Photograph: (en.wikipedia.org)
ଭୁବନେଶ୍ବର: ଧ୍ରୁବ ସୋରେଙ୍କ ଅପରାଜିତ ଶତକ ବଳରେ ରଣଜୀ ଟ୍ରଫି ବିଜେତା ଘରୋଇ ବିଦର୍ଭ ପ୍ରଥମ ଦିନ ବଡ଼ ବିପର୍ଯ୍ୟୟରୁ ବର୍ତ୍ତିଯାଇଛି। ଓଡ଼ିଶା ବିପକ୍ଷ ଏହି ମ୍ୟାଚ୍ରେ ବିଦର୍ଭ ପ୍ରଥମ ଦିନର ସମ୍ପୂର୍ଣ୍ଣ ୯୦ ଓଭର ଖେଳି ୫ ୱିକେଟ୍ ବିନିମୟରେ ୨୩୪ ରନ୍ ସଂଗ୍ରହ କରିଛି। ଫଳରେ ପ୍ରଥମ ଦିନର ସମ୍ମାନକୁ ଉଭୟ ଦଳ ବାଣ୍ଟି ନେଇଛନ୍ତି। ନାଗପୁରର ଜାମଥାସ୍ଥିତ ଭିସିଏ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ଓଡ଼ିଶା ମଧ୍ୟ ଦୁଇଟି ପରିବର୍ତ୍ତନ ସହ ଏହି ମ୍ୟାଚ୍କୁ ଓହ୍ଲାଇଥିଲା। ୱିକେଟ୍ରକ୍ଷକ ସୌରଭ ଗୌଡ଼ଙ୍କ ବଦଳରେ ବାମହାତୀ ସ୍ପିନର୍ ଜାମଲା ଭଞ୍ଜନ ମହାପାତ୍ରଙ୍କୁ ସୁଯୋଗ ମିଳିଥିଲା। ବ୍ୟାଟର୍ ଭାବେ ଖେଳୁଥିବା ରାଜେଶ ଧୂପରଙ୍କୁ ୱିକେଟ୍ରକ୍ଷକ ଦାୟିତ୍ବ ଦିଆଯାଇଛି। ସେହିଭଳି ଅନ୍ୟ ଏକ ପରିବର୍ତ୍ତନ ଭାବେ ଦ୍ରୁତ ବୋଲର ତରଣୀ ସ’ଙ୍କ ବଦଳରେ ତାପସ ଦାସ ପୁଣି ଚୂଡ଼ାନ୍ତ ଏକାଦଶକୁ ନିଆଯାଇଛି। ଭିସିଏ ପିଚ୍ର ସବୁଜିମାକୁ ଦେଖି ଓଡ଼ିଶା ପ୍ରଥମେ ବୋଲିଂ କରିଥିବାବେଳେ ଦଳର ଦୁଇ ଓପନିଂ ବୋଲର ରାଜେଶ ମହାନ୍ତି ଓ ତାପସ ଦାସ ଚାମ୍ପିଅନ୍ ଦଳକୁ ହରଡ଼ ଘଣାରେ ପକାଇ ଦେଇଥିଲେ। ଘରୋଇ ଦଳର ତିନି ଶୀର୍ଷକ୍ରମ ବ୍ୟାଟର୍ ଅମନ ମୋଖାଡେ (୦), ଆଥର୍ବ ଟାଇଡେ (୧) ଓ ପାର୍ଥ ରେଖାଡେ (୨)ଙ୍କୁ ଦଳୀୟ ସ୍କୋର୍ ୬ ବେଳକୁ ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ପ୍ରାରମ୍ଭିକ ଯୋଡ଼ି ଅମନ ଓ ଅଥର୍ବଙ୍କୁ ରାଜେଶ ମହାନ୍ତି ଆଉଟ୍ କରିଥିଲେ। ଅମନଙ୍କ କ୍ୟାଚ୍ ପ୍ରଥମ ସ୍ଲିପ୍ରେ ସନ୍ଦୀପ ପଟ୍ଟନାୟକ ନେଇଥିଲେ। ଅର୍ଥବ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ। ରେଖାଡେଙ୍କୁ କିନ୍ତୁ ତାପସ ବୋଲ୍ଡ କରି ଦେଇଥିଲେ।
ଏହି ସଙ୍କଟ ସମୟରେ ଏକାଠି ହୋଇ ଧ୍ରୁବ ସୋରେ ଏବଂ ରବିଶଙ୍କର ସମର୍ଥ ରକ୍ଷଣାତ୍ମକ କ୍ରିକେଟ୍ର ଶ୍ରେଷ୍ଠ ନମୁନା ଦେଖାଇଥିଲେ। ବିଶେଷ କରି ସମର୍ଥ ତାଙ୍କ ଡିଫେନ୍ସର ଶ୍ରେଷ୍ଠ ସାମର୍ଥ୍ୟର ପରିପ୍ରକାଶ କରିଥିଲେ। ପ୍ରଥମ ବଲ୍ରୁ ୧ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦ୍ବିତୀୟ ରନ୍ ପାଇଁ ୫୧ ବଲ୍ ଖେଳିଥିଲେ। ଠିକଣା ସ୍ଥାନରେ ବୋଲିଂ କରିବା ଏବଂ ସୁଇଂରୁ ଫାଇଦା ଉଠାଇ ରାଜେଶ ମହାନ୍ତି ଓ ତାପସ ଦାସ ଘରୋଇ ବ୍ୟାଟର୍ଙ୍କୁ ଚାପରେ ରଖିଥିଲେ। ମଧ୍ୟମଗତି ବୋଲର ସମ୍ବିତ ବରାଳ ଓ ସ୍ବସ୍ତିକ ସାମଲ ବି ଭଲ ବୋଲିଂ କରି ଚାପ କାଏମ ରଖିଥିଲେ। ଫଳରେ ବିଦର୍ଭ ଏକଦା ୨୩ ଓଭରରେ ୨୩ ରନ୍ ସଂଗ୍ରହ କରି ସଂଘର୍ଷ କରିଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ଓଡ଼ିଶା ସ୍ପିନରଙ୍କୁ ଲଗାଇବା କିନ୍ତୁ କିଛି ମାତ୍ରାରେ ସୋରେ ଓ ସମର୍ଥଙ୍କ ଉପରୁ ଚାପ ହଟାଇଥିଲା। ବାଦଲ ବିଶ୍ବାଳଙ୍କଠାରୁ ପାଳିର ପ୍ରଥମ ଚୌକା ମାରିବା ଏବଂ ଜାମଲା ଭଞ୍ଜନଙ୍କ ପ୍ରଥମ ଓଭରରୁ ୧୩ ରନ୍ ଆଦାୟ କରିଥିଲେ। ଫଳରେ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ବିଦର୍ଭ ଆଉ କୌଣସି ୱିକେଟ୍ ନହରାଇ ୩୪ ଓଭର ଖେଳରେ ୫୫ ରନ୍ କରିଥିଲା।
ଭୋଜନ ବିରତି ପରେ ସୋରେ ଓ ସମର୍ଥ ରନ୍ ଗତି ବଢ଼ାଇଥିଲେ। ଉଭୟ ଚତୁର୍ଥ ୱିକେଟ୍ ପାଇଁ ୧୪୧ ରନ୍ ଯୋଡ଼ିବାରୁ ଓଡ଼ିଶାକୁ ପୁଣି ସଂଘର୍ଷ କରିବାକୁ ପଡ଼ିଥିଲା। ଚା’ପାନ ବିରତି ପୂର୍ବରୁ ସମର୍ଥ (୧୪୪ ବଲ୍ରୁ ୪୯ ରନ୍)ଙ୍କୁ ଜାମଲା ଭଞ୍ଜନ ଏଲବିଡବ୍ଲ୍ୟୁ କରି ଦେଇଥିଲେ। ଏହି ସମୟରେ ଧ୍ରୁବ ସୋରେଙ୍କ ସହ ଯୋଗ ଦେଇ ୟାଶ ରାଠୋଡ଼ ୮୩ ରନ୍ର ଭାଗୀଦାର କରିଥିଲେ। ରାଠୋଡ଼ (୮୬ ବଲ୍ରୁ ୩୮ ରନ୍)ଙ୍କୁ ତାପସ ଦାସ ଦ୍ବିତୀୟ ଶିକାର କରିଥିଲେ ଶେଷ ସ୍ପେଲ୍ରେ। ତୃତୀୟ ଶେଷ ଓଭରରେ ରାଠୋଡ଼ଙ୍କୁ ସେ ମଧ୍ୟ ଏଲବିଡବ୍ଲ୍ୟୁ କରିଦେଇଥିଲେ। ଏହି ସମୟରେ ନାଇଟ୍ ୱାଚ୍ମ୍ୟାନ୍ ନ ପଠାଇ ଅଧିନାୟକ ଅକ୍ଷୟ ୱାଡକର (୧୦ ବଲ୍ରୁ ୦*) ନିଜେ ଆସି ଅବଶିଷ୍ଟ ସମୟକୁ ହାତେଇ ନେଇଥିଲେ। ଦିନ ତମାମ ବ୍ୟାଟିଂ କରିଥିବା ଧ୍ରୁବ ସୋରେ ନିଜ ୧୪ତମ ପ୍ରଥମ ଶ୍ରେଣୀ ଶତକ (୨୫୦ ବଲ୍ରୁ ୧୨୮* ରନ୍) ସହ ଅପରାଜିତ ଅଛନ୍ତି।
ସଂକ୍ଷିପ୍ତ ସ୍କୋର: ବିଦର୍ଭ ୯୦ ଓଭରରେ ୨୩୪/୫ (ଧ୍ରୁବ ସୋରେ-୧୨୮*, ରବିଶଙ୍କର ସମର୍ଥ-୪୯, ରାଜେଶ ମହାନ୍ତି-୨୦-୫-୩୪-୨, ତାପସ ଦାସ-୧୭-୬-୨୯-୨, ଜାମଲା ଭଞ୍ଜନ ମହାପାତ୍ର-୧୦-୨-୪୪-୧)।
Follow Us