ଆଶା ଦେଲେ ସିନ୍ଧୁ, ସତୀଶ, ‌ଅତନୁ

Advertisment
ଆଶା ଦେଲେ ସିନ୍ଧୁ, ସତୀଶ, ‌ଅତନୁ

ଟୋକିଓ : ଚଳିତ ‌ଟୋକିଓ ଅଲିମ୍ପିକ୍ସର ଗୁରୁବାର ସପ୍ତମ ଦିବସରେ ଭାରତ ପାଇଁ ପଦକ ଆଶା ସଞ୍ଚାର କରିଛନ୍ତି ମହିଳା ବ୍ୟାଡ୍‌ମିଣ୍ଟନ ତାରକା ପିଭି ସିନ୍ଧୁ, ମୁଷ୍ଟିଯୋଦ୍ଧା ସତୀଶ କୁମାର ଏବଂ ତୀରନ୍ଦାଜି ଅତନୁ ଦାସ। ଏହି ୩ ତାରକାଙ୍କ ବ୍ୟତୀତ ଭରତୀୟ ପୁରୁଷ ହକି ଦଳ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରି ଦେଶ ଲାଗି ଖୁସି ଖବର ଆଣିଛି। ତେବେ ୬ ଥରର ବିଶ୍ବ ବିଜୟିନୀ ତଥା ୨୦୧୨ ଲଣ୍ଡନ ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ନିରାଶ ହୋଇଛନ୍ତି। ଦ୍ବିତୀୟ ଅଲିମ୍ପିକ୍ସ ପଦକ ଲକ୍ଷ୍ୟରେ ଥିବା ମେରିକମ୍‌ ପ୍ରିକ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ଭାରତ ଗୋଟିଏ (ଭାରୋତ୍ତୋଳକ ମୀରାବାଇ ଚାନୁଙ୍କ ରୌପ୍ୟ) ପଦକ ସହ ଟେବୁଲ ୪୬ତମ ସ୍ଥାନକୁ ଖସିଛି। ଚୀନ୍‌ ୩୧ (୧୫ ସ୍ବର୍ଣ୍ଣ, ୯ ରୌପ୍ୟ, ୯ କାଂସ୍ୟ) ପଦକ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଥିଲା ବେଳେ ଆୟୋଜକ ଜାପାନ (୨୫ ପଦକ, ୧୫ ସ୍ବର୍ଣ୍ଣ, ୪ ରୌପ୍ୟ, ୬ କାଂସ୍ୟ) ଏବଂ ଆମେରିକା (୩୮ ପଦକ, ୧୪ ସ୍ବର୍ଣ୍ଣ, ୧୪ ରୌପ୍ୟ, ୧୦ କାଂସ୍ୟ) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ବ୍ୟାଡ୍‌ମିଣ୍ଟନ: କ୍ବାର୍ଟର ଫାଇନାଲ୍‌ରେ ସିନ୍ଧୁ
ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରି ଦ୍ବିତୀୟ ଅଲିମ୍ପିକ୍ସ ପଦକ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି। ଗୁରୁବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ବିଶ୍ବ ବିଜୟିନୀ ତଥା ରିଓ ଅଲିମ୍ପିକ୍ସ ‌ରୌପ୍ୟ ବିଜୟିନୀ ସିନ୍ଧୁ ୨୧-୧୫, ୨୧-୧୩ ସିଧାସଳଖ ଗେମ୍‌ରେ ଡେନ୍‌ମାର୍କର ମିଆ ବ୍ଲିଚଫେଲ୍ଡଙ୍କୁ ହରାଇଥିଲେ। କ୍ବାର୍ଟର ଫାଇନାଲ୍‌ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ୟାମାଗୁଚି ୨୧-୧୭, ୨୧-୧୮ରେ କୋରିଆର ଜିମ୍‌ ଜିଅନ୍‌ଙ୍କୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ଉଭୟ ସିନ୍ଧୁ ଓ ୟାମାଗୁଚି ପୂର୍ବରୁ ପରସ୍ପର ୧୮ ଥର ମୁହାଁମୁହିଁ ହୋଇଥିଲା ବେଳେ ସିନ୍ଧୁ ୧୧ ମ୍ୟାଚ୍‌ ଜିତି ଆଗରେ ରହିଛନ୍ତି।

publive-image

ମୁଷ୍ଟିଯୁଦ୍ଧ: ପଦାର୍ପଣରେ ସତୀଶଙ୍କ ଚମକ
ଚଳିତ ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ସତୀଶ କୁମାର ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଗୁରୁବାର ୯୧ କେଜିରୁ ଅଧିକ ଓଜନ ବର୍ଗ ପୁରୁଷ ପ୍ରିକ୍ବାର୍ଟର ଫାଇନାଲ୍‌ରେ ୩୨ ବର୍ଷୀୟ ସତୀଶ ୪-୧ରେ ଜାମାଇକାର ରିକାର୍ଡୋ ବ୍ରାଉନ୍‌ଙ୍କୁ ମାତ୍‌ ଦେଇଥିଲେ। ଦୁଇଥରର ଏହି ଏସୀୟ କାଂସ୍ୟ ବିଜେତା କ୍ବାର୍ଟର ଫାଇନାଲ୍‌ରେ ଉଜବେକିସ୍ତାନର ବାଖୋଦିର ଜାଲୋଲୋଭଙ୍କୁ ଭେଟିବେ। ପ୍ରିକ୍ବାର୍ଟର ଫାଇନାଲ୍‌ରେ ବିଶ୍ବ ଏବଂ ଏସୀୟ ବିଜେତା ଜାଲୋଲୋଭ ୫-୦ରେ ଆଜରବୈଜାନର ମହମ୍ମଦ ଅବଦୁଲାୟେଭଙ୍କୁ ପରାସ୍ତ କରିଥିଲେ।

publive-image

ତୀରନ୍ଦାଜ: ଦୁଇ ଥରର ଅଲିମ୍ପିକ୍‌ ବିଜେତାଙ୍କୁ ମାତ୍‌‌ ଦେଲେ ଅତନୁ
ଦୁଇ ଥରର ଅଲିମ୍ପିକ୍‌ ବିଜେତା ଜିନ୍‌ ହେକ୍‌ଙ୍କୁ ମାତ୍‌ ଦେଇ ଭାରତୀୟ ତାରକା ଅତନୁ ଦାସ ତୀରନ୍ଦାଜି ପୁରୁଷ ବ୍ୟକ୍ତିଗତ ବର୍ଗର ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ଏହି ଭାରତୀୟ ତୀରନ୍ଦାଜ ୬-୫ରେ ହେକଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ଭାରତର ଏକ ନମ୍ବର ଏହି ତୀରନ୍ଦାଜିଙ୍କ ଏହା ଜୀବନର ଶ୍ରେଷ୍ଠ ବିଜୟ ହୋଇଥିଲା। ହେକ୍‌ ୨୦୧୨ ଅଲିମ୍ପିକ୍ସ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ଏବଂ ଟୋକିଓରେ ଦଳଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୨ରେ ମଧ୍ୟ ସେ ଦଳଗତ ବର୍ଗରେ କାଂସ୍ୟ ପଦକ କରାୟତ୍ତ କରିଥିଲେ। ପୂର୍ବରୁ ପ୍ରଥମ ରାଉଣ୍ଡରେ ୨୯ ବର୍ଷୀୟ ଅତନୁ ୬-୪ରେ ଚାଇନିଜ୍‌ ତାଇପେର ଡେଙ୍ଗ ୟୁ-ଚେଙ୍ଗଙ୍କୁ ପରାସ୍ତ କରିଥିଲେ। ତରୁଣଦୀପ ରୟ ଓ ପ୍ରବୀଣ ଯାଦବ ବିଦାୟ ନେଇସାରିଥିବାରୁ ଅତନୁ ଏବଂ ତାଙ୍କ ପତ୍ନୀ ଦୀପିକା କୁମାରୀ ତୀରନ୍ଦାଜିରେ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe