ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆସନ୍ତା ୨୪ ତାରିଖ ଦିନ ଉଦଘାଟନ କରିବେ ଗୁଜରାଟରେ ନିର୍ମାଣ ହୋଇଥିବା ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ୍ । ଅହମ୍ମଦାବାଦ ନିକଟସ୍ଥ ମୋଟେରାରେ ନିର୍ମିତ ହୋଇଥିବା ଏହି ବଡ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ୬୩ ଏକର ପରିମିତ ଅଞ୍ଚଳରେ ତିଆରି ଏହି ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଲୋକ ବସିବାର କ୍ଷମତା ରହିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଷ୍ଟାଡିୟମର ବ୍ୟୟ ଅଟକଳ ୭୦୦ କୋଟି ଟଙ୍କା ରହିଛି । ଆଉ ଷ୍ଟାଡିୟମର ନାମକରଣ ସର୍ଦ୍ଦାର ପଟେଲ୍ କ୍ରିକେଟ୍ ଷ୍ଟାଡିୟମ ରଖାଯାଇଥିବା ସୂଚନା ରହିଛି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବି ଟୁଇଟ୍ କରିଛନ୍ତି। ସେ ଏହି ଷ୍ଟାଡିୟମକୁ ଉଦଘାଟନ କରିବାକୁ ବ୍ୟଗ୍ର ବୋଲି ପ୍ରକାଶ କରିଛନ୍ତି।
ତେଣେ ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଏହି ଏହି ଷ୍ଟାଡିୟମ ସଂପର୍କରେ ଟୁଇଟ୍ କରିଛନ୍ତି। ଏହି ଷ୍ଟାଡିୟମର ଏକ ବିହଙ୍ଗାବଲୋକନ ଫଟୋ ଟୁଇଟ୍ କରିବା ସହ ସେ ଲେଖିଛନ୍ତି ଅହମ୍ମଦାବାଦସ୍ଥିତ ଏହି ବିଶାଳ ତଥା ଆକର୍ଷଣୀୟ ଷ୍ଟାଡିୟମକୁ ଦେଖିବା ଲାଗି ପ୍ରବଳ ଇଚ୍ଛା ରହିଛି। ମନେ ହେଉଛି ୨୪ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିହେବ ନାହିଁ। ଏହି ପଡ଼ିଆ ସହିତ ମୋ ଖେଳାଳି ଜୀବନର ଅନେକ ସ୍ମୃତି ଜଡ଼ିତ ରହିଛି। ସେହିପରି ବିସିସିଆଇ ମଧ୍ୟ ଏହି ଷ୍ଟାଡିୟମ ସଂପର୍କରେ ଟୁଇଟ୍ କରିଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ତଥା ବର୍ତ୍ତମାନର ବିସିସିଆଇ ସଚିବ ଜୟ ଶାହାଙ୍କ କହିବା ଅନୁଯାୟୀ, ଏହି ଷ୍ଟାଡିୟମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ୱପ୍ନର ଷ୍ଟାଡିୟମ୍ । ଏହି ଷ୍ଟାଡିୟମର ପରିକଳ୍ପନା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କରାଯାଇଥିଲା । ଏହି ଷ୍ଟାଡିୟମଟି ମେଟ୍ରୋ ଷ୍ଟେସନ ପାଖରେ ଥିବା ସାବରମତି ନଦୀ କୂଳରେ ନିର୍ମାଣ କରାଯାଇଛି । ସର୍ଦ୍ଦାର ପଟେଲ କ୍ରିକେଟ୍ ଷ୍ଟାଡିୟମ୍ ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ଠାରୁ ମଧ୍ୟ ବଡ । ଏହି ଷ୍ଟାଡିୟମରେ ତିନୋଟି ପ୍ରାକ୍ଟିସ୍ ଗ୍ରାଉଣ୍ଡ, କ୍ଲବ ହାଉସ, ଅଲମ୍ପିକ ସାଇଜ୍ ସୁଇମିଂ ପୁଲ ଏବଂ ଗୋଟିଏ ଇଣ୍ଡୋର କ୍ରିକେଟ୍ ଏକାଡେମି ମଧ୍ୟ ତିଆରି କରାଯାଇଛି ।
ଷ୍ଟାଡିୟମର ନିର୍ମାଣ ଏପରି ଶୈଳୀରେ ହୋଇଛି ଯେ, ଯେତେବେଳେ ବି ଜଣେ ଖେଳାଳି ଚୌକା କିମ୍ବା ଛକ୍କା ମାରିବେ, ଷ୍ଟାଡିୟମରେ ବସିଥିବା ପ୍ରତିଟି କ୍ରିକେଟ୍ ପ୍ରେମୀ ଏହାକୁ ଦେଖିପାରିବେ । ଏହାର ପାର୍କିଂରେ ୪ ହଜାର କାର୍ ଏବଂ ୧୦ ହଜାର ବାଇକ୍ ରହିବାରେ ବ୍ୟବସ୍ଥା ରହିଛି । ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମରେ ଏଲଇଡି ଲାଇଟ୍ ଲଗାଯିବ ।
ଏହା ଛଡା ୭୫ଟି କର୍ପୋରେଟ୍ ବକ୍ସ ନିର୍ମାଣ କରାଯାଇଛି ଓ ଷ୍ଟାଡିୟମରେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି ।
Follow Us