ଏବଂ ନର୍ଦନ ଆୟର୍ଲାଣ୍ଡର ନାଥନ ବର୍ଣ୍ଣ୍ସଙ୍କୁ ହରାଇବା ପରେ ସେମିଫାଇନାଲ୍ରେ ସ୍କଟଲାଣ୍ଡର ଫିନ୍ଲେ ଆଲାନଙ୍କଠୁ ହାରି ଫାଇନାଲ୍ରୁ ବଞ୍ଚିତ ହୋଇଥିଲେ। ଏବେ ସେ କାଂସ୍ୟ ପାଇଁ ଲଢ଼ିବେ।
ମୁଷ୍ଟିଯୁଦ୍ଧ କ୍ବାର୍ଟରରେ ଅମିତ, ହୁସାମୁଦ୍ଦିନ
ଭାରତୀୟ ମୁଷ୍ଟିଯୋଦ୍ଧା ଅମିତ ପଙ୍ଘଲ ଓ ମହମ୍ମଦ ହୁସାମୁଦ୍ଦିନ ନିଜ ବର୍ଗର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସୋମବାର ପୁରୁଷ ଫ୍ଲାଏୱେଟ୍ (୫୧ କେଜି) ପ୍ରିକ୍ବାର୍ଟର ଫାଇନାଲ୍ରେ ବିଶ୍ବ ରୌପ୍ୟ ବିଜେତା ଅମିତ ୫-୦ରେ ଭାନୁଆତୁର ନାମ୍ରି ବେରିଙ୍କୁ ହରାଇଛନ୍ତି। ଗତ ସଂସ୍କରଣରେ ରୌପ୍ୟ ଜିତିଥିବା ଅମିତ ଦ୍ବିତୀୟ ପଦକ ଦୌଡ଼ରେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି। ପୁରୁଷ ଫିଦରୱେଟ୍ (୫୪-୫୭କେଜି) ପ୍ରିକ୍ବାର୍ଟର ଫାଇନାଲ୍ରେ ହୁସାମୁଦ୍ଦିନ ୫-୦ରେ ବାଂଲାଦେଶର ସଲିମ ହୁସେନଙ୍କୁ ମାତ୍ ଦେଇଛନ୍ତି।
ସନ୍ତରଣ: ସଜନଙ୍କ ଅଭିଯାନ ଶେଷ
ଭାରତୀୟ ସନ୍ତରଣକାରୀ ସଜନ ପ୍ରକାଶଙ୍କ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ ଶେଷ ହୋଇଛି। ସୋମବାର ପୁରୁଷ ୧୦୦ ମିଟର ବଟରଫ୍ଲାଏ ସେମିଫାଇନାଲ୍ରେ ପହଞ୍ଚିବାରେ ବିଫଳ ହୋଇଥିଲେ ସଜନ। ସଜନ (୫୪.୩୬ ସେକେଣ୍ଡ) ହିଟ୍ରେ ସପ୍ତମ ଓ ମୋଟରେ ୧୯ତମ ସ୍ଥାନରେ ରହିଥିଲେ। ପୂର୍ବରୁ ସେ ୫୦ ଓ ୨୦୦ ମିଟର ବଟରଫ୍ଲାଏର ଫାଇନାଲ୍ରେ ପହଞ୍ଚିବାରେ ମଧ୍ୟ ବିଫଳ ହୋଇଥିଲେ।
ଭଲ୍ଟରେ ଜିମ୍ନାଷ୍ଟ ପ୍ରଣତି ପଞ୍ଚମ
ପ୍ରଣତି ନାୟକ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସର ମହିଳା ଭଲ୍ଟ ଫାଇନାଲ୍ରେ ପଞ୍ଚମ ସ୍ଥାନରେ ରହିଛନ୍ତି। ୨୦୧୯ ଓ ୨୦୨୨ ଏସୀୟ ବିଜେତା ୨୭ ବର୍ଷୀୟା ଏହି ପଶ୍ଚିମବଙ୍ଗ ଝିଅ ନିଜର ହାରାହାରି ୧୨.୬୯୯ ପଏଣ୍ଟ ପାଇଥିଲେ।
Follow Us