Millennium Post
ମାଦ୍ରିଦ୍: ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ଚଳିତ ମାଦ୍ରିଦ୍ ମାଷ୍ଟର୍ସ ପ୍ରତିଯୋଗିତାରେ ଲଗାତାର ଦୁଇ ବିଜୟ ବଳରେ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଯାଇଛନ୍ତି। ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ତଥା ପୂର୍ବତନ ବିଶ୍ବ ବିଜୟିନୀ ଭାରତୀୟ ମହିଳା ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରେ ସ୍ବିଜରଲାଣ୍ଡ୍ର ଜେନ୍ଜିରା ଷ୍ଟାଡେଲମାନ୍ଙ୍କୁ ୨୧-୧୦ ଓ ୨୧-୪ରେ ପରାସ୍ତ କରିବା ପରେ ଗୁରୁବାର ଦ୍ବିତୀୟ ରାଉଣ୍ଡରେ ଇଣ୍ଡୋନେସିଆର ପୁତ୍ରୀ କୁସୁମା ୱର୍ଦ୍ଦନୀଙ୍କୁ ୨୧-୧୬, ୨୧-୧୪ ସିଧାସଳଖ ଗେମ୍ରେ ପରାସ୍ତ କରିଛନ୍ତି। ଏହା ମଧ୍ୟ ଚଳିତ ୨୦୨୩ରେ ସିନ୍ଧୁଙ୍କର ପ୍ରଥମ କ୍ବାର୍ଟର ଫାଇନାଲ୍ ପ୍ରବେଶ। ତେବେ ମହିଳା ଏକକରେ ଅନ୍ୟତମ ଭାରତୀୟ ଆକର୍ଷି କାଶ୍ୟପ ପ୍ରଥମ ରାଉଣ୍ଡରେ ଦୁଇ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟିନୀ କାନାଡାର ମାଇକେଲେ ଲି’ଙ୍କଠାରୁ ୨୧-୧୨, ୧୫-୨୧ ଓ ୧୮-୨୧ରେ ପରାଜୟ ବରଣ କରିଥିଲେ।
ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାର ୨୧ ତଥା ଏଠାରେ ପଞ୍ଚମ ମାନ୍ୟତାପ୍ରାପ୍ତ ଶ୍ରୀକାନ୍ତ ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ସିଥିକୋମ ଥାମାସିନ୍ଙ୍କୁ ୨୧-୧୧, ୨୫-୨୭ ଓ ୨୩-୨୧ରେ ପରାସ୍ତ କରିଥିଲା ବେଳେ ଗୁରୁବାର ଦ୍ବିତୀୟ ରାଉଣ୍ଡରେ ନିଜ ଦେଶର ସାଇ ପ୍ରଣୀତଙ୍କୁ ୨୧-୧୫ ଓ ୨୧-୧୨ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। କ୍ବାର୍ଟର ଫାଇନାଲ୍ରେ ଶ୍ରୀକାନ୍ତଙ୍କ ମୁକାବିଲା ଶୀର୍ଷ ମାନ୍ୟତା ଜାପାନ ତାରକା କେଣ୍ଟା ନିସିମୋଟୋଙ୍କ ସହ ହେବ। ନିସିମୋଟୋ ଫ୍ରାନ୍ସର ଅର୍ନଡ ମେର୍କଲେଙ୍କ ବିପକ୍ଷ ଦ୍ବିତୀୟ ରାଉଣ୍ଡରେ ୱାକ୍ ଓଭର ପାଇ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି।
Follow Us