ସୌରଭଙ୍କ ସ୍ବପ୍ନର କ୍ରିକେଟ୍ ଯାତ୍ରା‌: ବାୟୁସେନାରୁ ରୋହିତ ସେନା

Advertisment
ସୌରଭଙ୍କ ସ୍ବପ୍ନର କ୍ରିକେଟ୍ ଯାତ୍ରା‌: ବାୟୁସେନାରୁ ରୋହିତ ସେନା

ଲକ୍ଷ୍ନୌ: ମାତ୍ର ୭ ବର୍ଷ ତଳେ କ୍ରୀଡ଼ା ଜୀବନର ଦୋଛକିରେ ରହି କୁଆଡ଼େ ଯିବେ? କଣ କରିବେ? ସେହି ଦ୍ବନ୍ଦ୍ବ ଦୂର କରିବାକୁ ଚେଷ୍ଟା କରୁଥିଲେ। ଆଜି କିନ୍ତୁ ଭାରତୀୟ ଟେଷ୍ଟ୍ ଦଳର ସଦସ୍ୟ। ଏହି ରୋମାଞ୍ଚଭରା ଯାତ୍ରାର ଚର୍ଚ୍ଚିତ ନାୟକ ତଥା ଉତ୍ତର ପ୍ରଦେଶ ସ୍ପିନ୍ ଅଲରାଉଣ୍ଡର ସୌରଭ କୁମାରଙ୍କ କ୍ରିକେଟ୍ ଯାତ୍ରା କୌଣସି ‌‌ଲୋକପ୍ରିୟ ବଲିଉଡ୍ ଚଳଚ୍ଚିତ୍ରର ପଟ୍ଟକଥାଠାରୁ କମ୍ ରୋଚକ ନୁହେଁ। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପାଇଁ ଏକମାତ୍ର ନୁଆ ମୁହଁ ଭାବେ ରୋହିତ ଶର୍ମାଙ୍କ ‌ନେତୃତ୍ବାଧୀନ ଭାରତୀୟ ଟେଷ୍ଟ୍‌‌ ଦଳରେ ସାମିଲ ‌ହୋଇଥିବା ସୌରଭଙ୍କୁ ସୁରକ୍ଷିତ ଭବିଷ୍ୟତ ଏବଂ କ୍ରିକେଟ୍ ଭିତରୁ ଗୋଟିକୁ ବାଛିବାର ଥିଲା। ଆଉ ସେ କ୍ରିକେଟ୍‌କୁ ବାଛିଥିଲେ। ସେହି ସାହସିକ ପଦକ୍ଷେପ ବଳରେ ହିଁ ଆଜି‌ ସେ ଭାରତୀୟ ଦଳର ସଦସ୍ୟ ହେବାର ସମ୍ମାନ ଓ ଗୌରବ ଲାଭ କରିଛନ୍ତି।

ମେ ପହିଲା ୧୯୯୩ ମସିହାରେ ଜନ୍ମଗ୍ରହଣ କରିଥିବା ସୌରଭ କୁହନ୍ତି, ‘‘ସର୍ଭିସେସ୍ ପକ୍ଷରୁ ରଣଜୀ ଖେଳିବା ଛାଡ଼ିବା ନିଷ୍ପତ୍ତି ମୋତେ କିଛି କମ୍ କଷ୍ଟ ଦେଇ ନଥିଲା। ଭାରତୀୟ ବାୟୁସେନା ଏବଂ ଭାରତୀୟ ସେନା ବାହିନୀର ଅଂଶବିଶେଷ ହୋଇ ମୁଁ ବେଶ୍ ଗର୍ବ ଅନୁଭବ କରୁଥିଲି। ହେଲେ ମନର ‌କେଉଁ ଏକ ‌କୋଣରୁ ମୁଁ ଜାଣିଥିଲି ଯେ କଠିନ ପରିଶ୍ରମ କରି ମୁଁ ଭାରତୀୟ ଦଳରେ ସ୍ଥାନ ପାଇପାରିବି। ମୋର ପୋଷ୍ଟିଂ ଦିଲ୍ଲୀରେ ହୋଇଥିଲା। ସର୍ଭିସେସ୍ ପକ୍ଷରୁ ଗୋଟିଏ ବର୍ଷ ଅର୍ଥାତ୍ ୨୦୧୪-୧୫ ଋତୁରେ ମୁଁ ରଣଜୀ ଖେଳିଥିଲି। ସେତେବେଳେ ରଜତ ପାଲିୱାଲ୍ ଆମ ଅଧିନାୟକ ଥିଲେ। କ୍ରୀଡ଼ା କୋଟାରେ ଚାକିରି ପାଇଥିବାରୁ ମୋତେ ଖେଳିବାର ଥିଲା। କାରଣ କ୍ରିକେଟ୍ ଛାଡ଼ିଥିଲେ ମୋତେ ସବୁ ସମୟ ଚାକିରିକୁ ଦେବାକୁ ପଡ଼ିଥା’ନ୍ତା। ଶେଷରେ ମୁଁ ସର୍ଭିସେସ୍ ଛାଡ଼ି ଦେଇଥିଲି। ମୋ ପିତା-ମାତା ଏଥିରେ ମୋତେ ବହୁତ ସମର୍ଥନ କରିଥିଲେ। ସ୍ବପ୍ନକୁ ଅନୁସରଣ କରି ମୁଁ ଆଗାମୀ ସମୟରେ କେବଳ କ୍ରିକେଟ୍ ଉପରେ ହିଁ ମନୋନିବେଶ କରିଥିଲି। ଉତ୍ତରପ୍ରଦେଶ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲି। ’’

ସୌରଭ କିନ୍ତୁ ଏଥିଲାଗି ବହୁତ କଷ୍ଟ ବି ସହିଥିଲେ। ଉତ୍ତରପ୍ରଦେଶର ବାଗପତରୁ ପ୍ରତିଦିନ ସାଢ଼େ ତିନି ଘଣ୍ଟା ଟ୍ରେନ୍ ଯାତ୍ରା କରି ଦିଲ୍ଲୀରେ ପ୍ରଶିକ୍ଷଣ ନେଉଥିଲେ। ଭାରତର ଏକମାତ୍ର ମହିଳା ଦ୍ରେଣାଚାର୍ଯ୍ୟ ପୁରସ୍କାର ବିଜୟିନୀ କ୍ରିକେଟ୍ ପ୍ରଶିକ୍ଷକ ସୁନିତା ଶର୍ମା ଏବଂ କିଂବଦନ୍ତି ସ୍ପିନର ବିସନ ସିଂହ ଦେବୀଙ୍କଠାରୁ ପ୍ରଶିକ୍ଷଣ ନେବା ତାଙ୍କ ଜୀବନର ଗତିପଥ ବଦଳାଇ ‌ଦେଇଥିଲ। ପରବର୍ତ୍ତୀ ସମୟରେ ଉତ୍ତର ପ୍ରଦେଶ ପକ୍ଷରୁ ବିଭିନ୍ନ ବୟସବର୍ଗ କ୍ରିକେଟ୍ ଖେଳି ଜାତୀୟ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ ସେ। ୨୦୧୭ ମସିହାରେ ରାଇଜିଂ ପୁଣେ ସୁପରଜ୍ୟାଣ୍ଟ୍ସ ତାଙ୍କୁ ୧୦ ଲକ୍ଷ ଟଙ୍କାରେ ଆଇପିଏଲ୍ ପାଇଁ କିଣିଥିଲା। ତେ‌ବେ ବିଡ଼ମ୍ବନାର ବିଷୟ ଯେ ଭାରତୀୟ ଦଳ ପାଇଁ ଡାକରା ପାଇବାର ମାତ୍ର କିଛି ଦିନ ପୂର୍ବରୁ ହୋଇଥିବା ଚଳିତବର୍ଷର ଆଇପିଏଲ୍ ନିଲାମରେ ତାଙ୍କୁ କେହି କିଣି ନଥିଲେ। ଉତ୍ତର ପ୍ରଦେଶ ୧୯ ବର୍ଷରୁ କମ୍, ୨୨ ବର୍ଷରୁ କମ୍, ଉତ୍ତର ପ୍ରଦେଶ ରଣଜୀ, ସର୍ଭିସେସ୍, ଭାରତ-ଏ ଭଳି ଦଳରୁ ଖେଳିଥିବା ସୌରଭ ୪୭ ପ୍ରଥମଶ୍ରେଣୀ ମ୍ୟାଚ୍‌ରୁ ୨ ଶତକ ଏବଂ ୯ ଅର୍ଦ୍ଧଶତକ ସହ ୧୬୫୭ ରନ୍ କରିଛନ୍ତି। ସେ ମଧ୍ୟ ୧୯୯ ୱିକେଟ୍ କରାୟତ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe