ସ’-ପନ୍ତଙ୍କ ପାଇଁ ଭବିଷ୍ୟତ ଉଜ୍ଜ୍ବଳ:ମାନ୍ୟତାରେ ଲମ୍ବା ଲମ୍ଫ

Advertisment

-ସୁନୀଲ ଗାଭାସ୍କର-

-ସୁନୀଲ ଗାଭାସ୍କର-

ସ’-ପନ୍ତଙ୍କ ପାଇଁ ଭବିଷ୍ୟତ ଉଜ୍ଜ୍ବଳ:ମାନ୍ୟତାରେ ଲମ୍ବା ଲମ୍ଫ

ପ୍ରତିଶ୍ରୁତି ଭରା ଆରମ୍ଭ ସତ୍ତ୍ବେ ହାଇଦ୍ରାବାଦ ଟେଷ୍ଟକୁ ଭାରତ ତିନି ଦିନ ଭିତରେ ଜିତିନେଲା। ଏକଦା କ୍ରିକେଟ୍‌ର ମହାରାଜା ଥିବା ୱେ‌ଷ୍ଟଇଣ୍ଡିଜ୍ ଦଳର ଏଭଳି ଦୁର୍ଦ୍ଦଶା କ୍ରିକେଟ୍ ପ୍ରେମୀଙ୍କୁ ବହୁତ ଦୁଃଖିତ କରିଥିବ। ସେମାନଙ୍କ ବିପକ୍ଷରେ ଯେଉଁମାନେ ଖେଳିଛନ୍ତି, ସେମାନେ ଅବଶ୍ୟ ଭାରତୀୟ ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନକୁ ନେଇ ନିଶ୍ଚିତ ଖୁସି ହେଉଥିବେ। ଟ୍ବେଣ୍ଟି-୨୦ ଲିଗ୍‌ର ଅଭ୍ୟୁଦୟ ପରେ କେତେକ ଶୀର୍ଷ ସ୍ତରୀୟ ଖେଳାଳିଙ୍କ ଅନୁପସ୍ଥିତି ପାଇଁ ଇଣ୍ଡିଜ୍ ଶକ୍ତି ପୂର୍ବାପେକ୍ଷା ଢେର କମି ଯାଇଛି। ଗତ ଏକ ଦଶନ୍ଧୀ ହେବ ଏହି ଧାରା ଜାରି ରହିଛି।
କାରବୀୟ ଦେଶଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର। ହେଲେ ସେଠାରେ କର୍ମସଂସ୍ଥାନର ଘୋର ଅଭାବ ରହିଛି। ସେଥିପାଇଁ କ୍ରିକେଟ୍ ଖେଳାଳିମାନେ ସ୍ବାଭାବିକ ଭାବେ ନିଜ ଆର୍ଥିକ ସ୍ଥିରତା ପାଇଁ ଟେଷ୍ଟ ପରିବର୍ତେ ଟ୍ବେଣ୍ଟି-୨୦ ଲିଗ୍ ଖେଳିବାକୁ ଅଧିକ ପସନ୍ଦ କରୁଛନ୍ତି। ସେମାନଙ୍କ ବୋଲିଂ ତା’ର ଅସଲ ଚମକ ହରାଇଛି। ବ୍ୟାଟିଂ ମଧ୍ୟ ଅନୁରୂପ ଭାବେ ଦୁର୍ବଳ ହୋଇ ଚାଲିଛି। ରସ୍ତନ ଚେସ୍ ଏବଂ ଅଧିନାୟକ ଜାସନ ହୋଲ୍ଡର ହାଇଦ୍ରାବାଦ ଟେଷ୍ଟର ପ୍ରଥମ ପାଳିରେ ଯେଭଳି ବ୍ୟାଟିଂ କଲେ, ତାହା ଆମ ଭଳି କ୍ରିକେଟ୍ ପ୍ରେମୀଙ୍କ ମନରେ ‌ଅନେକ ଆଶା ସଂଚାର କରିଥିଲା। ହେଲେ ଦ୍ବିତୀୟ ପାଳି ବେଳକୁ ସବୁକିଛି ଫସର ଫାଟିଗଲା।
ହେଟମର ଏବଂ ଅମ୍ବରିସ୍ ଯେଭଳି ଭାବେ ଆଉଟ୍ ହେଲେ, ସେମାନେ ଏହି ସ୍ତର ପାଇଁ ଯୋଗ୍ୟ କି ନାହିଁ ସେ ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଛି। ସେଥିପାଇଁ ଉଭୟ ଚେସ୍ ଏବଂ ହୋଲ୍ଡର ଆହୁରି ଉପରେ ବ୍ୟାଟିଂ କରନ୍ତୁ ବୋଲି ମୁଁ ଚାହୁଁଛି। ଆଉ ଏକ ଶୃଙ୍ଖଳା ବିଜୟ ପରେ ଭାରତୀୟ ଦଳ ବେଶ୍ ଖୁସି ଥିବ। ମୁଁ କହିବି ପୃଥ୍ବୀ ସ’, ଋଷବ ପନ୍ତ ଏବଂ କୁଳଦୀପ ଯାଦବ ଏହି ଶୃଙ୍ଖଳାର ତିିନି ଜଣ ଶ୍ରେଷ୍ଠ ଉଦ୍ଭାବନ। ଏହି ତିନି ଜଣ ଖେଳାଳି ହେଉଛନ୍ତି ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ। ଉମେଶ ଯାଦବ ମଧ୍ୟ ଭଲ ‌ବୋଲିଂ କଲେ। ଭାରତ ପାଖରେ ଏବେ ନୂଆ ବଲ୍ ବୋଲରଙ୍କର ଅଭାବ ନାହିଁ। ଏକତରଫା ଟେଷ୍ଟ ଶୃଙ୍ଖଳା ପରେ ସବୁ ନଜର କିନ୍ତୁ ଏବେ ସୀମିତ ଓଭର ଶୃଙ୍ଖଳା ଉପରେ ରହିବ। (ପିଏମଜି)

ଦୁବାଇ,: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଘରୋଇ ଶୃଙ୍ଖଳାରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଦୁଇ ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ଓ ଋଷବ ପନ୍ତ ଆଇସିସି ଟେଷ୍ଟ ମାନ୍ୟତାରେ ଯଥାକ୍ରମେ ୧୩ ଏବଂ ୨୩ ସ୍ଥାନ ଉପରକୁ ଲମ୍ପ ମାରିଛନ୍ତି। ପଦାର୍ପଣରେ ଶତକ ଅଜର୍ନ କରି ୭୦ତମ ସ୍ଥାନରେ ଟେଷ୍ଟ ମାନ୍ୟତାରେ ପ୍ରବେଶ କରିଥିବା ସ’ ୧୩ ସ୍ଥାନ ଉପରକୁ ଉଠି ୬୦ତମ ସ୍ଥାନ‌େର ରହିଛନ୍ତି। ଅନ୍ୟ ପକ୍ଷରେ ଲଗାତାର ଦୁଇ ଥର ନର୍ଭସ ନାଇଣ୍ଟିର ଶିକାର ହୋଇଥିବା ପନ୍ତ ୨୩ ସ୍ଥାନ ଆଗକୁ ଯାଇ ୬୨ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅଜିଙ୍କ୍ୟ ରାହାଣେ ଅଷ୍ଟାଦଶ ସ୍ଥାନରେ ରହିଛନ୍ତି। ସେ ଚାରିଟି ସ୍ଥାନ ଡେଇଁଛନ୍ତି। ହାଇଦ୍ରାବାଦ ଟେଷ୍ଟରେ ପ୍ରଥମ ଥର ପାଇଁ ୧୦ ୱିକେଟ୍ ସଫଳତା ଲାଭ କରିଥିବା ଦ୍ରୁତ ବୋଲର ଉମେଶ ଯାଦବ ୨୫ ତମ ସ୍ଥାନ ଅଧିକାର କରିଛନ୍ତି। ବ୍ୟା‌ଟ୍ସମ୍ୟାନ୍ ମାନ୍ୟତାରେ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe