ନ୍ୟୁୟର୍କ: ବିଶ୍ୱ ଫୁଟବଲ୍ ମହାସଂଘ ବା ଫିଫାର ପୂର୍ବତନ ମୁଖ୍ୟ ସେପ୍ ବ୍ଲାଟରଙ୍କ ବିରୋଧରେ ଆମେରିକା ମହିଳା ଫୁଟବଲ୍ ଦଳର ଲୋକପ୍ରିୟ ଗୋଲ୍ ରକ୍ଷକ ହୋପ୍ ସୋଲୋ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୪ ବର୍ଷ ତଳେ ଅର୍ଥାତ୍ ୨୦୧୩ ମସିହାର ବାଲାନ ଡି’ଓର ପୁରସ୍କାର ପ୍ରଦାନ ଉତ୍ସବରେ ବ୍ଲାଟର ଅଚାନକ ତାଙ୍କୁ ପଛପଟୁ ଜାବୁଡ଼ି ଧରିଥିଲେ ବୋଲି ସୋଲୋ ପର୍ତୁଗାଲ୍ର ଏକ ଦୈନିକ ଖବର କାଗଜକୁ ସାକ୍ଷାତକାର ଦେଇ କହିଛନ୍ତି। ନେଦରଲାଣ୍ଡର କିମ୍ବଦନ୍ତୀ ଫୁଟବଲ୍ ତାରକା ରୁଡ୍ ଗୁଲିଟ୍ ଉପସ୍ଥାପକ ଥିବା ସଂପୃକ୍ତ ଉତ୍ସବରେ ସୋଲୋ ସାଥୀ ଖେଳାଳି ଆମି ଓ୍ଵାମବାଗଙ୍କୁ ପୁରସ୍କାର ଦେବା ଲାଗି ମଞ୍ଚ ଉପରକୁ ଯାଇଥିଲେ। ମଞ୍ଚ ଉପରେ ହିଁ ବ୍ଲାଟର ତାଙ୍କୁ ଏଭଳି ଆଶାଳୀନ ବ୍ୟବହାର କରିଥିଲେ ବୋଲି ସୋଲୋ ଅଭିଯୋଗ କରିଛନ୍ତି। ବ୍ଲାଟର କିନ୍ତୁ ସୋଲୋଙ୍କର ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ମିଛ କହୁଥିବା ବ୍ଲାଟର ନିଜ ପ୍ରତିକ୍ରିୟାରେ କହିଛନ୍ତି। ଉଭୟ ବ୍ଲାଟର ଏବଂ ସୋଲୋ ଅତୀତରେ ବହୁ ବିବାଦରେ ଛନ୍ଦି ହୋଇ ସାରିଛନ୍ତି। ଦୁର୍ନାତି ଅଭିଯୋଗରେ ବ୍ଲାଟର ଫିଫା ଦ୍ୱାରା ବାସନ୍ଦ ହୋଇଥିଲା ବେଳେ ସୋଲୋଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆସି ସାରିଛି। ୨୦୧୬ ରିଓ ଅଲିମ୍ପିକ୍ସ ବେଳେ ସ୍ୱିଜରଲାଣ୍ଡର ଖେଳାଳିମାନଙ୍କୁ କାପୁରୁଷ କହି ସେ ୬ ମାସ ପାଇଁ ଆମେରିକୀୟ ଫୁଟବଲ୍ ସଂଘ ଦ୍ୱାରା ବାସନ୍ଦ ହୋଇଥିଲେ।
ବ୍ଲାଟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସୋଲୋ
Advertisment
Follow Us