Image Courtesy of Know Today News
ନୂଆଦିଲ୍ଲୀ: ଅଲିମ୍ପିକ୍ ଚାମ୍ପିଅନ୍ ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି | ଦୁଇଥର ଅଲିମ୍ପିକ୍ ପଦକ ବିଜେତା ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା-୨୦୨୨ର ଉଦଘାଟନୀ ସମାରୋହରେ ଭାରତୀୟ ଦଳର ଧ୍ଵଜାବାହକ(ତ୍ରିରଙ୍ଗା ଧାରକ) ଭାବରେ ନିଯୁକ୍ତ ହୋଇଛନ୍ତି। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଉଦଘାଟନୀ ସମାରୋହରେ ସିନ୍ଧୁଙ୍କୁ ଭାରତୀୟ ଦଳର ଧ୍ଵଜାବାହକ ଭାବେ ଦାୟିତ୍ୱ ଦିଆଯାଇଛି । ଗୁରୁବାର (୨୦୨୨ ଜୁଲାଇ ୨୮) ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ସମାରୋହରେ ଭାରତରୁ ସମୁଦାୟ ୧୬୪ଜଣ ଆଥଲେଟ୍ ଏହି କ୍ରୀଡ଼ା ସମାରୋହରେ ଅଂଶଗ୍ରହଣ କରିବେ |
ସୂଚନା ମୁତାବକ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ସିନ୍ଧୁ ଏଥର ବର୍ମିଂହାମ୍ରେ ମହିଳା ଏକକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଅନ୍ୟତମ ଦାବିଦାର ବୋଲି କୁହାଯାଉଛି । ସେ ଗୋଲ୍ଡ କୋଷ୍ଟ ଏବଂ ଗ୍ଲାସ୍ଗୋରେ ଗତ ଦୁଇଟି ସଂସ୍କରଣରେ ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ। ରାଜ୍ୟ ଗୋଷ୍ଠୀ କ୍ରୀଡ଼ା-୨୦୧୮(ଗୋଲ୍ଡ କୋଷ୍ଟ)ରେ ସିନ୍ଧୁ ମଧ୍ୟ ଜାତୀୟ ପତାକା ଧରିଥିଲେ। ସୂଚନା ଥାଉ କି ବର୍ମିଂହାମ୍ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପକ୍ଷରୁ ତ୍ରିରଙ୍ଗା ଧାରକ ଭାବେ ଜାଭ୍ଲିନ ତାରକା ନୀରଜ ଚୋପ୍ରାଙ୍କୁ ମନୋନୀତ କରାଯାଇଥିଲା।
ତେବେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ମଧ୍ୟ ଆମେରିକାର ଇଉଜେନିଠାରେ ନିକଟରେ ଶେଷ ହୋଇଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ଜିତି ଦେଶ ପାଇଁ ଆଉ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ତେଣୁ ବର୍ମିଂହାମ୍ରେ ପୁରୁଷ ଜାଭ୍ଲିନ୍ ପଦକ ବଜାୟ ରଖିବା ଲକ୍ଷ୍ୟରେ ରହିଥିଲେ। ହେଲେ ବିଶ୍ବ ପ୍ରତିଯୋଗିତାରେ ତାଙ୍କର ସେହି ଐତିହାସିକ ସଫଳତା ଅବସରରେ ଆହତ ହୋଇଥିଲେ ନୀରଜ। ଫଳରେ ସେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ଓହରିଯାଇଥିଲେ। ଆଉ ଏବେ ତାଙ୍କ ସ୍ଥାନରେ ସିନ୍ଧୁଙ୍କୁ ଏହି ସୁଯୋଗ ଦିଆଯାଇଛି |
Follow Us