ଏସ୍‌ଜେଏଫ୍‌ଆଇ ଜାତୀୟ ସମ୍ମିଳନୀ: ଉତ୍ତରାଞ୍ଚଳର ଦ୍ୱିତୀୟ ବିଜୟ

Advertisment
ଏସ୍‌ଜେଏଫ୍‌ଆଇ ଜାତୀୟ ସମ୍ମିଳନୀ: ଉତ୍ତରାଞ୍ଚଳର ଦ୍ୱିତୀୟ ବିଜୟ

ତିରୁବନ୍ତପୁରମ୍‌: କେରଳର ତିରୁବନ୍ତପୁରମଠାରେ ଚାଲିଥିବା ୪୦ତମ ଏସ୍‌ଜେଏଫ୍‌ଆଇ (ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ମହାସଂଘ) ପାଞ୍ଚ ଦିନିଆ ଜାତୀୟ ସମ୍ମିଳନୀ ଅବସରରେ ହେଉଥିବା ଜେକେ ବୋଷ୍‌ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଉତ୍ତରାଞ୍ଚଳ ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ପ୍ରଥମ ଦିନରେ ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ବିଜୟୀ ହୋଇଥିଲେ। ସୋମବାର ଉତ୍ତରାଞ୍ଚଳ ପଶ୍ଚିମାଞ୍ଚଳକୁ ଏବଂ ଦକ୍ଷିଣାଞ୍ଚଳ ପୂର୍ବାଞ୍ଚଳକୁ ପରାସ୍ତ କରିଥିଲା। ଫଳରେ ପୂର୍ବାଞ୍ଚଳ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ରବିବାରର ପ୍ରଥମ ମ୍ୟାଚ୍‌ରେ ପଶ୍ଚିମାଞ୍ଚଳ ୧୭ ରନ୍‌ରେ ଦକ୍ଷିଣାଞ୍ଚଳକୁ ପରାସ୍ତ କରିଥିଲା। ଦକ୍ଷିଣାଞ୍ଚଳ ସମସ୍ତ ଓ୍ଵିକେଟ୍‌ ବିନିମୟରେ ୧୨୯ ରନ୍‌ କରି ପାରିଥିଲା। ପୂର୍ବାଞ୍ଚଳ-ଉତ୍ତରାଞ୍ଚଳ ମୁକାବିଲାରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଉତ୍ତରାଞ୍ଚଳ ଅମିତ ଚୌଧୁରୀଙ୍କ ବିସ୍ଫୋରକ ଶତକ (୧୦୫* ରନ୍‌, ୫୯ ବଲ୍‌) ବଳରେ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୨୦୧ ରନ୍‌ କରିଥିଲା। ୨୦୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପୂର୍ବାଞ୍ଚଳ ଭଲ ଆରମ୍ଭ କରିଥିଲା। ନିୟମିତ ଓ୍ଵିକେଟ୍‌ ହରାଇ ନିର୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ମାତ୍ର ୧୦୩ ରନ୍‌ କରି ପାରିଥିଲା। ଦଳ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଦୀପ୍ତି ରଞ୍ଜନ ସାମଲ ଅଲରାଉଣ୍ଡ ପ୍ରଦର୍ଶନ କରି ୩୫ ବଲ୍‌ରୁ ୩୫ ରନ୍‌ କରିବା ସହ ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଦୀପ୍ତି ଲଗାତାର ଦୁଇଟି ଓ୍ଵିକେଟ୍‌ ନେଇ ହ୍ୟାଟ୍ରିକ୍‌ ସୁଯୋଗ ସୃଷ୍ଟି କରିଥିଲେ। ସୁକେଶ ବେହେରା ୧୫ ରନ୍‌ ସହ ଗୋଟିଏ ଓ୍ଵିକେଟ୍‌ କରାୟତ କରିଥିଲେ। ଶନିବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ସମ୍ମିଳନୀର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏସ୍‌ଜେଏଫ୍‌ଆଇ ସଂପାଦକ ଏ ବିନୋଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂପାଦକ ସୁବୋଧ ମଲ୍ଲ ବରୁଆ ମହାସଂଘର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଦୈନିକ ନ୍ୟୁଜ୍‌ ଲେଟର ତିରୁବନ୍ତପୁରମ୍‌ ରକ୍ସ ଉନ୍ମୋଚିତ ହୋଇଥିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ୬୦ରୁ ଅଧିକ ପ୍ରତିନିଧି ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଓଡ଼ିଶା କ୍ରୀଡ଼ା ସାମ୍ବଦିକ ସଂଘ (ଓସ୍‌ଜା)ର ଚାରି ଜଣିଆ ପ୍ରତିନିଧି ମଣ୍ଡଳ ସମ୍ବିତ ମହାପାତ୍ର, ଦେବାଶିଷ ସୁନ୍ଦରାୟ, ଦୀପ୍ତି ରଂଜନ ସାମଲ ଓ ସୁକେଶ ବେହେରା ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ଭୁବନେଶ୍ୱରରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe