ଅଧିନାୟକ ଫିଞ୍ଚ୍‌ ଛାଡ଼ିଦେଲେ ଦିନିକିଆ କ୍ରିକେଟ୍‌

Advertisment
ଅଧିନାୟକ ଫିଞ୍ଚ୍‌ ଛାଡ଼ିଦେଲେ ଦିନିକିଆ କ୍ରିକେଟ୍‌

OrissaPOST

କେର୍ଣ୍ଣସ (ଅଷ୍ଟ୍ରେଲିଆ): ଅଷ୍ଟ୍ରେଲିଆ ସୀମିତ ଓଭର କ୍ରି‌କେଟ୍ ଦଳର ଅଧିନାୟକ ଅାରୋନ୍‌ ଫିଞ୍ଚ୍‌ ଅପ୍ରତ୍ୟାଶିତ ଭାବେ ଦିନିକିଆ କ୍ରିକେଟ୍‌ ଛାଡି ଦେଇଛନ୍ତି। ବ୍ୟାଟିଂରେ ସଂଘର୍ଷ କରୁଥିବା ଏହି ଭେଟେରାନ୍‌ ଖେଳାଳି ଚଳିତ ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳା ଶେଷରେ ଏହି ଫର୍ମାଟରୁ ଅବସର ନେଇଯିବେ। ରବିବାର ଏହି ୩୫ ବର୍ଷୀୟ ଖେଳାଳି ନିଜ ୧୪୬ତମ ତଥା ଅନ୍ତିମ ଦିନିକିଆ ଖେଳିବେ। ୫୦ ଓଭରିଆ କ୍ରିକେଟ୍‌ରେ ଚମତ୍କାର ଖେଳିଥିବା ଫିଞ୍ଚ୍‌ ୫,୪୦୧ ରନ୍‌ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ତାଙ୍କର ୧୭ ଶତକ ସାମିଲ ରହିଛି। ଯାହାକି ରିକି ପଣ୍ଟିଂ (୨୯), ଡେଭିଡ୍‌ ୱାର୍ଣ୍ଣର ଓ ମାର୍କ ୱ (ଉଭୟ ୧୮)ଙ୍କ ପରେ ତୃତୀୟରେ ରହିଛନ୍ତି। ଦିନିକିଆ ନେତୃତ୍ବ ଛାଡ଼ିଥିଲେ ମଧ୍ୟ ଫିଞ୍ଚ୍‌ ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଦଳର ନେତୃତ୍ବ ନେବେ।

‘କ୍ରିକେଟ୍ ଯାତ୍ରା ମୋ ପାଇଁ ସବୁଠାରୁ ଉଲ୍ଲେଖନୀୟ ଥିଲା’ ବୋଲି ଫିଞ୍ଚ୍‌ କହିଛନ୍ତି। ୨୦୨୦ରେ ଅଷ୍ଟ୍ରେଲିଆର ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌ ପୁରସ୍କାର ପାଇଥିବା ଫିଞ୍ଚ୍‌ ଏହି ଫର୍ମାଟରେ ଦେଶକୁ ୫୪ ମ୍ୟାଚ୍‌ରେ ନେତୃତ୍ବ ଦେଇଥିଲେ। ୨୦୧୫ ମସିହାର ଆଇସିସି ଦିନିକିଆ ବିଶ୍ବକପ୍‌ ବିଜୟୀ ଦଳର ଅନ୍ୟତମ ସଦସ୍ୟ ଥିଲେ। ଏବେ ଅଷ୍ଟ୍ରେଲିଆ ଦଳ ୨୦୨୩ ବିଶ୍ବକପ୍ (ଭାରତ)କୁ ନଜରରେ ରଖି ଏହାର ନୂଆ ‌ନେତୃତ୍ବ ଗଢ଼ିବାର ବେଳ ଆସିଛି ବୋଲି ଫିଞ୍ଚ୍‌ କହିଛନ୍ତି। ଏକ ଚମତ୍କାର ଅଷ୍ଟ୍ରେଲିଆ ଦଳର ଅଂଶବିଶେଷ ଥିବାରୁ ନିଜକୁ ସୌଭାଗ୍ୟ ମଣିଛି ବୋଲି ‌ଫିଞ୍ଚ୍ କହିଥିଲେ। ବିଗତ ୭ ଦିନିକିଆ ପାଳିରେ ଫିଞ୍ଚ୍‌ ଯଥାକ୍ରମେ ୫, ୫, ୧, ୧୫, ୦, ୦, ୦ କରିବା ପରେ ଗଣମାଧ୍ୟମ ଚାପରେ ଏହି ଫର୍ମାଟକୁ ଅଲ୍‌ବିଦା କହିଥିବା ବିଶ୍ବାସ କରାଯାଉଛି। ଫିଞ୍ଚ୍ ଅଷ୍ଟ୍ରେଲିଆ ପାଇଁ ଅଦ୍ୟାବଧି ମାତ୍ର ୫ ଟେ‌ଷ୍ଟ୍ ଖେଳିଥିବା ବେଳେ ୧୪୫ ଦିନିକିଆ ଓ ୯୨ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ବିଗତ ୪ ବର୍ଷ ହେବ ସେ ଟେଷ୍ଟ ଦଳରେ ରହୁନଥିବା ବେଳେ ସୀମିତ ଓଭର ଦଳର ନେତୃତ୍ବ ନେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe