ଖେଳ ଦୁନିଆରେ ବହୁତ କିଛି ବଦଳିବ: ରାଠୋର

Advertisment
ଖେଳ ଦୁନିଆରେ ବହୁତ କିଛି ବଦଳିବ: ରାଠୋର

ଭୁବନେଶ୍ୱର: ଏହା ବଦଳୁଥିବା ଦୁନିଆ, ଭାରତର ଖେଳ ଦୁନିଆ ମଧ୍ୟ ବଦଳିବାକୁ ବାଧ୍ୟ। ଦେଶରେ ଖେଳର ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଯୁବବ୍ୟାପାର ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର୍‌। ୩ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ୨୦୦୪ ଏଥେନ୍ସ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟୀ ବଂଧୁକଚାଳକ ରବିବାର ଦୈନିକ ‘ନିର୍ଭୟ’ର ବାର୍ଷିକ ଉତ୍ସବ ଅବସରରେ ଏଭଳି ବକ୍ତବ୍ୟ ରଖିଥିଲେ। ଓଡ଼ିଶାର ଦୂତି ଚାନ୍ଦ ଓ ଶ୍ରୀବଣୀ ନନ୍ଦ ଅତ୍ୟନ୍ତ ଗରିବ ପରିବାରରୁ ଆସି ଅଲିମ୍ପିକ୍‌ ପର୍ଯ୍ୟନ୍ତ ପହଞ୍ଚିଥିବାରୁ ସେମାନଙ୍କୁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉକ୍ତିର ଉତ୍ତର ରଖି କର୍ନେଲ୍‌ ରାଠୋର୍‌ କହିଥିଲେ ଅଲିମ୍ପିକ ବିଜେତାଙ୍କ ତାଲିକା ଦେଖିଲେ ସେମାନଙ୍କ ମଧ୍ୟରୁ ୯୯ ପ୍ରତିଶତ ଗରିବ ପରିବାରରୁ ହିଁ ଆସିଛନ୍ତି। ଏବେ ସଭିଏ ସାଧନ (ଉତ୍ସ/ଅର୍ଥ) ଆଡ଼କୁ ଦେଖୁଛନ୍ତି। ସାଧନ ବଳରେ ଯଦି ଅଲିମ୍ପିକ୍‌ ପଦକ ଜିତି ହେଉଥାନ୍ତା ତେବେ ଏବେ ତାଲିକାରେ ଗରିିବଙ୍କ ନାମ ନୁହେଁ ଧନିଙ୍କ ନାମ ଥାଆନ୍ତା। ସବୁଠୁ ବଡ଼ ଶକ୍ତି ହେଉଛି ଈଚ୍ଛାଶକ୍ତି। ଏହା ନିଶ୍ଚିତ ଯେ ଈଚ୍ଛାଶକ୍ତି ଥିଲେ ହିଁ ସାଧନ ଓ ଜ୍ଞାନର ସଂଯୋଗ ପରେ ସଫଳତା ମିଳିଥାଏ। ଏହି କାରଣରୁ ଆଗକୁ ଭାରତର ଅଲିମ୍ପିକ୍‌ ପଦକ ନିଶ୍ଚିତ ବଢ଼ିବ। ଅବଶ୍ୟ ଠିକଣା ସମୟରେ ଖେଳାଳିଙ୍କୁ ପ୍ରାୟୋଜକ ମିଳିବା ଉଚିତ୍‌। ଏ ନେଇ ନୀତିଗତ ନିଷ୍ପତ୍ତି ହୋଇଛି। ପୂର୍ବରୁ ବିଦ୍ୟାଳୟସ୍ତରରେ ଜଣେ ଖେଳିଲେ ଲୋକ ଦେଖୁଥିଲେ ଏବଂ ତାଳି ମାରୁଥିଲେ। ବଡ଼ ବିଡ଼ମ୍ବନାର ବିଷୟ ଏବେ ଆଞ୍ଚଳିକ କିମ୍ବା ଜାତୀୟ ସ୍ତରର ପ୍ରତିଯୋଗିତାକୁ କେହି ଦେଖୁନାହାନ୍ତି କି ଖେଳାଳିଙ୍କୁ ଉତ୍ସାହିତ କରୁନାହାନ୍ତି। ଏଇଥି ପାଇଁ ଭାରତ ସରକାର ‘ଖେଲୋ ଇଣ୍ଡିଆ’ ଅଧୀନରେ ଏକ ତଗଡ଼ା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଦେଶର ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକାଙ୍କ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ୮ ଦିନ ଧରି ଚାଲିବ ଏବଂ ସିଧା ପ୍ରସାରିତ ହେବ। ଫଳରେ ଖେଳାଳିଙ୍କୁ ଦେଶସାରା ନାୟକ ବନିବାର ସୁଯୋଗ ମିଳିବ। ଏଥି ସହିତ ଭାରତ ସରକାର ମଧ୍ୟ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ୧୦୦୦ କ୍ରୀଡ଼ାବିତ୍‌ଙ୍କୁ ୫୦୦୦ ହଜାର ଟଙ୍କା ଲେଖାଏଁ ମାସିକ ଭତ୍ତା ପ୍ରଦାନ କରିବ। ୩ ବର୍ଷ ଭିତରେ ଦେଶରେ ୧୦ଟି ଉତ୍କର୍ଷତା କେନ୍ଦ୍ର ମଧ୍ୟ ଖୋଲିବ। ସବୁଠାରୁ ବଡ଼ କଥା ହେଉଛି ୩/୪ଟି ବିଶେଷ ଖେଳକୁ ନେଇ ଆସନ୍ତା ୩ ବର୍ଷ ଭିତରେ ୧୫୦ ଜିଲ୍ଲାରେ ୧୫୦ ବିଦ୍ୟାଳୟ ଖୋଲାଯିବ ଯେଉଁଠି ଶିକ୍ଷା ସହିତ ଦକ୍ଷତା ବିକାଶ ଗୁରୁତ୍ୱ ପାଇବ। ଏଥି ପାଇଁ କେନ୍ଦ୍ର ସରକାର ୧୦୦୦ କୋଟି ବ୍ୟୟବରାଦ କରିସାରିଛି। ୨୦୧୮ ମସିହାକୁ କ୍ରୀଡ଼ା ବର୍ଷ ଭାବେ ପାଳନ କରାଯିବ। ୨୦ଟି ବଛା ବଛା ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କ୍ରୀଡ଼ା କେନ୍ଦ୍ରରେ ପରିଣତ କରାଯିବ। ଭାରତୀୟ କ୍ରୀଡ଼ା ଦୁନିଆରେ ଆଗକୁ ବହୁତ କିଛି ବଦଳିବାକୁ ଯାଉଛି ବୋଲି ଶେଷରେ କହିଥିଲେ ୪୭ ବର୍ଷୀୟ ପଦ୍ମଶ୍ରୀ ରାଠୋର୍‌।

ଯୁବ ଦଳ ଖେଳାଇବାର ଲକ୍ଷ୍ୟ ଅଲିମ୍ପିକ୍ସ

ଗତ କିଛି ମାସ ଭିତରେ ଭାରତୀୟ ହକି ଦଳ ବେଶ୍‌ ଭଲ ପ୍ରଦର୍ଶନ କରିଛି। ହକି ବିଶ୍ୱ ଲିଗ୍‌ ଫାଇନାଲରେ ମଧ୍ୟ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତନ କରିଛି। ଯଦି ଏହି ପ୍ରତିଯୋଗିତାର ଅଂଶଗ୍ରହଣକାରୀ ଦଳଗୁଡ଼ିକର ହାରାହାରି ବୟସ କଥା ବିଚାରକୁ ନିଆଯାଏ, ତାହାଲେ ଭାରତୀୟ ଦଳ କନିଷ୍ଠତମ। ଏହାର ମଧ୍ୟ ଏକ ସ୍ୱତନ୍ତ୍ର ଲକ୍ଷ୍ୟ ରହିଛି। ଗତି, ଧୈର୍ଯ୍ୟ ସହ ଭାରତ ପାଖରେ ଆଜି ଏକ ଭଲ ବେଞ୍ଚ୍‌ ଷ୍ଟ୍ରେଙ୍ଗ୍ଥ ରହିଛି। ମୁଁ ଆଶା କରୁଛି ଆଜିଠାରୁ ନେଇ ଆଗକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା ଏବଂ ୨୦୧୮ ବିଶ୍ୱକପ୍‌ରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତି ଚାଲିବ। ଏହି ସବୁ ପ୍ରତିଯୋଗିତା ମଧ୍ୟ ଖେଳାଳିଙ୍କୁ ସେମାନଙ୍କ ଦକ୍ଷତା ଦେଖାଇବାର ମାଧ୍ୟମ ହେବ। ଏହି ଭିତରେ ହକି ଇଣ୍ଡିଆ ଦଳୀୟ କୌଶଳ. ବ୍ୟକ୍ତିଗତ ଫିଟସେନ୍‌ ଏବଂ ପ୍ରତିପକ୍ଷର ବଳ ଆକଳନ ଲାଗି ବିଶେଷଜ୍ଞ ନିଯୁକ୍ତି ଉପରେ ଧ୍ୟାନ ଦେବ। ଏଥିଲାଗି ଯାହା ସାଧନ ଦରକାର ଖେଳ ମନ୍ତ୍ରଣାଳୟ ସେ ସବୁ ଯୋଗଇଦେବ। ଭାରତର ଅଲିମ୍ପିକ୍ସ ପ୍ରସ୍ତୁତିରେ ତୈଳ ମନ୍ତ୍ରଣାଳୟ ସବୁ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ରବିବାର ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଠୋରଙ୍କ ସହ ଉପସ୍ଥିତ ଥିବା କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe