ସମ୍ବଲପୁର: ସ୍ଥାନୀୟ ରେଳନଗରଠାରେ ଚାଲିଥିବା ଦ୍ବିତୀୟ ମା’ ସମଲେଶ୍ବରୀ ନିଖିଳ ଓଡ଼ିଶା ଚେସ୍ ପ୍ରତିଯୋଗିତାରେ ଭୁବନେଶ୍ବରର ସୌମ୍ୟରଂଜନ ମିଶ୍ର ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ରାଜ୍ୟର ଏହି ପ୍ରଥମ ଫିଡେ ମାଷ୍ଟର୍ ବ୍ୟକ୍ତିଗତ ଭାବେ ମଧ୍ୟ ନିଜର ୫୬ତମ ରାଜ୍ୟସ୍ତରୀୟ ଟ୍ରଫି ଜିତିବାର ଗୌରବ ପାଇଛନ୍ତି। ୯ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ସୌମ୍ୟ ଅପରାଜିତ ରହି ୮ ପଏଣ୍ଟ୍ ପାଇଥିଲେ। ୬ ବିଜୟ, ଗୋଟିଏ ୱାକ୍ ଓଭର, ୨ ଅମୀମାଂସିତ ସହିତ ପୁରୀର ବୈଭବ ମିଶ୍ରଙ୍କ ସହିତ ସମାନ ୮ ପଏଣ୍ଟ୍ ପାଇଥିଲେ। କିନ୍ତୁ ବୁକ୍ହୋଲଜ୍ ସ୍କୋରିଂରେ ବୈଭବ ପଛରେ ପଡ଼ିଯିବାରୁ ଉପ ବିଜେତାରେ ସନ୍ତୁଷ୍ଟ ହୋଇଥିଲେ। କଟକର ନୀଲସୁ ପଟ୍ଟନାୟକ (୭.୫) ତୃତୀୟ ସ୍ଥାନ ଦଖଲ କରିଥିଲେ। ରାଜେଶ ନାୟକ, ଅଂଶୁମାନ ସାମଲ, ମାନସ ପରିଡ଼ା, ପ୍ରିୟବ୍ରତ ପଣ୍ଡା, ସନ୍ଦୀପ କୁମାର ଗନେରିୱାଲ (ପ୍ରତ୍ୟେକ ୭ ପଏଣ୍ଟ), ବସନ୍ତ କୁମାର ଦାସ, ଲୋଚନ କୁମାର ଦାସ (ଉଭୟ ୬.୫ ପଏଣ୍ଟ) ପ୍ରମୁଖ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଥିଲେ। ୧୫ ବର୍ଷରୁ କମ୍ ବର୍ଗରେ ଜଗଦୀଶ ବାରିକ ଓ ସୀତାନି ବିଧି, ୧୩ ବର୍ଷରୁ କମ୍ରେ ସୁମିତ ପଣ୍ଡା ଓ ସେଲିନା କୁଇନ୍ସି ଚିଲି, ୧୧ ବର୍ଷରୁ କମ୍ରେ ଶ୍ରେୟସ ପାଣିଗ୍ରାହୀ ଓ ଅଦଭିକା ଦାସ, ୯ ବର୍ଷରୁ କମ୍ ବର୍ଗରେ ମହାବୀର ପାତ୍ର ଓ ସ୍ବୟଂଶ୍ରୀ ସାଇସ୍ନାତ ଯଥାକ୍ରମେ ବାଳକ ଓ ବାଳିକା ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ଭେଟେରାନ୍ ବର୍ଗରେ ରଂଜିତ ଢାଲି ଶ୍ରେଷ୍ଠ ଖେଳାଳି ହୋଇଥିଲେ।
ମା’ ସମଲେଶ୍ବରୀ ଚେସ୍: ସୌମ୍ୟ ବିଜେତା
Advertisment
Follow Us