କଲି (କଲମ୍ବିଆ), ୬ା୮: ଭାରତୀୟ ଟ୍ରିପଲ ଜମ୍ପର୍ ସେଲ୍ଭା ପି ଥିରୁମାରନ କନିଷ୍ଠ (୨୦ ବର୍ଷରୁ କମ୍) ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ୧୭ ବର୍ଷ ବୟସ୍କ ଭାରତୀୟ ଆଥ୍ଲେଟ୍ ୧୬.୧୫ ମିଟର ଦୁରତ୍ବକୁ ଲମ୍ଫ ମାରି ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ଦ୍ବିତୀୟ ସ୍ଥାନରେ ରହିଥିଲେ। ଦ୍ବିତୀୟ ପ୍ରୟାସରେ ହିଁ ଥିରୁମାରନ ରୌପ୍ୟ ନିଶ୍ଚିତ କରିଥିଲେ। ସେ ମାତ୍ର ୨ ସେଣ୍ଟିମିଟର ଆଗରେ ରହି ଇସ୍ତୋନିଆର ଭିକ୍ଟର ମୋରୋଜୋଭ୍ଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ କରିଥିଲେ। ଏହି ଇଭେଣ୍ଟରେ ଜାମାଇକାର ଜୟଦେନ୍ ହିବର୍ଟ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ୧୭.୨୭ ମିଟର ଲମ୍ଫ ମାରି ପ୍ରତିଯୋଗିତାର କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ।
ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ୪ ଗୁଣା ୪୦୦ ମିଟର ରିଲେ ଫାଇନାଲ୍କୁ ଯୋଗ୍ୟତା ହାସଲ କରିନେଇଛି। ସୁମ୍ମି, ପ୍ରିୟା ହାବାତାନାହାଲି, ରଜିଥା କୁଞ୍ଜ ଏବଂ ରୂପାଲଙ୍କୁ ନେଇ ଗଠିତ ଦଳ ୩:୩୪.୧୮ ସେକେଣ୍ଡ ସମୟ ନେଇ ହିଟ୍ ୩ରେ ଦ୍ବିତୀୟ ଏବଂ ମୋଟ ଉପରେ ଚତୁର୍ଥ ସ୍ଥାନ ସହ ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଥିଲେ। ଚଳିତ ସଂସ୍କରଣରେ ଭାରତର ମୋଟ ପଦକ ସଂଖ୍ୟା ୧୦ରେ ପହଞ୍ଚିଛି। ୨୦୨୧ରେ ନାଇରୋବିରେ ଅନୁଷ୍ଠିତ ଗତ ସଂସ୍କରଣରେ ଭାରତ ମାତ୍ର ୩ ପଦକ (୨ ରୌପ୍ୟ, ୧ କାଂସ୍ୟ) ଜିତିଥିଲା।
କନିଷ୍ଠ ବିଶ୍ବ ଦୌଡ଼କୁଦରେ ଥିରୁମାରନଙ୍କୁ ରୌପ୍ୟ
Advertisment
Follow Us