ସିଙ୍ଗାପୁର ଓପନ୍‌: ବିଙ୍ଗ୍‌ ଜିଆଓଙ୍କୁ ମାତ୍‌ ଦେଲେ ସାଇନା

ସିନ୍ଧୁ ଓ ପ୍ରଣୟଙ୍କ ସହ କ୍ବାର୍ଟରରେ

ସିଙ୍ଗାପୁର ଓପନ୍‌: ବିଙ୍ଗ୍‌ ଜିଆଓଙ୍କୁ ମାତ୍‌ ଦେଲେ ସାଇନା

ସିଙ୍ଗାପୁର: ଏଠାରେ ଚାଲିଥିବା ସିଙ୍ଗାପୁର ଓପନ୍‌ ସୁପର ୫୦୦ ପ୍ରତିଯୋଗିତାରେ ଗୁରୁବାର ସାଇନା ନେହ୍ବାଲ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ଏହି ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ନିଜର ଫର୍ମ ଫେରିପାଇବା ସହ ମହିଳା ଏକକ ଦ୍ବିତୀୟ ରାଉଣ୍ଡରେ ବିଶ୍ବ ମାନ୍ୟତାର ନବମ ଚୀନ୍‌ ପ୍ରତିଦ୍ବନ୍ଦ୍ବୀ ହି ବିଙ୍ଗ୍‌ ଜିଆଓଙ୍କୁ ୨୧-୧୯, ୧୧-୨୧ ଓ ୨୧-୧୭ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଦୁଇ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ସାଇନା ମଧ୍ୟ ନିଜ ଦେଶର ପିଭି ସିନ୍ଧୁ ଏବଂ ଏଚ୍‌ଏସ୍‌ ପ୍ରଣୟଙ୍କ ସହ କ୍ବାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଏହା ମଧ୍ୟ ଅଢ଼େଇ ବର୍ଷରୁ ଅଧିକ ସମୟ ପରେ କୌଣସି ସୁପର ୫୦୦ ପ୍ରତିଯୋଗିତାରେ ସାଇନାଙ୍କ କ୍ବାର୍ଟର ଫାଇନାଲ୍‌ ପ୍ର‌ବେଶ ହୋଇଛି। ଓର୍ଲେନ୍‌ସ ମା‌ଷ୍ଟର୍ସ ୧୦୦ ପ୍ରତିଯୋଗିତାର ସେମିଫାଇନାଲରେ ପହଞ୍ଚିବା ଗତ ୩ ବର୍ଷ ମଧ୍ୟରେ ସାଇନାଙ୍କ ଶ୍ରେଷ୍ଠ ସଫଳତା ଥିଲା।

ଅନ୍ୟପକ୍ଷରେ ଦୁଇ ଥର ଅଲିମ୍ପିକ୍‌ ପଦକ ବିଜୟିନୀ ସିନ୍ଧୁ ଏବଂ ଫର୍ମରେ ଥିବା ପ୍ରଣୟ ମଧ୍ୟ ଦ୍ବିତୀୟ ରାଉଣ୍ଡରେ ଲଢ଼ୁଆ ବିଜୟ ହାସଲ କରି କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ମହିଳା ଏକକ ଦ୍ବିତୀୟ ରାଉଣ୍ଡରେ ତୃତୀୟ ମାନ୍ୟତାପ୍ରା‌ପ୍ତ ସିନ୍ଧୁ ୧୯-୨୧, ୨୧-୧୯ ଓ ୨୧-୧୮ରେ ବିଶ୍ବ ମାନ୍ୟତାର ୫୯ ଭିଏତ୍‌ନାମର ଥୁୟ ଲିନ୍‌ ଏନ୍‌ଗୁୟେନ୍‌ଙ୍କୁ ପରାସ୍ତ କରିଥିଲା ବେଳେ ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ବିଶ୍ବ ମାନ୍ୟତାର ୧୯ ପ୍ରଣୟ ୧୪-୨୧, ୨୨-୨୦ ଓ ୨୧-୧୮ରେ ତୃତୀୟ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ତାଇପେର ଚୋଉ ତିନ୍‌ ଚେନ୍‌ଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟର ଫାଇନାଲ୍‌ରେ ସିନ୍ଧୁ ଚୀନ୍‌ର ହାନ୍‌ ୟୁଇ’ଙ୍କୁ ଏବଂ ପ୍ରଣୟ ଜାପାନର କୋଡାଇ ନା ରୋକାଙ୍କୁ ଭେଟିବେ। ତେବେ ପ୍ରଥମ ରାଉଣ୍ଡ‌ରେ ବିପର୍ଯ୍ୟୟପୂର୍ଣ୍ଣ ବିଜୟ ହାସଲ କରିଥିବା ଦୁଇ ଭାରତୀୟ ମିଥୁନ ମଞ୍ଜୁନାଥ ଏବଂ ଅସ୍ମିତା ଚଲିହା ଆଉ ଆଗକୁ ବଢ଼ି ପାରିନାହାନ୍ତି। ଉଭୟେ ନିଜ ନିଜର ଦ୍ବିତୀୟ ରାଉଣ୍ଡ ମୁକାବିଲା ହାରି ଅଭିଯାନ ଶେଷ କରିଛନ୍ତି। ମଞ୍ଜୁନାଥ ଆୟର୍ଲାଣ୍ଡ୍‌ର ଏନ୍‌ହାତ୍‌ ଏନ୍‌ଗୁୟେନ୍‌ଙ୍କ ନିକଟରୁ ୧୦-୨୧, ୨୧-୧୮ ଓ ୧୬-୨୧ରେ ଏବଂ ଅସ୍ମିତା ୯-୨୧ ଓ ୧୩-୨୧ରେ ଚୀନ୍‌ର ହାନ୍‌ ୟୁଇଙ୍କଠାରୁ ପରାସ୍ତ ହୋଇଛନ୍ତି।

ପୁରୁଷ ଯୁଗଳରେ ଏମ୍‌ଆର୍‌ ଅର୍ଜୁନ ଓ ଧ୍ରୁବ କପିଳା ଯୋଡ଼ି ମଧ୍ୟ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଏହି ଯୋଡ଼ି ଷଷ୍ଠ ମାନ୍ୟତାପ୍ରାପ୍ତ ମାଲେସିଆ ଯୋଡ଼ି ଗୋହ ଜି ଫେଇ ଓ ନୁର୍‌ ଇଜାଉଦ୍ଦିନ୍‌ଙ୍କୁ ୧୮-୨୧, ୨୪-୨୨ ଓ ୨୨-୧୮ରେ ପରାସ୍ତ କରିଛନ୍ତି। କିନ୍ତୁ ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ମହିଳା ଯୁଗଳ ଯୋଡ଼ି ପୂଜା ଦନ୍ଦୁ ଓ ଆରତୀ ସାରା ସୁନିଲ ଦ୍ବିତୀୟ ରାଉଣ୍ଡରେ ଝୁଣ୍ଟିଛନ୍ତି। ଏହି ଭାରତୀୟ ଯୋଡ଼ିକୁ ୨୧-୧୨ ଓ ୨୧-୬ ସିଧାସଳଖ ଗେମ୍‌ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଚୀନ୍‌ ଯୋଡ଼ି ଲି ୱେନ୍‌ ମେଇ-ଦୁ ୟୁଇ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe