ଇଣ୍ଡିଆ‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ସେମିରେ ସିନ୍ଧୁ, ଆକର୍ଷୀ

କାଂସ୍ୟ ଜିତିଲେ ଶ୍ରୀକାନ୍ତ:ଫାଇନାଲ୍‌ରେ ସିନ୍ଧୁ, ସେନ୍‌, ସାତ୍ତ୍ବିକ-ଚିରାଗ

The Bridge

ନୂଆଦିଲ୍ଲୀ : ଦୁଇ ଥର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହିତ ଆକର୍ଷୀ କାଶ୍ୟପ ଏଠାରେ ଚାଲିଥିବା ଇଣ୍ଡିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ମହିଳା ଏକକ ସେମିଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଶୁକ୍ରବାର କ୍ବାର୍ଟର ଫାଇନାଲ୍‌ରେ ସିନ୍ଧୁ ନିଜ ଦେଶର ଅସ୍ମିତା ଚଲିହାଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିଲେ। ପୂର୍ବ ରାଉଣ୍ଡ୍‌ରେ ୨୦୧୨ ଅଲିମ୍ପିକ୍ କାଂସ୍ୟ ବିଜୟିନୀ ସାଇନା ନେହୱାଲଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିବା ୨୧ ବର୍ଷ ବୟସ୍କା ଚଲିହା କିନ୍ତୁ ସିନ୍ଧୁଙ୍କ ନିକଟରେ ହାର୍‌ ମାନିଥିଲେ। ସେ ୭-୨୧ ଓ ୧୮-୨୧ରେ ହାରିଯାଇଥିଲେ। ସେମିଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା ଥାଇଲାଣ୍ଡ୍‌ର ସୁପନିଦା କାଟେଥୋଙ୍ଗ୍‌ଙ୍କ ସହ ହେବ। ତୃତୀୟ ମାନ୍ୟତାପ୍ରାପ୍ତ ସିଙ୍ଗାପୁରର ୟେଓ ଜିଆ ମିନ୍‌ ପ୍ରବଳ ଜ୍ବର ଯୋଗୁଁ କ୍ବାର୍ଟର ଫାଇନାଲ୍‌ରୁ ଓହରି ଯାଇଥିବାରୁ ଷଷ୍ଠ ମାନ୍ୟତାପ୍ରାପ୍ତ କାଟେଥୋଙ୍ଗ୍‌ ସେମିଫା‌ଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।

ସେହିପରି ଅନ୍ୟ ସେମିଫାଇନାଲ୍‌ରେ ଭାରତୀୟ ଲଳନା ଆକର୍ଷୀ କାଶ୍ୟପଙ୍କ ମୁକାବିଲା ଦ୍ବିତୀୟ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡ୍‌ର ବୁସାନାନ୍‌ ଓଙ୍ଗ୍‌ବାମ୍‌ରୁଙ୍ଗ୍‌ଫାନ୍‌ଙ୍କ ସହ ହେବ। ଶୁକ୍ରବାର କ୍ବାର୍ଟର ଫାଇନାଲ୍‌ରେ ଆକର୍ଷୀ ୨୧-୧୨ ଓ ୨୧-୧୫ରେ ନିଜ ଦେଶର ମାଲ୍‌ବିକା ବନ୍‌ସୁଦଙ୍କୁ ଏବଂ ବୁସାନାନ୍‌ ୨୧-୧୨ ଓ ୨୧-୧୮ରେ ଆମେରିକାର ଲରେନ୍‌ ଲାମ୍‌ଙ୍କୁ ପରାସ୍ତ କରିଛନ୍ତି।

ଅନ୍ୟପକ୍ଷରେ ପୁରୁଷ ଏକକରେ ଲକ୍ଷ୍ୟ ସେନ୍‌ ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି। ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜେତା ଲକ୍ଷ୍ୟ ଶୁକ୍ରବାର କ୍ବାର୍ଟର ଫାଇନାଲ୍‌ରେ ନିଜ ଦେଶର ଏଚ୍‌ଏସ୍‌ ପ୍ରଣୟଙ୍କୁ ୧୪-୨୧, ୨୧-୯ ଓ ୨୧-୧୪ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛନ୍ତି। ତେବେ ପୁରୁଷ ବର୍ଗରେ ତିନି ଭାରତୀୟ ଯୋଡ଼ି ପରାଜୟର ମୁହଁ ଦେଖିଛନ୍ତି। ଯୁଗଳ ଯୋଡ଼ି ଇଶାନ ଭଟ୍ଟନାଗର-ସାଇ ପ୍ରତୀକ ଏବଂ ନିତିନ ଏଚ୍‌ଭି-ଅଶ୍ବିନ ଭଟ୍ଟଙ୍କ ବ୍ୟତୀତ ମିଶ୍ରିତ ଯୁଗଳରେ ଭେଙ୍କଟ ଗୌରବ ପ୍ରସାଦ-ଜୁହି ଦେୱାଗନ କ୍ବାର୍ଟର ଫା‌ଇନାଲ୍‌ରେ ପରାସ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe